ହନୁମାନ ପଇସା ପାଇଁ ଅପହରଣର ରୋଚକ ମୋଡ଼, ଅପହର୍ତ୍ତାମାନଙ୍କ ସହ ଗିରଫ ହେଲେ ଅପହୃତ

ସୁନ୍ଦରଗଡ଼: ଦୁଇ ଦିନ ତଳେ ପୁରୀରେ ଓନିଡା, କୋଣାର୍କ ପରି ପୁରୁଣା ଟିଭିକୁ ନେଇ କୋଟି କୋଟି ଟଙ୍କାର ବେଟିଂ କଥା ଚର୍ଚ୍ଚାକୁ ଆସିଥିଲା। ଟିଭିରେ ଲାଗିଥିବା ନାଲି ବଲବ୍‌ ପାଇଁ ୫୦ ଲକ୍ଷରୁ କୋଟିଏ ଟଙ୍କା ଦେବାକୁ କ୍ରେତା ପ୍ରସ୍ତୁତ ଥିବା କୁହାଯାଇଥିଲା। ପୁରୀର ପୁରୁଣା ଟିଭି ପରି ସୁନ୍ଦରଗଡ଼ରୁ ହନୁମାନ ପଇସାକୁ ନେଇ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ହନୁମାନ ପଇସା କିଣାବିକାକୁ ନେଇ ଏକ ଅପହରଣ ଘଟଣା ଘଟିଥିବା ବେଳେ ସୁନ୍ଦରଗଡ଼ ଟାଉନପୁଲିସ ୭ଘଣ୍ଟାର କସରତରେ ମାମଲାର କୌତୁହଳପ୍ରଦ ଅନ୍ତ ଘଟାଇ ୭ ଜଣ ଅପହର୍ତ୍ତାଙ୍କ ସହ ଅପହୃତ ଯୁବକ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଅପହର୍ତ୍ତାମାନେ ହେଲେ ଶ୍ରବଣ କୁମାର ପାତ୍ର (୨୪), ରାକେଶ କୁମାର ଶର୍ମା (୨୬), ସୁରେଶ କୁମାର ରାଉତ (୩୮), ଲିଙ୍ଗରାଜ ସୁହୁଡ଼ା (୨୭), ଅଗସ୍ତି କୁମାର ମିଶ୍ର (୩୦), ଦେବ ବାରଭୂୟାଁ (୨୫), ତପନ କୁମାର ବାଘ (୩୩)। ସେହିପରି ଅନ୍ୟପକ୍ଷର ଗିରଫ ବ୍ୟକ୍ତିମାନେ ହେଲେ ଅପହୃତ ମାଧବ ମିଞ୍ଜ ଓ ତାଙ୍କ ସହଯୋଗୀ ବଣ୍ଟି ସାହୁ (୨୭)ଓ ସନିକ କୁମାର (୩୩)। ଅପହରଣକାରୀଙ୍କ ଠାରୁ ପୁଲିସ ଗୋଟିଏ କାର୍‌, ଗୋଟିଏ ବାଇକ୍‌, ନଗଦ ୨.୧୫ ଲକ୍ଷ ଟଙ୍କା ଓ ୨ଟି ‌ମୋବାଇଲ ଜବତ କରିଛି।

ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଅଭିଯୋଗର ମାତ୍ର ୭ ଘଣ୍ଟା‌ ମଧ୍ୟରେ ପୁଲିସ ମାମଲାର ପର୍ଦ୍ଦାଫାସ କରିବା ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସାଧାରଣରେ ପ୍ରଶଂସନୀୟ ହୋଇଛି। ଜିଲ୍ଲାରେ ହନୁମାନ ପଇସା କିଣାବିକାକୁ ନେଇ ଅତୀତରେ ଗଣ୍ଡଗୋଳ, ମାଡ଼ପିଟ ପରି ଘଟଣା ଘଟିଥିଲେ ମଧ୍ୟ ଏଥିପାଇଁ ଅପହରଣ ଓ ମାମଲା ଥାନାରେ ପହଞ୍ଚିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ମାମଲା ଥିଲା ଏମିତି, ସେପ୍ଟେମ୍ବର ୧୫ ତାରିଖ ଦିନ ୧୧ଟା ୪୫ରେ ସୁନ୍ଦରଗଡ଼ ସହର ପତ୍ରାପଡ଼ାସ୍ଥିତ ବଣ୍ଟି ସାହୁ ଟାଉନଥାନାରେ ପହଞ୍ଚି ଏତଲା ଦେଇଥିଲେ ଯେ, ୧୪ ତାରିଖ ଅପରାହ୍ନ ୪ଟା ୪୫ରେ ତାଙ୍କ ବନ୍ଧୁ ସୁବଲୟାର ମାଧବ ମିଞ୍ଜ (୨୯) ଓ ସେ କିରେଇ ଅଞ୍ଚଳରେ ଥିବା ବେଳେ ୫ ଜଣ ଦୁର୍ବୃତ୍ତ କାର୍‌ ଯୋଗେ (ଓଡି-୧୬ଇ ୦୫୦୪) ଆସି ମାଧବଙ୍କୁ ଜବରଦସ୍ତ ଅପହରଣ କରି ନେଇଯାଇଛନ୍ତି। ସେ ଛଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ଏହା ପରେ ସେ ସେମାନଙ୍କ ସନ୍ଧାନ ନେବାକୁ ଚେଷ୍ଟା କରି ବିଫଳ ହୋଇ ପୁଲିସକୁ ସୂଚନା ଦେବାକୁ ସ୍ଥିର କରିଥିଲେ।

