ଷ୍ଟେଟ୍‌ ବ୍ୟାଙ୍କରୁ ୨.୫ ଲକ୍ଷ ଲୁଟ୍‌

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଜାର ଶାଖା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ରୁ ୫ ଜଣ ଡକାୟତ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଲୁଟେରାଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତକୁ ଗ୍ରାହକମାନେ କାବୁ କରିବା ପରେ ବ୍ୟାଙ୍କ କର୍ମଚାରୀମାନେ ତାକୁ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି। ଟାଉନ୍‌ ଥାନା ପୁଲିସ ତାକୁ ଜେରା କରୁଥିବା ବେଳେ ଟଙ୍କା ନେଇ ଚମ୍ପଟ୍‌ ମାରିଥିବା ଅନ୍ୟ ୪ ଜଣ ଅନ୍ୟ ରାଜ୍ୟର ବୋଲି ପୁଲିସ ଅନୁମାନ କରୁଛି। ଅପରପକ୍ଷରେ ଡକାୟତଙ୍କ ସବୁ କାରନାମା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇରହିଯାଇଛି। ସିସିଟିଭି ଫୁଟେଜ ଅନୁସାରେ, ଆଜି ଦିନ ୧ଟା ୧୦ରେ ସ୍ଥାନୀୟ ରାଉରକେଲା ଛକରେ ଥିବା ଏସ୍‌ବିଆଇ ବଜାର ଶାଖାକୁ ୨ ଜଣ ସନ୍ଦିଗ୍ଧ ପ୍ରବେଶ କରିଥିଲେ। ସେମାନେ ରେକି (ପୂର୍ବାଭ୍ୟାସ) କରିବାପରେ ବାହାରକୁ ଆସି ଅନ୍ୟ ସାଥୀମାନଙ୍କୁ ଡାକିଥିଲେ। ପାଞ୍ଚ ଜଣଯାକ ଦୁର୍ବୃତ୍ତ ବ୍ୟାଙ୍କ ଆଡ଼କୁ ଅଗ୍ରସର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ବ୍ୟାଙ୍କ ଭିତରକୁ ପଶି କ୍ୟାସ୍‌ କାଉଣ୍ଟର୍‌ ସାମ୍ନାରେ ସୁଯୋଗକୁ ଅପେକ୍ଷା କରିଥିଲେ। ଅନ୍ୟ ୨ ଜଣ ବ୍ୟାଙ୍କ ବାହାରେ ଟହଲ ମାରୁଥିଲେ। ଏହି ସମୟରେ ବ୍ୟାଙ୍କ୍‌ର ସର୍ଭର ଲିଙ୍କ୍‌ ଫେଲ୍‌ ଥିବାରୁ କ୍ୟାସ୍‌ କାଉଣ୍ଟର୍‌ ଦାୟିତ୍ୱରେ ଥିବା କର୍ମଚାରୀ ବିକାଶ ଓରାମ ଅନ୍ୟ ଏକ କାଉଣ୍ଟର୍‌କୁ ଯାଇଥିଲେ। ମୁହୁର୍ତ୍ତର ଫାଇଦା ଉଠାଇ ୧ଟା ୧୫ ମିନିଟ୍‌ରେ ଡକାୟତ ଦଳର ଜଣେ ସଦସ୍ୟ କ୍ୟାସ୍‌ କାଉଣ୍ଟର୍‌ ଭିତରକୁ ଯାଇ ଟଙ୍କା ବଣ୍ଡଲକୁ ଉଠାଇ ଚମ୍ପଟ୍‌ ମାରିଥିଲେ। ସେମାନେ ଫେରାର ହେଉଥିବା ଦେଖି ବ୍ୟାଙ୍କର ଅନ୍ୟଜଣେ କର୍ମଚାରୀ ଦେଖି ଚିତ୍କାର କରିବାରୁ ଜଣେ ଡକାୟତକୁ ସେଠାରେ ଉପସ୍ଥିତ ଗ୍ରାହକମାନେ କାବୁ କରିନେଇଥିଲେ। ତେବେ ଅନ୍ୟ ୪ ଜଣ ଆସିଥିବା ଭଡ଼ା ଅଟୋରେ ରାଣୀବଗିଚା ବାଇପାସ୍‌ ଆଡ଼କୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର