ଗ୍ୟାସୀୟ ଅମ୍ଳଜାନ ସୁବିଧା ସହିତ ୨୫୦୦ ଅତିରିକ୍ତ ଶଯ୍ୟା ସ୍ଥାପନ କରିବ ସେଲ

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ତଥା କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ) ଗ୍ୟାସୀୟ ଅମ୍ଳଜାନ ସୁବିଧା ସହିତ ୨୫୦୦ ଶଯ୍ୟା ବିଶିଷ୍ଟ ଜୁମ୍ବୋ ଚିକିତ୍ସା ସୁବିଧା ସ୍ଥାପନ କରିବାକୁ ଯୋଜନା କରୁଛି।  ଏହି ସୁବିଧା ସେଲର ପାଞ୍ଚଟି ସମନ୍ଵିତ ଇସ୍ପାତ କାରଖାନା – ଭିଲାଇ (ଛତିଶଗଡ), ରାଉରକେଲା (ଓଡିଶା), ବୋକାରୋ (ଝାରଖଣ୍ଡ), ଦୁର୍ଗାପୁର ଏବଂ ବର୍ନପୁର (ପଶ୍ଚିମବଙ୍ଗ) ରେ ଉପଲବ୍ଧ ଥିବା ସୁବିଧା ସହିତ ଅତିରିକ୍ତ ରୂପେ ଉପଲବ୍ଧ ହେବ।

ବର୍ତ୍ତମାନ ଉପଲବ୍ଧ ସେଲ ଡାକ୍ତରଖାନା ସୁବିଧା ଗୁଡିକର ବାହାରେ ଏହି ଜୁମ୍ବୋ ସୁବିଧା ନିର୍ମାଣ କରିବାକୁ ଯୋଜନା କରାଯାଇଛି ।  ଆହୁରି ମଧ୍ୟ ସେଲ ଡାକ୍ତରଖାନାଗୁଡିକରେ ତରଳ ମେଡିକାଲ ଅମ୍ଳଜାନରୁ ଗ୍ୟାସୀୟ ଅମ୍ଳଜାନରେ ରୂପାନ୍ତରଣର ସାଂପ୍ରତିକ ବ୍ୟବସ୍ଥା ପରିବର୍ତ୍ତେ, ଏହି ଜୁମ୍ବୋ ସୁବିଧାରେ ଅମ୍ଳଜାନ ବ୍ୟବହାର ପାଇଁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଣ ନିମନ୍ତେ ଏକ ସ୍ଵତନ୍ତ୍ର ଉତ୍ସର୍ଗୀକୃତ ଗ୍ୟାସ ଲାଇନ ବ୍ୟବସ୍ଥା ରହିବ। ବର୍ତ୍ତମାନ ତରଳ ମେଡିକାଲ ଅମ୍ଳଜାନର ଚାହିଦା ବହୁତ ଅଧିକ ରହିଥିବା ପରିପ୍ରେକ୍ଷୀରେ  ଭାରତ ସରକାରଙ୍କ ପରାମର୍ଶରେ ସେଲ ସିଧାସଳଖ ରୂପେ ଗ୍ୟାସୀୟ ଅମ୍ଳଜାନ ବ୍ୟବହାର କରିବା ନିମନ୍ତେ ଏହାକୁ ଏକ ଅତିରିକ୍ତ ଉତ୍ସ ରୂପେ ଉପଯୋଗ କରିବ ।

ଏହି ୨୫୦୦ ଶଯ୍ୟା ସଂପୃକ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ପର୍ଯ୍ୟାୟକ୍ରମେ ବିକଶିତ ହେବ। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୭୦୦ ଶଯ୍ୟା ସ୍ଥାପନ କରିବ, ଯାହାକୁ ପରବର୍ତ୍ତୀ ସମୟରେ ପାଞ୍ଚଟି ସ୍ଥାନରେ ୨୫୦୦କୁ ବୃଦ୍ଧି କରାଯିବ।

ସମ୍ପ୍ରତି ସେଲର ପାଞ୍ଚଟି ଡାକ୍ତରଖାନାରେ ୩୦୦୦ ଶଯ୍ୟା ଉପଲବ୍ଧ ରହିଛି ଏବଂ ତନ୍ମଧ୍ୟରୁ ପ୍ରାୟ ୪୫% ଶଯ୍ୟା କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରଖାଯାଇଛି ।

ସମ୍ବନ୍ଧିତ ଖବର