ରାଉରକେଲା: ଶନିବାର ରାତିରେ ୪ ଜଣ ଡକାୟତ ଧରାପଡ଼ିଥିବା କଥା ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଘୋଷଣା କରିଛି ପ୍ଲାଣ୍ଟ୍ସାଇଟ୍ ପୁଲିସ।
ଧରାପଡ଼ିଥିବା ଡକାୟତମାନେ ହେଲେ ଇଦ୍ଗା ମହଲାର ୪୨ ବର୍ଷିୟ ମହମ୍ମଦ ଜଲିଲ୍, ଗୋପବନ୍ଧୁପାଲିର ୨୪ ବର୍ଷିୟ ମହମ୍ମଦ ଅଫ୍ତାବ, ମହତାବ୍ ରୋଡ୍ର ୩୪ ବର୍ଷିୟ ମହମ୍ମଦ ସବିର ଏବଂ ପୋଷ୍ଟ୍ ଅଫିସ୍ ଗଳିର ୩୦ ବର୍ଷିୟ ମହମ୍ମଦ ଚାନ୍ଦ।
ଏମାନଙ୍କ ନାମରେ ରାଉରକେଲା ଓ ଛତିଶଗଡ଼ର ୭ଟି ଥାନାରେ ବହୁ ମାମଲା ରହିଛି। ଫେରାର ଥିବା ଏଇ ୪ ଡକାୟତ ରାଉରକେଲାରେ ପହଞ୍ଚିଛନ୍ତି ବୋଲି ସୂଚନା ପାଇବା ପରେ ଅନୁସନ୍ଧାନକାରୀ ପୁଲିସ ସେମାନଙ୍କୁ ବନ୍ଧମୁଣ୍ଡା ଠାରେ କାବୁ କରିଥିଲା। ଗତ ରାତି ପ୍ରାୟ ସାଢ଼େ ଦଶଟା ବେଳେ ସେମାନେ କୌଣସି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ।
ସେମାନଙ୍କ ପାଖରୁ ଗୋଟିଏ ଛଅ ରାଉଣ୍ଡବାଲା ଦେଶୀ ପିସ୍ତଲ, ତିନୋଟି ଭୁଜାଲି, ଦୁଇଟି ମୋବାଇଲ ଫୋନ୍, ଗୋଟିଏ ପ୍ଲିଜର୍ ବାଇକ୍ ଜବତ କରାଯାଇଛି।