ରାଉରକେଲା: ରାଉରକେଲା ପାନପୋଷ ଛକ ନିକଟରୁ ଦୁଇ ଅନ୍ତଃରାଜ୍ୟ ନିଶାବେପାରୀଙ୍କୁ ଭୁବନେଶ୍ବର ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ସିଗିଡ଼ର ବିଟୁ ସିଂହ ମୁଣ୍ଡା (୪୬) ଏବଂ ରୋହିତ ମୁଣ୍ଡା (୪୯)। ସେମାନଙ୍କ ନିକଟରୁ ଏସ୍‌ଟିଏଫ୍‌ ଟିମ୍‌ ୧୦ କେଜି ୫୦୮ ଗ୍ରାମ୍‌ ଅଫିମ୍‌ ଜବତ କରିଛି। ଶୁକ୍ରବାର ଉଭୟଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ରାଉରକେଲା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଦୁହେଁ କେତେ ଦିନ ଧରି ନିଶାକାରବାର କରୁଥିଲେ, ଗ୍ୟାଙ୍ଗ୍‌ରେ ଆଉ କେଉଁମାନେ ଅଛନ୍ତି, ଏସ୍‌ଟିଏଫ୍‌ ତା’ର ଖୋଳତାଡ଼ କରୁଛି। ଏସ୍‌ଟିଏଫ୍‌ ସୂତ୍ର ଅନୁଯାୟୀ ଗିରଫ ଦୁଇ ନିଶା ବେପାରୀ ରାଜସ୍ଥାନରୁ ଚୋରାରେ ଅଫିମ୍‌ କିଣି ସୁନ୍ଦରଗଡ଼, ରାଉରକେଲା ଓ ଝାଡ଼ଖଣ୍ଡରେ ବିକ୍ରି ପାଇଁ ଆସୁଥିବା ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ଆଧାରରେ ଭୁବନେଶ୍ବର ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ସକାଳେ ରାଉରକେଲା ପାନପୋଷ ଛକ ନିକଟରେ ଚଢ଼ଉ କରି ଦୁଇ ନିଶାବେପାରୀଙ୍କୁ କାବୁ କରିଥିଲା। ଯାଞ୍ଚବେଳେ ସେମାନଙ୍କ ବ୍ୟାଗ୍‌ରୁ ୧୧ଟି ପ୍ୟାକେଟ୍‌ ଅଫିମ୍‌ ମିଳିଥିଲା। ଏସ୍‌ଟିଏଫ୍‌ ୧୧ପ୍ୟାକେଟ୍‌ ଅଫିମ୍‌ର ବିଲ୍‌ ଓ ଆବଶ୍ୟକୀୟ କାଗଜପତ୍ର ଦେଖାଇବାକୁ ଦୁଇ ବେପାରୀଙ୍କୁ କହିଥିଲା। ହେଲେ ଦୁହେଁ ଅଫିମ୍‌ର ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନଥିଲେ। ଘଟଣାସ୍ଥଳରୁ ଏସ୍‌ଟିଏଫ୍‌ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସମସ୍ତ ଅଫିମ୍‌ ଜବତ କରିଥିଲା।

Advertisment

publive-image

ଜବତ ଅଫିମ୍‌ ରାଜସ୍ଥାନ କିମ୍ବା ମଧ୍ୟପ୍ରଦେଶରୁ ଅଣାଯାଉଥିବା ଏସ୍‌ଟିଏଫ୍‌ ଟିମ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଅଧିକ ତଦନ୍ତ ପାଇଁ ଏସ୍‌ଟିଏଫ୍‌ ମଧ୍ୟପ୍ରଦେଶ ପୁଲିସ ଓ ଗ୍ବାଲିୟର୍‌ର ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ନାର୍କୋଟିକ୍‌ ସହ ଯୋଗଯୋଗ କରିଛି। ଗତ ୨୦୨୨ରୁ ଆଜି ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଟିମ୍‌ ଓଡ଼ିଶାରୁ ୭୫ କେଜି ବ୍ରାଉନ୍‌ ସୁଗାର/ହେରୋଇନ୍‌, ୨୦୨ ଗ୍ରାମ୍‌ କୋକେନ୍‌, ୧୨୩ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ୧୪ କେଜିରୁ ଅଧିକ ଓଜନର ଅଫିମ୍‌ ମଧ୍ୟ ଜବତ କରିଛି। ଅଦ୍ୟାବଧି ୧୯୩ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ଭାରତର ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଅଫିମ୍‌ ଚାଷ ପାଇଁ ଆଇନ୍‌ଗତ ଅନୁମତି ରହିଛି। ଅଫିମ୍‌ରୁ ବିଭିନ୍ନ ପ୍ରକାର ଔଷଧ ତିଆରି କରାଯାଇଥାଏ। ହେଲେ କିଛି ଅନ୍ତଃରାଜ୍ୟ ଚୋରାବେପାରୀ ଏହି ତିନିଟି ରାଜ୍ୟରୁ ଚୋରାରେ ଅଫିମ୍‌ କିଣି ଅନ୍ୟାନ୍ୟ ରାଜ୍ୟର ପ୍ରମୁଖ ସହରକୁ ଚାଲାଣ କରିଥାନ୍ତି।