ବହୁ ଚର୍ଚ୍ଚିତ ଶିବାଙ୍ଗୀ ହତ୍ୟା ମାମଲା :ସ୍ୱାମୀ ଅବିନାଶଙ୍କ ଜାମିନ ଖାରଜ

ବଡ଼ଗାଁ: ବହୁ ଚର୍ଚ୍ଚିତ ଶିବାଙ୍ଗୀ ହତ୍ୟା ମାମଲାରେ ଗିରଫ ସ୍ୱାମୀ ଅବିନାଶ ଖେମକାଙ୍କ ଜାମିନ୍‌ ଆବେଦନ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଖାରଜ୍‌ ହୋଇଯାଇଛି। ପୁଲିସର ଦୀର୍ଘ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ପରେ ଅଭିଯୁକ୍ତ ଅବିନାଶ  ଦ୍ୱିତୀୟ ଥର ପାଇଁ କୋର୍ଟରେ ଜାମିନ ଆବେଦନ କରିଥିଲେ। ବଡ଼ଗାଁର ବ୍ୟବସାୟୀ ଦିଲୀପ ଅଗ୍ରଓ୍ଵାଲଙ୍କ ଝିଅ ଶିବାଙ୍ଗୀଙ୍କ ରାଇରଙ୍ଗପୁର ଧରମଗଳି (ପିଛିଲଘାଟି ବସ୍ତ) ଓ୍ଵାର୍ଡନଂ ୬ ବିଶିଷ୍ଟ ବିଲ୍ଡର ରାମଗୋପାଳ ଖେମ୍‌କାଙ୍କ ପୁଅ ଅବିନାଶ ଖେମ୍‌କାଙ୍କ ସହ ୨୦୧୪ ଏପ୍ରିଲ ୨୮ରେ ବିବାହ ହୋଇଥିଲା। ହେଲେ ଶିବାଙ୍ଗୀ କାମାନ୍ଧ ଶ୍ୱଶୂର ରାମଗୋପାଳଙ୍କ ଶିକାର ହୋଇଥିଲେ। ଶ୍ୱଶୂର ସୁଯୋଗ ଉଣ୍ଡି ଦିନେ  ଶିବାଙ୍ଗୀଙ୍କୁ ଦୁଷ୍କର୍ମ କରିଥିଲେ।

ଲାଜ ଓ ଭୟରେ ଶ୍ୱଶୂରଙ୍କ ଏଭଳି କୁକର୍ମ ସମ୍ପର୍କରେ କାହାକୁ କହି ପାରି ନଥିଲେ ସେ। ହେଲେ କିଛି ଦିନ ଅନ୍ତରରେ ପୁଣି ଘଟଣାର ପୁନରାବୃତ୍ତି ହେବାରୁ ଶିବାଙ୍ଗୀ ବାଧ୍ୟ ହୋଇ ଶାଶୁ ସୁନିତାଙ୍କୁ କହିଥିଲେ। ହେଲେ ଶାଶୁ ଚୁପ୍‌ ରହିଥିଲେ। ଶ୍ୱଶୂରଙ୍କ କାମ ପିପାସା ବଢ଼ି ବଢ଼ି ଚାଲିଥିଲା। ଅତିଷ୍ଠ ଶିବାଙ୍ଗୀ ଶେଷକୁ ସ୍ୱାମୀ ଅବିନାଶଙ୍କୁ ସବୁ ଘଟଣା ଜଣାଇ ଦେଇଥିଲେ। ହେଲେ ସ୍ୱାମୀ ବିଶେଷ କିଛି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ଘଟଣାର ମାତ୍ର କିଛି ଦିନ ଆଗରୁ ପରିବାରର ସମସ୍ତଙ୍କୁ ୩ ଦିନ ପାଇଁ ହାଇଦ୍ରାବାଦ ପଠାଇ ଦେଇ ଶ୍ୱଶୂର ଶିବାଙ୍ଗୀ ଠାରେ ବାରମ୍ବାର ନିଜ କାମ ପିପାସା ମେଣ୍ଟାଇଥିଲେ। ଶେଷକୁ ଗତ ଜାନୁଆରି ୧୧ରେ ଶିବାଙ୍ଗୀ ବଡ଼ଗାଁରେ ରହୁଥିବା ନିଜ ମାଈଁଙ୍କୁ ଏସ୍‌ଏମ୍‌ଏସ୍‌ କରି ସବୁ କଥା ଜଣାଇ ଦେଇଥିଲେ। ଏହା ଜାଣି ପାରି ଉତ୍‌କ୍ଷିପ୍ତ ଶ୍ୱଶୂର ରାମଗୋପାଳ ତାଙ୍କୁ ମାରିଦେବାକୁ ଯୋଜନା କରିଥିଲେ।  ୧୨ ତାରିଖ ରାତିରେ ଶେଷ ଥର ପାଇଁ ପୁଣି ନିଜ କାମ ପିପାସା ମେଣ୍ଟାଇବା ପରେ ରାମଗୋପାଳ ଶିବାଙ୍ଗୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ୧୩ ତାରିଖ ରାତିରେ ଜାମସେଦପୁର ଟାଟା ମେମୋରିଆଲ ହସ୍ପିଟାଲରେ ତାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏହା ପରେ ପୁଲିସ ଶ୍ୱଶୁର, ଶାଶୁ, ସ୍ୱାମୀ ଓ ନଣନ୍ଦଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର