ପାଣିରେ ଭସେଇଦେଲେ ସାଢ଼େ ୪ କୋଟି, ଅଚଳ ସୋଲାର୍‌ ଡୁଆଲ ପମ୍ପ୍‌ ସଜାଡ଼ିଲେନି

ରାଉରକେଲା: ଜିଲ୍ଲାରେ ସରକାରୀ ଅର୍ଥର ଅପବ୍ୟୟ ପ୍ରଥା, ବେଶ୍‌ ପୁରୁଣା। ଜିଲ୍ଲାର ମାଳମାଳ ଅଧପନ୍ତରିଆ ପ୍ରକଳ୍ପ, ପ୍ରକଳ୍ପର ସ୍ଥିତାବସ୍ଥାକୁ ଦେଖିଲେ, କିଭଳି ସରକାରୀ ଅର୍ଥକୁ ଅପବ୍ୟୟ କରାଯାଉଛି ତାହା ସ୍ପଷ୍ଟ ବାରି ହୋଇପଡ଼େ। ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଡିଭିଜନ)ର କାର୍ଯ୍ୟକଳାପକୁ ଦେଖିଲେ, ଏମାନେ ଯେ ସୀମା ଲଂଘିଯାଇଛନ୍ତି ଏଥିରେ ଦ୍ବିମତ ନାହିଁ। ପ୍ରାୟ ସାଢ଼େ ୪ କୋଟି ବ୍ୟୟରେ ନିର୍ମିତ ସୋଲାର ଡୁଆଲ ପମ୍ପ୍‌ ଏବେ ଅଚଳ ହୋଇପଡ଼ିଛି। ସାମାନ୍ୟ ମରାମତି କରାନଯିବାରୁ ଏହା ଏବେ ବ୍ୟବହାର ଅନୁପଯୁକ୍ତ। ମୋଟାମୋଟିଭାବେ କହିବାକୁ ଗଲେ ବିଭାଗୀୟ କର୍ତୃପକ୍ଷ ପ୍ରାୟ ସାଢ଼େ ୪ କୋଟି ସରକାରୀ ଅନୁଦାନକୁ ପାଣିରେ ଭସେଇ ଦେଇଛନ୍ତି।

ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ଏକାଧିକ ସୌରଶକ୍ତି ପରିଚାଳିତ ଡୁଆଲ ପମ୍ପ୍‌ ସ୍ଥାପନ କରାଯାଇଛି। ତେବେ ରକ୍ଷଣାବେକ୍ଷଣର ଅଭାବ ତଥା ମରାମତି କରାଯାଉନଥିବାରୁ ଏଥିମଧ୍ୟରୁ ଏବେ ୧୧୬ଟି ଅଚଳ। ଏହି ୧୧୬ଟି ଡୁଆଲ ପମ୍ପ୍‌ ବାବଦକୁ ମୋଟ୍‌ ୪ କୋଟି ୫୦ ଲକ୍ଷ ୬୨ ହଜାର ୧୦୪ ଟଙ୍କା ବ୍ୟୟ କରାଯାଇଛି। ବାଲିଶଙ୍କରା ବ୍ଲକରେ ୧୬ ଲକ୍ଷ ୫୨ ହଜାର ୨୯୫ ଟଙ୍କାରେ ନିର୍ମିତ ୫ଟି ଡୁଆଲ ପମ୍ପ୍‌ ଅକାମି ହୋଇପଡ଼ିଛି। ସେହିଭଳି ବିଶ୍ରା ବ୍ଲକରେ ୨୫ ଲକ୍ଷ, ୬୧ ହଜାର ୬୦୯ ଟଙ୍କାରେ ନିର୍ମିତ ୬ଟି ଡୁଆଲ ପମ୍ପ୍‌, ବଣାଇଁରେ ୧୪ ଲକ୍ଷ ୪୮ ହଜାର ୪୨୭ ଟଙ୍କାରେ ନିର୍ମିତ ୪ଟି, ଗୁରୁଣ୍ଡିଆରେ ୫୬ ଲକ୍ଷ ୭ ହଜାର ୩୧୮ ଟଙ୍କାରେ ନିର୍ମିତ ୧୩ଟି, ହେମଗିରରେ ୯ ଲକ୍ଷ ୯୧ ହଜାର ୩୭୭ ଟଙ୍କାରେ ନିର୍ମିତ ୩ଟି, କୋଇଡ଼ାରେ ୨୮ ଲକ୍ଷ ୬୯ ହଜାର ୮୦୪ଟଙ୍କାରେ ନିର୍ମିତ ୮ଟି, କୁଆରମୁଣ୍ଡାରେ ୪୪ ଲକ୍ଷ ୫୮ ହଜାର ୪୨୭ ଟଙ୍କାରେ ନିର୍ମିତ ୧୧ଟି, କୁତ୍ରାରେ ୯ ଲକ୍ଷ ୧୪ ହଜାର ୧ଶହ ଟଙ୍କାରେ ନିର୍ମିତ ୨ଟି, ଲହୁଣୀପଡ଼ାରେ ୪୭ ଲକ୍ଷ ୭୦ ହଜାର ୪୯୫ ଟଙ୍କାରେ ନିର୍ମିତ ୧୨ଟି, ଲାଠିକଟାରେ ୫୬ ଲକ୍ଷ ୪୦ ହଜାର ୬୭ ଟଙ୍କାରେ ନିର୍ମିତ ୧୬ଟି, ଲେଫ୍ରିପଡ଼ାରେ ୯ ଲକ୍ଷ ୯୧ ହଜାର ୩୭୭ ଟଙ୍କାରେ ନିର୍ମିତ ୩ଟି, ନୂଆଗାଁରେ ୭୮ ଲକ୍ଷ ୭ ହଜାର ୫୪୫ ଟଙ୍କାରେ ନିର୍ମିତ ୧୯ଟି, ରାଜଗାଙ୍ଗପୁରରେ ୧୦ ଲକ୍ଷ ୯୦ ହଜାର ୯୧୮ ଟଙ୍କାରେ ନିର୍ମିତ ୩ଟି, ସବଡେଗାରେ ୬ ଲକ୍ଷ ୬୦ ହଜାର ୯୧୮ ଟଙ୍କାରେ ନିର୍ମିତ ୨ଟି, ସୁନ୍ଦରଗଡ଼ ସଦର ବ୍ଲକରେ ୧୯ ଲକ୍ଷ ୫୦ ହଜାର ୯୧୮ ଟଙ୍କାରେ ନିର୍ମିତ ୫ଟି ଏବଂ ଟାଙ୍ଗରପଲ୍ଲୀ ବ୍ଲକରେ ୧୬ ଲକ୍ଷ ୪୭ ହଜାର ୫୦୯ ଟଙ୍କାରେ ନିର୍ମିତ ୪ ଟି ସୋଲାର ଡୁଆଲ ପମ୍ପ୍‌ ଅଚଳ ହୋଇ ପଡ଼ିରହିଛି। କେବଳ ୧/୨ ବର୍ଷ ନୁହେଁ, ବରଂ ଗତ ୫ ବର୍ଷ ହେଲା ଏସବୁ ଡୁଆଲ ପମ୍ପ୍‌ ଅଚଳ। ଏସବୁ ଅଚଳ ହେବାର କାରଣ ବି ଅତି ନଗଣ୍ୟ। ସୋଲାର ପ୍ୟାନେଲ ଭାଙ୍ଗି ବୋର୍‌ୱେଲ୍‌ ଜାମ୍‌ ହେବା, ପ୍ୟାନେଲ ଅଚଳ ହେବା, ସୋଲାର ପ୍ୟାନେଲ ଚୋରି ହୋଇଯିବା, ବୋରୱେଲ ଧସିଯିବା, ମଡ୍ୟୁଲ୍‌, ମୋଟର ଖରାପ ହେବା, ପମ୍ପ୍‌, କଣ୍ଟ୍ରୋଲର, ଏମ୍‌ସିବି, କେବଲ୍‌, ସୋଲାର୍‌ ପିଭି ମଡ୍ୟୁଲ, ମଡ୍ୟୁଲ ଷ୍ଟାଣ୍ଡ୍‌ ହଜିଯିବା ଯୋଗୁଁ ଏହା ଅକାମି ହୋଇଯାଇଛି। ଆରମ୍ଭରୁ ପ୍ରାଥମିକତାର ସହ ସମସ୍ୟାର ସମାଧାନ କରାନଯିବାରୁ ପ୍ରାୟ ସାଢ଼େ ୪ କୋଟି ବ୍ୟୟର ୧୧୬ଟି ପ୍ରକଳ୍ପ ଏବେ ଖତ ଖାଉଛି।

ବ୍ଲକ ଅଚଳ ପ୍ରକଳ୍ପ ପ୍ରକଳ୍ପ ଖର୍ଚ୍ଚ

ବାଲିଶଙ୍କରା ୫ ୧୬,୫୨,୦୯୫
ବିଶ୍ରା ୬ ୨୫,୬୧,୬୦୯
ବଣାଇଁ ୪ ୧୪,୪୮,୪୨୭
ଗୁରୁଣ୍ଡିଆ ୧୩ ୫୬,୦୭, ୩୧୮
ହେମଗିର ୩ ୯,୯୧,୩୭୭
କୋଇଡ଼ା ୮ ୨୮,୬୯,୮୦୪
କୁଆରମୁଣ୍ଡା ୧୧ ୪୪,୫୮,୪୨୭
କୁତ୍ରା ୨ ୯,୧୪,୧୦୦
ଲହୁଣୀପଡ଼ା ୧୨ ୪୭,୭୦,୪୯୫
ଲାଠିକଟା ୧୬ ୫୬,୪୦,୦୬୭
ଲେଫ୍ରିପଡ଼ା ୩ ୯,୯୧, ୩୭୭
ନୂଆଗାଁ ୧୯ ୭୮,୦୭,୫୪୫
ରାଜଗାଙ୍ଗପୁର ୩ ୧୦,୯୦,୯୧୮
ସବଡେଗା ୨ ୬,୬୦,୯୧୮
ସଦର ୫ ୧୯,୫୦,୯୧୮
ଟାଙ୍ଗରପଲ୍ଲୀ ୪ ୧୬,୪୭,୫୦୯

ମୋଟ୍ ୧୧୬ ୪,୫୦,୬୨,୧୦୪

ସମ୍ବନ୍ଧିତ ଖବର