ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସ୍ପି)ର ଷ୍ଟିଲ ମେଟାଲିଙ୍ଗ ସପ୍ (ଏସ୍ଏମ୍ଏସ୍) ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ସୂଚନା ଅନୁସାରେ ସେକ୍ଟର-୧ସ୍ଥିତ ଡି-୧୪୮ ନିବାସୀ ନରସିଂହ ସାହୁ (୫୦)ଙ୍କୁ ଆଜି ସନ୍ଧ୍ୟା ୭ଟାରେ ୪ଜଣ ଦୁବୃର୍ତ୍ତ ଗୁଳି କରିଛନ୍ତି। ଦୁର୍ବୃତ୍ତମାନେ ପୂର୍ବ ଯୋଜନା ଅନୁସାରେ ୨ଟି ବାଇକ୍ରେ ଆସିଥିଲେ। ସେମାନେ ଘର ଭିତରକୁ ପ୍ରବେଶ କରି ଅଚାନକ ଗୁଳି କରିଥିଲେ। ଘରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ମଧ୍ୟ କେହି କିଛି କହିବା ପୂର୍ବରୁ ଗୁଳି କରି ଫେରାର ହୋଇଯାଇଥିଲେ।
ଗୁଳିକାଣ୍ଡ ପରେ ନରସିଂହ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ନରସିଂହଙ୍କୁ ହଠାତ ଆଇଜିଏ୍ (ଇସ୍ପାତ ଜେନେରାଲ ହସ୍ପିଟାଲ) ନେଇଯାଇଥିଲେ। ସେଠାରେ ନରସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜମିବାଡ଼ିକ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନା ପାଇ ସେକ୍ଟର-୩ ଏବଂ ସେକ୍ଟର-୧୯ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରିଛି। ପୁଲିସ ବିଭିନ୍ନ ଆଧାରକୁ ନେଇ ଘଟଣାର ତଦନ୍ତ କରୁଛି।