ବଣାଇଗଡ଼: ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗାଁ ଛକରେ ଏକ ଦୋକାନ ଭିତରକୁ ବଲେରୋ ପଶିଯିବାରୁ ସଂପୃକ୍ତ ଦୋକାନୀ ଆହତ ହୋଇଛନ୍ତି। ଦୋକାନରେ ଥିବା ଅନ୍ୟ ଗ୍ରାହକମାନେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଘଟଣାରୁ ପ୍ରକାଶ ଯେ ନରେନ୍ଦ୍ରରୁ ବଣାଇ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଓଡ଼ି୧୪ଏଏ ୦୮୧୦ ବଲେରୋଟି କେନ୍ଦ୍ରିକଳା ଛକରେ ନିୟନ୍ତ୍ରଣ ହରାଇ ବିନ‌ୋଦ ବେହେରାଙ୍କ ଦୋକାନ ଭିତରକୁ ପଶିଯାଇଥିଲା। ଦୋକାନ ଘରର କାନ୍ଥ ଭାଙ୍ଗିଯିବା ସହ ଆସବାବପତ୍ର ନଷ୍ଟ ହୋଇଥିଲା। ଏଥିରେ ଦୋକାନୀଙ୍କ ସମେତ ଘର ଲୋକେ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ବୋଲେରୋରେ ଗାଡ଼ି ଚାଳକଙ୍କ ସମେତ ଦୁଇ ଜଣ ଯୁବକ ଥିବାବେଳେ ସମସ୍ତେ ମଦନିଶାରେ ଚୂର ଥିବା କହିଛନ୍ତି ସ୍ଥାନୀୟ ଲୋକେ। ମଦ୍ୟପ ଚାଳକ ଯୋଗୁ ବଲେରୋଟି ଦ୍ରୁତଗତିରେ ଆସି ଦୋକାନ ଭିତରକୁ ପଶିଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

Advertisment

ଦୋକାନୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ଖବର ପାଇ ବଣାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ଏହି ଛକ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାବେଳେ ଏଠାରେ ପୁଲିସ ପକ୍ଷରୁ ଚେକପୋଷ୍ଟ ଦେବାକୁ ଦାବି ହେଉଛି।