ରାଉରକେଲା : ଅସୁରକ୍ଷିତ ହୋଇ ପଡିଛି ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍) ପରିସରରେ ଥିବା ମାତୃଶିଶୁ ହସ୍ପିଟାଲ (ଏମ୍ଜିଏଚ୍)। ଗତକାଲି ରାତିରେ କେହି ଦୁର୍ବୃ୍ତ୍ତ ଜଣେ ମହିଳାଙ୍କ ