ରାଉରକେଲା : ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା' ଦୁର୍ଗା। ମା’ ଦୁର୍ଗାଙ୍କ ପୂଜା ମଣ୍ଡପଗୁଡ଼ିକୁ ପ୍ରତିବର୍ଷଭଳି ଏଥର ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମଣ୍ଡପ ଓ ତୋରଣରେ ନିର୍ମାଣ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ସପ୍ତମୀ ଦିନରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି।
ଚଳିତବର୍ଷ ସେକ୍ଟର-୨ରେ ଶୋଭା ପାଉଛି ବୁଦ୍ଧ ମନ୍ଦିରର ତୋରଣ। ଏଠାରେ ତୋରଣ ଓ ମା’ଙ୍କ ମୂର୍ତ୍ତିକୁ ମିଶାଇ ସର୍ବମୋଟ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମଣ୍ଡପ ପାଇଁ ୧୭ଲକ୍ଷ ବ୍ୟୟ ହୋଇଛି।
ସେହିପରି ସେକ୍ଟର-୪ରେ ‘ଗୋଲ୍ଡେନ୍ ହେରିଟେଜ୍ ପ୍ୟାଲେସ୍’ ଆକୃତିର ତୋରଣ ନିର୍ମାଣ କରାଯାଇଛି। ଯାହାକି ଦେଖିବା ପାଇଁ ଖୁବ ଆକର୍ଷଣୀୟ ରହିଛି। ଏହି ତୋରଣର ଉଚ୍ଚତା ୬୫ ଫୁଟ ଓ ଚଉଡ଼ା ୮୦ ଫୁଟ ରହିଛି। ଏଥିରେ ୨୫୦୦ ଖଣ୍ଡ ବାଉଁଶ, ୨ ହଜାର ସିଏଫ୍ଟି ବେଟେନ୍ ଓ ୧୫୦୦ ମିଟର କପଡ଼ା ବ୍ୟବହୃତ ହୋଇଛି।
ପୂଜା ମଣ୍ଡପର ସଭାପତି ଧନେଶ୍ଵର ସେଠି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପ୍ରତିବର୍ଷଭଳି ଏଥର ମଧ୍ୟ ତୋରଣ, ମା’ଙ୍କ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।’
ସେକ୍ଟର-୨୦ରେ ଏଥର ପଶ୍ଚିମବଙ୍ଗର ‘ମେଦିନିପୁର ମ୍ୟୁଜିୟମ୍ ସଦୃଶ ତୋରଣ ଶୋଭାପାଉଛି। ଏଥିରେ ୨୫ ଶହ ଖଣ୍ଡ ବାଉଁଶ ଓ ୪ ଶହ ଘନଫୁଟ୍ ବେଟେନ୍ ବ୍ୟବହୃତ ହୋଇଛି।। ପୂଜା ଆୟୋଜନ ପାଇଁ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବେଳେ ତୋରଣରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତୋରଣ ସମେତ ମା’ଙ୍କ ଓରିଏଣ୍ଟାଲ୍ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଭକ୍ତଙ୍କ ସୁରକ୍ଷା ପାଇଁ ସିସି କ୍ୟାମେରା ଖଞ୍ଜାଯାଇଥିବା ମଣ୍ଡପର ସଭାପତି ମନୋଜ ଘଡ଼େଇ ପ୍ରତିକ୍ରିୟା ଦେଇଛନ୍ତି।
ସେହିପରି ସେକ୍ଟର-୭ରେ ପୂଜା କମିଟି ପକ୍ଷରୁ ପୂଜା ଆୟୋଜନ ପାଇଁ ପ୍ରାୟ ୧୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତୋରଣ ପାଇଁ ୮ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏତତ ବ୍ୟତୀତ ଟେଲିଫୋନ ଭବନରେ ‘ଅଯୋଧ୍ୟା ରାମ ମନ୍ଦିର’, ଇସ୍ପାତ ଗଜପତି ମାର୍କେଟରେ ବୃନ୍ଦାବନର ‘ରାଧାରାଣୀ ମନ୍ଦିର’ ସେକ୍ଟର-୧୮ରେ ଏଥର ‘ବଦ୍ରିନାଥ ମନ୍ଦିର’ ଓ ସିଭିଲ୍ ଟାଉନସିପରେ ‘ବୌଦ୍ଧ ମନ୍ଦିର’ର ତୋରଣ ଶୋଭା ପାଉଛି।