ରାଉରକେଲା: କ୍ରୀଡ଼ା ହବ୍ ପରେ ରାଉରକେଲା ହେବାକୁ ଯାଉଛି ଆଇଟି ହବ୍। ଏଥିପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେକ୍ଟର-୫ ପାନ୍ଥନିବାସ ପାର୍ଶ୍ବସ୍ଥ ପ୍ରାୟ ୩ ଏକର ଜାଗାରେ ୧୧ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବାକୁ ଯାଉଛି। ଇଡ଼୍କୋ ଏହି ବିଲ୍ଡିଂ ନିର୍ମାଣ କରିବ ବୋଲି ଜଣାପଡ଼ିଛି। ରାଜ୍ୟ ବାହାରକୁ ନିଯୁକ୍ତ ପାଇଁ ଯାଉଥିବା ଟେକ୍ନିକାଲ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିବ। ପୂର୍ଣ୍ଣାଙ୍ଗ ବିବରଣୀ ପ୍ରସ୍ତୁତ କରିବାକୁ ଇନ୍ଡୋର ଏକ କନ୍ସଲ୍ଟାନ୍ସି କମ୍ପାନୀକୁ ଦାୟିତ୍ବ ଦିଆଯାଇଛି। ଟେକ୍ନିକାଲ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସହରବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। କେବେ ନିର୍ମାଣ କାମ ଆରମ୍ଭ ହେବ ? କେବେ ସରିବ? ସେ ବିଷୟରେ କିଛି ସ୍ପଷ୍ଟ ହୋଇନି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେକ୍ଟର-୫ରେ ଏସ୍ଟିପିଆଇ (ସଫ୍ଟୱେର ଟେକ୍ନିଲୋଜି ପାର୍କ ଅଫ୍ ଇଣ୍ଡିଆ) ରହିଛି। ଏହି ପାର୍କରେ ଯେମିତି ଚାଲିବା କଥା, ତା’ ଚାଲୁ ନଥିବା ଅଭିଯୋଗ ହେଉଛି। ଏବେ ଏସ୍ଟିପିଆଇର ବିକାଶ ହେଉଛି। ତେବେ ଆଗାମୀ ଦିନରେ ଉଭୟ ଏସ୍ଟିପିଆଇ ଓ ପାନ୍ଥନିବାସ ପାର୍ଶ୍ବରେ ହେବାକୁ ଯାଉଥିବା ଆଇଟି ସେକ୍ଟର ଜିଲ୍ଲାର ଟେକ୍ନିକାଲ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ କେତେ ସହାୟକ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।