ପତ୍ନୀଙ୍କୁ ଘରେ ହାଣିଲା, ଶୌଚାଳୟରେ ଜାଳିଦେଲା

ପତ୍ନୀ ହନ୍ତାର ଥାନାରେ ଆତ୍ମସମର୍ପଣ

ରାଉରକେଲା : ପ୍ରେମ ବିବାହ କରିଥିବା ପତ୍ନୀ ବୁଧନ ଓରଫ ଦିବ୍ୟା ଓରାମ(୨୧)ଙ୍କୁ ବୀଭତ୍ସ ହତ୍ୟା ଓ କିରାସିନି ଢ଼ାଳି ଜାଳିଦେବା ପରେ ସ୍ୱାମୀ ସୁରଜିତ ଯୋଜୋ ଓରଫ ସଞ୍ଜୀବ (୨୬) ଗତକାଲି ବିଳମ୍ବିତ ରାତିରେ ଉଦିତନଗର ଥାନାରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ପରେ ପୁଲିସ ତାକୁ ଗିରଫ କରିଛି। ଏଭଳି ଅଭାବନୀୟ କାଣ୍ଡ ବାସନ୍ତୀକଲୋନୀ ମାଲଗୋଦାମ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଞ୍ଜୀବର ସ୍ୱୀକାରୋକ୍ତି ଅନୁସାରେ କୌଣସି ଏକ କଥାରୁ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ସଞ୍ଜୀବ ହିତାହିତ ଜ୍ଞାନ ହରାଇ ଘରେ ରଖିଥିବା ଚାପଡରେ ପତ୍ନୀ ବୁଧନଙ୍କ ପେଟ, ମୁଣ୍ଡ ଏବଂ ପିଠିକୁ ଅତି ବୀଭତ୍ସ ଭାବେ ହାଣି ପକାଇଥିଲେ। ଘଟଣାସ୍ଥଳରେ ବୁଧନଙ୍କ ପ୍ରାଣବାୟୁ ଉଡିଯାଇଥିଲା। ପ୍ରମାଣ ନଷ୍ଟ କରିବାକୁ ସଞ୍ଜୀବ ପତ୍ନୀଙ୍କ ମୃତଦେହକୁ ଶୌଚାଳୟକୁ ଘୋଷାଡ଼ି ନେଇ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲା। ପରେ ଘରର ବାହର ଦ୍ୱାର ବନ୍ଦ କରି ସେ ସିଧାସଳଖ ଥାନାକୁ ଯାଇ ଆତ୍ମସମର୍ପଣ କରିଥଲା।

ପୁଲିସ ବିଳମ୍ବିତ ରାତିରେ ସଞ୍ଜୀବଙ୍କ ଘରେ ପହଞ୍ଚି ବୁଧନଙ୍କ ଶବକୁ ଜଗି ରହିଥିଲା। ଶନିବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଉଦିତନଗର ଥାନା ଅଧିକାରୀ ପହଞ୍ଚି ଶୌଚାଳୟ ଭିତରୁ ବୁଧନଙ୍କ ଅର୍ଦ୍ଧଦଗ୍ଧ ଶବକୁ ଉଦ୍ଧାର କରିଥିଲା। ଅତିରିକ୍ତ ଏସ୍‌ପି ଦେବୀ ପ୍ରସାଦ ଦାସଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ନିହତ ବୁଧନଙ୍କ ପରିବାରକୁ ହସ୍ତାନ୍ତର କରିଛି। ହତ୍ୟାରେ ବ୍ୟବହୃତ ଚାପଡ, ମୃତ ବୁଧନର କିଛି କାଗଜପତ୍ର ପୁଲିସ୍‌ ଜବତ କରିଛି। ଅଭିଯୁକ୍ତ ସ୍ୱାମୀ ସଞ୍ଜୀବର ବାପା ମାସି ଜୋଜୋ, ମା ଲଳିତାଙ୍କୁ ଥାନାରେ ଅଟକ ରଖିଜେରା କରାଯାଉଛିି।