କିନ୍ତୁ ରାତି ୮ଟାରେ ଏକ ମୋବାଇଲ୍‌ରୁ ତାଙ୍କ ପାଖକୁ କଲ୍‌ ଆସିଥିଲେ, ଯେଉଁଥିରେ ଅପହର୍ତ୍ତାମାନେ ମାଧବ ମିଞ୍ଜଙ୍କୁ ଛାଡ଼ିବା ପାଇଁ ୬ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ପରେ ଭିନ୍ନ ଭିନ୍ନ ସମୟରେ ଦୁଇ ଥର କଲ୍‌ କରି ୧୦ ଲକ୍ଷ ଓ ୨୦ ଲକ୍ଷ ଦାବି କରିଥିବା ଅଭିଯୋଗକାରୀ ବଣ୍ଟି ସାହୁ ଏତଲାରେ ଦର୍ଶାଇଥିଲେ। ତେବେ ସେ ରାତିରେ ଥାନାକୁ ନଯାଇ ପରଦିନ ୧୧ଟା ୪୫ରେ ଅପହରଣ ସମ୍ପର୍କରେ ଏତଲା ଦେବା ପରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ନାଥ ମାମଲାର ତନାଘନା ପାଇଁ ତତ୍ପରତା ପ୍ରକାଶ କରିଥିଲେ। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଟାଉନଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ବଳ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ସାଇବର୍‌ ସେଲ୍‌ର ସହଯୋଗରେ ଅପହୃତ ଶ୍ରୀ ମିଞ୍ଜ ଓ ୪ ଜଣ ଅପହର୍ତ୍ତାଙ୍କୁ ଧରୁଆଡିହି ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଧରା ଯାଇଥିଲା। ଅନ୍ୟ ୩ ଜଣ ଲେଫ୍ରିପଡ଼ା ଓ ସଦରଥାନା ଅଞ୍ଚଳରୁ ଧରାପଡ଼ିଥିଲେ। ତେବେ ଅପହର୍ତ୍ତାମାନେ ଧରାପଡ଼ିବା ପରେ ହନୁମାନ ପଇସା କଥା ସାମ୍ନାକୁ ଆସିଥିଲା। ଗିରଫ ଅପହର୍ତ୍ତା ଶ୍ରବଣ କୁମାର ପାତ୍ରଙ୍କ ଅଭିଯୋଗକ୍ରମେ ୧୫ ଦିନ ତଳେ ମାଧବ ମିଞ୍ଜଙ୍କ ସହ ତାଙ୍କର ହନୁମାନ ପଇସା ପାଇଁ ୬ ଲକ୍ଷ ଟଙ୍କାର ଚୁକ୍ତି ହୋଇଥିଲା। ମାଧବ ଅଗ୍ରୀମ ବାବଦକୁ ୩ ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଏହା ପରେ ଆଉ ଧରାଛୁଆଁ ଦେଇ ନଥିଲା। ନା ହନୁମାନ ପଇସା ଦେଲା ନା ଟଙ୍କା ଫେରାଇଲା। ଶେଷକୁ ଗତ ସେପ୍ଟେମ୍ବର ୧୦ରେ ୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ସେ ଟାଉନଥାନାରେ ଏତଲା ଦେଇଥିଲେ। କିନ୍ତୁ ଏତଲାରେ ଶ୍ରବଣ ହନୁମାନ ପଇସା କଥା ଉଲ୍ଲେଖ କରି ନଥିଲେ। ପୁଲିସ ଠକେଇ ମାମଲାର ତଦନ୍ତ କରୁଥିବା ବେଳେ ଗତକାଲି ଶ୍ରବଣ କୁମାରଙ୍କ ଦ୍ବାରା ସଂଘଟିତ ହୋଇଥିଲା ଅପହରଣ।

କ’ଣ ଏହି ହନୁମାନ ପଇସା
ରଣା ସାପ, କଳା ବିଲେଇ, ପୁରୁଣା ଟିଭି, ପୁରୁଣା ରେଡିଓ ପରି ହନୁମାନ ପଇସା ବିକ୍ରି ମଧ୍ୟ ଏକ ଗୁଜବ। ଅଷ୍ଟଧାତୁରେ ତିଆରି ହନୁମାନ ଛାପ ଥିବା ପଇସା କୁଆଡ଼େ ସର୍ବଶକ୍ତିର ଅଧିକାରୀ ବୋଲି ବିଶ୍ବାସ ରହିଛି। ବିଶେଷ କରି ଏଥିରେ ଥିବା ମ୍ୟାଗନେଟ ସୁନା ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ବେଳେ କାମକୁ ଆସିଥାଏ। ଏହା ପାଖରେ ଥିଲେ ବିମାନ ବନ୍ଦରରେ ସୁରକ୍ଷା କର୍ମଚାରୀଙ୍କ ଯାଞ୍ଚରେ ସୁନା, ଅସ୍ତ୍ରଶସ୍ତ୍ର ଧରା ପଡ଼ି ନଥାଏ ବୋଲି ଧାରଣା ରହିଛି। କିନ୍ତୁ ଏଯାଏ କିଏ କେଉଁଠି ହନୁମାନ ପଇସା ପାଇଥିବା କି ବିକିଥିବା ଜଣାପଡ଼ି ନାହିଁ। ଏହା ଏକ ତୁଚ୍ଛା ଗୁଜବ ଓ ଟଙ୍କା ଲୋଭରେ ଯୁବପିଢ଼ି ଏଥିରେ ମାତି ଅନେକ ସମୟରେ ଠକେଇରେ ପଡ଼ୁଥିବା ଓ ଏପରି ଅପହରଣର ସମ୍ମୁଖୀନ ହେଉଥିବା ପ୍ରକାଶ ପାଇଛି। ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ଏ ସମ୍ପର୍କରେ ସଚେତନ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର