ଝାଡ଼ଖଣ୍ଡରେ ରାଉରକେଲା ବସ୍‌ ଦୁର୍ଘଟଣାଗ୍ରସ୍ତ ମା’ଓ ଝିଅ ମୃତ, ୨୦ରୁ ଅଧିକ ଆହତ ବସ୍‌ଟି ରାଉରକେଲାରୁ ଗୟା ଯାଉଥିଲା

ରାଉରକେଲା: ରାଉରକେଲାରୁ ବିହାର ଗୟା ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ତିରୁପତି ବାଲାଜି’ ଆଜି ଭୋର ସମୟରେ ଝାଡ଼ଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ନିୟନ୍ତ୍ରଣ ହରାଇ ଗୁମଲା-ସିମ୍‌ଡେଗା ଜାତୀୟ ରାଜପଥ କେଉଁଦଟୋଲି ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଛି। ଘଟଣାସ୍ଥଳରେ ବସ୍‌ କ୍ୟାବିନ୍‌ରେ ବସିଥିବା ମା’ ଓ ଝିଅଙ୍କର ମୃତ୍ୟୁ ହୋଇଥିଲାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତ ମା’ ଝିଅ ‌ହେଲେ ରାଉରକେଲା ଜଗଦା ଅଞ୍ଚଳର ସଏଦା ଖାତୁନ (୬୫) ଓ ତାଙ୍କ ଝିଅ ଜାଏଦା ଖାତୁନ୍‌। ଆହତ ମାନେ ହେଲେ ରାଣିଗଞ୍ଜର ରୋଶନି କୁମାରୀ ଓ ତାଙ୍କ ଭାଇ ପବନ କୁମାର, ସିମ୍‌ଡେଗାର ତାରକେଶ୍ବର କୁମାର, ମଜିର ଅହମ୍ମଦ, ରାଉରକେଲାର ଗଣେଶ ଠାକୁର ଓ ତାଙ୍କ ମା’ ସୁକରୋ ଦେବୀ, ରାମନାଥ ସାହୁ, କୁନ୍ଦନ ଝା, ଓମ୍‌ ପ୍ରକାଶ ଗୁପ୍ତା, ସାହିଦ୍‌ ଖାନ୍‌, ଅନୀଲ ଯାଦବ, ଏ. ଅହମ୍ମଦ ପ୍ରମୁଖ। ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନୀୟ ସିମ୍‌ଡେଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ମା ଓ ଝିଅଙ୍କ ଶବ ଜବତ କରି ଜବତ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ବସ୍‌ର ବେଗ ଏତେ ଥିଲା ଯେ ସମ୍ମୁଖଭାଗ ଭାଙ୍ଗି ରୁଚି ନଷ୍ଟ ହୋଇଯାଇଛି। କ୍ୟାବିନ୍‌ରେ ବସିଥିବା ସମସ୍ତ ଯାତ୍ରୀ ବସ୍‌ ଭିତରେ ଚାପି ହୋଇ ରହିଯାଇଥିଲେ। ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ ଭିତରେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି। ଘରୋଇ ଯାତ୍ରୀବାହୀ ବସ୍‌ ତିରୁପତି ବାଲାଜି (ଓଡି-୧୬ବି-୫୦୫୫) ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ରାତି ପ୍ରାୟ ୧୧ଟାରେ ରାଉରକେଲାରୁ ବିହାରର ଗୟା ବାହାରିଥିଲା। ‌ଆଜି ଭୋର ପ୍ରାୟ ୫ଟାରେ ବସ୍‌ଟି ଗୁମ୍‌ଲା ଅତିକ୍ରମ କରି ବିହାର ଯାଉଥିଲା। ୨୩ ନଂ ଜାତୀୟ ରାଜପଥର କିଛି ବାଟ ଗଲା ପରେ ନିୟନ୍ତ୍ରଣ ହରାଇ କେଉଁଟୋଲି ରାସ୍ତା ପାର୍ଶ୍ବ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର