ରାଉରକେଲା: ପ୍ରାୟ ୫୮ ବର୍ଷ ପୂର୍ବେ ସେକ୍ଟର-୮ରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୟୁକୋ ବ୍ୟାଙ୍କକୁ ଜମି ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଜମିରେ ୟୁକୋ ବ୍ୟାଙ୍କ ପକ୍ଷରୁ ବାସଗୃହ ନିର୍ମାଣ କରାଯାଇଥିଲା। ଏବେ କିନ୍ତୁ ଉକ୍ତ ବାସଗୃହ ସବୁ ଜବରଦଖଲରେ। କିଛି ପୁଲିସ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀ ଏହାକୁ କବ୍‌ଜା କରିନେଇଛନ୍ତି। ତେବେ ଏହି ବହୁମୂଲ୍ୟ ଜମିକୁ ଖାଲି କରିବାକୁ ନା ଆର୍‌ଏସ୍‌ପି କର୍ତ୍ତୃପକ୍ଷ ପ୍ରୟାସ କରୁଛନ୍ତି, ନା ୟୁକୋ ବ୍ୟଙ୍କ୍‌ କର୍ତ୍ତୃପକ୍ଷ। ଯାହାକି ଏଠାରେ ଅନୈତିକ କାର୍ଯ୍ୟକଳାପ ପାଇଁ ଅସାମାଜିକ ତତ୍ତ୍ବଙ୍କୁ ସୁଯୋଗ ଦେଇଛି।
Advertisment
୧୯୬୬ ମସିହାରେ ଆର୍‌ଏସ୍‌ପି ପକ୍ଷରୁ ଲିଜ୍‌ ଭିତ୍ତିରେ ୟୁକୋ ବ୍ୟାଙ୍କ୍‌ ଜମିନେଇଥିଲା। ଉକ୍ତ ବ୍ୟାଙ୍କ୍‌ରେ ୟୁକୋ ବ୍ୟାଙ୍କ କର୍ତ୍ତୃପକ୍ଷ ୨୪ଟି କ୍ବାର୍ଟର ବିଶିଷ୍ଟ ୩ଟି ବିଲଡିଂ ନିର୍ମାଣ କରିଥିଲେ। କାଳକ୍ରମେ ବ୍ୟାଙ୍କ୍‌ କର୍ମଚାରୀ ଅବସର ନେବାସହ ବଦଳି ହୋଇଥିଲେ। ଏତଦ୍‌ବ୍ୟତୀତ ସେକ୍ଟର-୨୧ରେ ନିଜସ୍ୱ କଲୋନି ନିର୍ମାଣ ହେବାପରେ ସେଠାରେ ବ୍ୟାଙ୍କ କର୍ମଚାରୀ ରହିଥିଲେ। ଫଳରେ ଏହି କ୍ବାର୍ଟରଗୁଡ଼ିକ ଖାଲି ପଡ଼ିଥିଲା। ଏହାର ସୁଯୋଗ ନେଇଥିଲେ କିଛି ପୁଲିସ ଅଧିକାରୀ ଓ ସରକାରୀ କର୍ମଚାରୀ। ଗତ ୧୮/୨୦ ବର୍ଷ ହେଲା ଏମାନେ ସମସ୍ତ ୨୪ଟି ଯାକ କ୍ବାର୍ଟରକୁ ମାଡ଼ିବସିଛନ୍ତି। ସେପଟେ ପୁଲିସ ବିଭାଗର କର୍ମଚାରୀ  ଜବରଦଖଲ କରିଥିବାରୁ ଆରଏସପି ସହରସେବା ବିଭାଗ କୌଣସି  ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ଜବର ଦଖଲକାରୀଙ୍କ ସହିତ ସହରସେବା ବିଭାଗ କର୍ମଚାରୀଙ୍କ ଭିତିରିଆ ସଲାସୁତୁରା ଯୋଗୁଁ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାଭଳି ସଙ୍ଗୀନ ଅଭିଯୋଗ ହେଉଛି। ଅପରପକ୍ଷରେ ଏବେବି ଏହି ବିଲ୍‌ଡିଂ ମାଲିକାନାସତ୍ତ୍ବ ଥିବା ୟୁକୋ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଇସ୍ପାତ ସହରରେ କ୍ରମଶଃ ଜବରଦଖଲ ମହାମାରୀ ରୂପ ନେଇସାରିଲାଣି। ଆଗକୁ ବଡ଼ ଧରଣର ଆଧୁନିକୀକରଣ କାର୍ଯ୍ୟ ହେବାକୁ ଥିବାରୁ ଅନ୍ତତଃପକ୍ଷେ ଜବରଦଖଲ ଭଳି ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବାକୁ ଆରଏସପି ଓ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଏକମାତ୍ର ବିକଳ୍ପ ପାଲଟିଛି। ଏନେଇ ପଚାରିବାରୁ ଆର୍‌ଏସ୍‌ପି ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି, ଉକ୍ତ ଜମି ଏବେ ବି ୟୁକୋ ବ୍ୟାଙ୍କ ଅଧିନରେ ରହିଛି। ଜମି ଫେରସ୍ତ କରିବାକୁ ଏକାଧିକବାର ୟୁକୋ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପ୍ରତି ମାସ ଚିଠି ଲେଖି ଅବଗତ କରାଯାଉଥିଲେ ସୁଦ୍ଧା ବ୍ୟାଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ବ୍ୟାଙ୍କ ପକ୍ଷରୁ ନା ଭଡ଼ା  ଦିଆଯାଉନି କିମ୍ବା ଜମି ହସ୍ତାନ୍ତର ବି କରାଯାଉନି।