ବିଶ୍ରା ଥାନା ଅନ୍ତର୍ଗତ ଲୁଆରାମର ସଞ୍ଜୀବ ଯୋଜୋ ବାପା ମାସି ଏବଂ ମା ଲଳିତାଙ୍କ ସହ ବାସନ୍ତୀକଲୋନୀ ମାଲଗୋଦାମରେ ରହୁଥିଲେ। ମାଟ୍ରିକ ପରୀକ୍ଷାରେ ଫେଲ ହେବା ପରେ କାର ଚଳାଉଥିଲେ। ବୀରମିତ୍ରପୁର କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ନୂଆଗାଁ ସୁଗାଜୋରର ସନିକା ଓରାମଙ୍କ ଝିଅ ବୁଧନଙ୍କ ସହ ସଞ୍ଜୀବର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରାୟ ୧ ବର୍ଷ ଧରି ଉଭୟ ଉଭୟଙ୍କୁ ଭଲ ପାଇ ଆସୁଥିଲେ। ୨୦୧୬ରେ ଦୁହେଁ ବିବାହ ପରେ ମାଲଗୋଦାମରେ ପତି-ପତ୍ନୀ ଭାବେ ରହୁଥିଲେ। ପ୍ରତ୍ୟେକ ଦିନ ସଞ୍ଜୀବ ଡ୍ୟୁଟି ବାହାରି ଯିବା ପରେ ବୁଧନ ବୀରମିତ୍ର୍ରପୁର କଲେଜକୁ କ୍ଲାସ କରିବାକୁ ସକାଳ ପ୍ରାୟ ୧୦ଟାରୁ ଘରୁ ବାହାରି ଯାଉଥିଲେ। କ୍ଲାସ ପରେ ଟ୍ୟୁସନ ହୋଇ ସଂଧ୍ୟାରେ ଘରକୁ ଫେରୁଥିଲେ। କାକି ମାରିୟମ ଧନଓ୍ଵାର କହିବାନୁଯାୟୀ ପାଠପଢ଼ା ପାଇଁ ଆବଶ୍ୟକ ଟଙ୍କା ଆଣିବାକୁ ବୁଧନ ଗତ ୧୧ ତାରିଖରେ ଗାଁକୁ ଆସିଥିଲେ। ସ୍ୱାମୀ ସଞ୍ଜୀବ ପାଠପଢ଼ା ଖର୍ଚ୍ଚ ବାପ ଘରୁ ଆଣିବାକୁ ବାଧ୍ୟ କରୁଥିଲେ।

ସେହି ଅନୁଯାୟୀ ବୁଧନ ଘରେ ମା’ ମାଙ୍ଗି୍ରଙ୍କୁ କିଛି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ୧୩ରେ ଗାଁରୁ ପୁଣି ମାଲଗୋଦାମସ୍ଥିତ ସ୍ୱାମୀଙ୍କ ଘରକୁ ଆସିଥିଲେ। ଟଙ୍କା ପାଇଁ ବୁଧନକୁ ସଞ୍ଜୀବ ହତ୍ୟା କରି ପେଟ୍ରୋଲ ଢ଼ାଳି ପୋଡି ଦେଇଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଉଦିତନଗର ପୁଲିସ ପାରିପାର୍ଶ୍ୱିକ ସ୍ଥିତି ଏବଂ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଘଟଣାର ଅନୁସନ୍ଧାନ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୨ ବର୍ଷ ପୂର୍ବରୁ ଅଭିଯୁକ୍ତ ସଞ୍ଜୀବଙ୍କ ବଡଭାଇଙ୍କୁ ରାଏବୋଗାରେ ମାଓବାଦୀମାନେ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିଲେ। ବଡପୁଅକୁ ହତ୍ୟା ଏବଂ ସାନପୁଅ ଜେଲ ଯିବା ପରେ ମାସି ଏବଂ ତାଙ୍କ ପତ୍ନୀ ଲଳିତା ଭରସାଶୂନ୍ୟ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର