ସଟ୍‌ସର୍କିଟ୍‌ ନିଆଁରେ ଜଳି ଗଲେ ଅବସରପ୍ରାପ୍ତ ଆର୍‌ଏସ୍‌ପି କର୍ମଚାରୀ, ଜଳିଗଲା ଡ୍ରଇଂ ରୁମ୍‌, ବର୍ତ୍ତିଗଲେ ପତ୍ନୀ-ପୁଅ-ଝିଅ

ରାଉରକେଲା : ରାତି ପାହିଲେ ପରିବାର ସଦସ୍ୟ ଏକାଠି ଘରେ ପାଳିଥାନ୍ତେ ପହିଲି ରଜ। ରାତି ପାହିବାର ମାତ୍ର କେଇ ଘଣ୍ଟା ପୂର୍ବରୁ ଘଟିଥିଲା ଅଘଟଣ। ନିଘୋଡ ନିଦରେ ସପରିବାର ଶୋଇଥିଲାବେଳେ ବିଦ୍ୟୁତ ସଟ୍‌ସର୍କିଟରୁ ଜଳି ଯାଇଥିବା ଡ୍ରଇଂରୁମ୍‌। ଘରୁ ପଦାକୁ ବାହାରି ପୂର୍ବରୁ ଜଳିଯାଇଥିଲେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଅବସରପ୍ରାପ୍ତ କର୍ମଚାରୀ ବ୍ରଜମୋହନ ହାଁସଦା (୭୨)। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଆଇଜିଏଚ୍‌ରେ ଭର୍ତ୍ତି କରିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପତ୍ନୀ, ପୁଅ ଓ ଝିଅ।

ଏମିତି ଅଭାବନୀୟ ଘଟଣା ଘଟିଥିଲା ଗତକାଲି ରାତି ପ୍ରାୟ ୨ଟାରେ ସେକ୍ଟର-୮ ଡି ବ୍ଲକରେ। ସେକ୍ଟର-୭ ପୁଲିସ ଆଜି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଚଳାଇଛି। ଏଭଳି ଦୁଃଖଦ ଖବରକୁ ନେଇ ସେକ୍ଟର-୮ ଅଞ୍ଚଳରେ ‌ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନା ମୁତାବକ ବ୍ରଜମୋହନ ହାଁସଦା ଆର୍‌ଏସ୍‌ପି ଏସ୍‌ଏମ୍‌ଏସ୍‌-୧ ବିଭାଗର ସିନିୟର କ୍ରେନ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସପରିବାର ଆର୍‌ଏସ୍‌ପି କ୍ବାର୍ଟର୍ସରେ ରହୁଥିଲେ। ଗତ ୨୦୦୭ରେ ଚାକିରିରୁ ଅବସର ନେବା ପରେ ସେକ୍ଟର-୮, ଡି-୪୦୪ ଆର୍‌ଏସ୍‌ପି କ୍ବାଟ୍‌ର୍ସରେ ଭଡାରେ ପତ୍ନୀ, ପୁଅ ଓ ଝିଅ ସହ ରହି ଆସୁଥିଲେ।

ଲକ୍‌ଡାଉନ୍‌ କଟକଣା ପାଇଁ ପରିବାର ରଜ ଘରେ ରଜ ପାଳିବାକୁ ସମସ୍ତ ପ୍ରକାର ପିଠାପଣା ପ୍ରସ୍ତୁତ କରିଥିଲେ। ରାତିରେ ଖାଇପିଇ ସାରିବା ପରେ ବ୍ରଜମୋହନ ଡ୍ରଇଂ ରୁମ୍‌ରେ ଶୋଇଥିଲେ। ପତ୍ନୀ, ପୁଅ ଓ ଝିଅ ବେଡ୍‌ରୁମ୍‌ରେ ଶୋଇଥିଲେ। ରାତି ପ୍ରାୟ ୨ଟାରେ ବ୍ରଜମୋହନ ଶୋଇଥିବା ରୁମ୍‌ରେ ମିଟରରେ ବିଦ୍ୟୁତ୍‌ ସଟ୍‌ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ସମସ୍ତ ନିଘୋଡ ନିଦରେ ଶୋଇଯାଇଥିବାରୁ କେହି କିଛି ଜାଣି ପାରି ନଥିଲେ। ବିଦ୍ୟୁତ୍‌ ମିଟରକୁ ସଂଯୋଗ କରୁଥିବା ତାର ଜଳି ପ୍ଲାଷ୍ଟିକ୍‌ ଚେୟାର ଉପରେ ପଡିଥିଲା। ଫଳରେ ପ୍ଲାଷ୍ଟିକ୍‌ ଚେୟାର ଜଳିବା ସହ ଟିଭି, ଅନ୍ୟାନ୍ୟ ଆସବାବପତ୍ର ଜଳି ଯିବା ସହ ସମଗ୍ର ରୁମ୍‌କୁ ନିଆଁ ବ୍ୟାପି ଯାଇଥିଲା। ଶୋଇଥିବା ଗଦିରେ ନିଆଁ ଲାଗିଯିବା ପରେ ଗରମ ତାପରେ ନିଦରେ ଶୋଇଥିବା ବ୍ରଜମୋହନ ବେଡ୍‌ରୁ ଉଠି ପଡି ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ। ବେଡ୍‌ ରୁମ୍‌କୁ ନିଆଁ ନ ବ୍ୟାପିବାକୁ ଶୋଇଥିବା ରୁମ୍‌ର ଭିତରକୁ ପଟୁ କବାଟ ବନ୍ଦ କରି ଦେଇଥିଲେ। ଘରୁ ବାହାରିବା ପୂର୍ବରୁ ଦେହରେ ୯୦% ଜଳି ଯାଇଥିଲା। କୌଣସି ମତେ ଘରୁ ପଦାକୁ ବାହାରି ଆସି ଯନ୍ତ୍ରଣାରେ ଚିତ୍କାର କରିଥିଲେ। ବେଡ୍‌ରୁମ୍‌ରେ ଶୋଇଥିବା ପତ୍ନୀ, ପୁଅ ଓ ଝିଅ ଘରର ପଛପାର୍ଶ୍ବ ଦେଇ ପଦାକୁ ବାହାରି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେକ୍ଟର-୭ ଥାନା ପୁଲିସ ଗୁରୁତର ବ୍ରଜମୋହନକୁ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର