ମାଟ୍ରିକ୍‌ ବୋର୍ଡରେ ଛାତ୍ରୀ ଆଗରେ: ଜଗଦା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶ୍ରୁତି ପଣ୍ଡା ସୁନ୍ଦରଗଡ଼ ଜିଲ୍ଲା ଟପ୍ପର

ରାଉରକେଲା: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ପାସ୍‌ହାର ୯୭.୨୪ ପ୍ରତିଶତ ରହିଛି। ଏହାସହ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟର ଅନ୍ୟ ଜିଲ୍ଲା ପାସ୍‌ହାର ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ଏଥର ଜିଲ୍ଲାର ୨୪,୬୩୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ବୋର୍ଡ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ତେବେ କୌଣସି କାରଣରୁ ୩୨୩ ଜଣ ଅନୁପସ୍ଥିତ ରହିବାରୁ ମୋଟ୍‌ ୨୪,୩୧୫ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୨୩,୯୫୯ ଜଣ ପାସ୍‌ କରିଥିବାବେଳେ ୩୫୨ ଜଣ ଫେଲ୍‌ ହୋଇଛନ୍ତି। ସର୍ବାଧିକ ୫୬୩ ମାର୍କ(୯୩.୮୩%) ରଖି ଜଗଦା ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶ୍ରୁତି ପଣ୍ଡା ଜିଲ୍ଲା ଟପ୍ପର ହୋଇଛନ୍ତି।
ଚଳିତବର୍ଷ ଜିଲ୍ଲାର ୧୮ ଜଣ ଛାତ୍ରଛାତ୍ରୀ ଏ-୧’ ଗ୍ରେଡ୍‌ ପାଇଥିବାବେଳେ ୧୭୮ ଜଣ ଏ-୨’ ଗ୍ରେଡ୍‌, ୮୩୮ ଜଣ ବି-୧’, ୨୫୮୭ ଜଣ ବି-୨’, ୬୫୯୭ ଜଣ ସି’, ୮୪୬୩ ଜଣ ଡି’ ଓ ୫୨୭୮ ଜଣ ଇ’ ଗ୍ରେଡ୍‌ ପାଇଛନ୍ତି। ଏ-୧’ ଗ୍ରେଡ୍‌ ପାଇଥିବା ଜିଲ୍ଲାର ଛାତ୍ରଛାତ୍ରୀମାନେ ହେଉଛନ୍ତି,-ଜଗଦା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶ୍ରୁତି ପଣ୍ଡା(୫୬୩), ଶୁଭମ ନାୟକ(୫୪୦), ଆୟୂଷ ସାହୁ(୫୪୭), ସେକ୍ଟର-୬ସ୍ଥ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନିବେଦିତା ନାଏକ(୫୫୨), ହର୍ଷିତା ପଣ୍ଡା(୫୫୨), ଶୁଭଶ୍ରୀ ଦାଶ(୫୫୨), ପ୍ରଗତି ମିଶ୍ର(୫୫୨), ସୋୟମ କୁମାର ନନ୍ଦୀ(୫୪୯), ଚର୍ଚ୍ଚିତା ନାଏକ(୫୪୯), ସ୍ବାତୀ ସୁମନ ରାଉତ(୫୪୦), ‌ରାଉରକେଲା ସେକ୍ଟର-୩ସ୍ଥ ବାଜି ରାଉରତ ଶିକ୍ଷାନିକେତନର ଅବିନାଶ ବାରିକ(୫୫୨), ଜିତେନ୍ଦ୍ର କୁମାର ବିଶ୍ବାଳ(୫୪୫), ଛେଣ୍ଡ୍‌ ପବ୍ଲିକ ସ୍କୁଲ(ରାଉରକେଲା)ର ସଂଘମିତ୍ରା ସାହୁ(୫୫୨), ସୁନ୍ଦରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆୟୂଷ ପଟେଲ(୫୫୨), ଓମ୍‌କାର ପୁରୋହିତ(୫୪୦), କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ସାଜିତ କେ‌ରକେଟା(୫୪୭), ତରକେରା ଉଚ୍ଚ ବିଦ୍ୟାଳୟର ସ୍ନେହା ସାହୁ(୫୫୧) ଓ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟର ଅର୍ଚ୍ଚିତା ସାହୁ(୫୫୨)।
ଜିଲ୍ଲା ଟପ୍ପର ଶ୍ରୁତିଙ୍କ ମୁହଁରୁ
‘ଏହି ସଫଳତା ପାଇଁ ପିତା-ମାତା ଓ ଶିକ୍ଷକଶିକ୍ଷ୍ରିତ୍ରୀଙ୍କୁ ଶ୍ରେୟ ଦେବି। ୯୫%ରୁ ଅଧିକ ମାର୍କ ରଖିବିବୋଲି ଆଶା କରୁଥିଲି। କିନ୍ତୁ ଇଂରାଜୀ ଓ ବିଜ୍ଞାନରେ ଆଶାନୁରୂପ ମାର୍କ ପାଇଲିନି। ତେବେ ଏଥିରେ ନିରୁତ୍ସାହିତ ନୁହେଁ। ସଂପ୍ରତି ଯୁକ୍ତ ଦୁଇରେ ବିଜ୍ଞାନ ପଢ଼ିବି। ଏହାପରେ ଏକ ପ୍ରତିଷ୍ଠିତ ଆଇଆଇଟିରେ ଉଚ୍ଚଶିକ୍ଷା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସ୍କୁଲ ଶିକ୍ଷାପରେ ଦୈନିକ ୪/୫ ଘଣ୍ଟା ପଢ଼ୁଥିଲି। ଯଦି ଜଣେ ନବମ ଶ୍ରେଣୀରୁ ଶୃଙ୍ଖଳିତଭାବେ ନିଷ୍ଠାପର ପରିଶ୍ରମ ଜାରି ରଖିବ, ତା’ହେଲେ ସଫଳତା ମିଳିବା ନିଶ୍ଚିତ। କ୍ଲାସ୍‌ରୁମ୍‌ରେ ଯଦି କୌଣସି ସନ୍ଦେହ ରୁହେ, ତା’ହେଲେ ସଙ୍ଗେସଙ୍ଗେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିନେବା ଆବଶ୍ୟକ। ଅନ୍ୟଥା ଦ୍ବନ୍ଦ୍ବ ରହିବା ସହ ଉକ୍ତ ବିଷୟରେ ଜଣେ ସଂପୂର୍ଣ୍ଣ ଜ୍ଞାନ ଆହରଣ କରିପାରିବ ନାହିଁ।
ସମ୍ବନ୍ଧିତ ଖବର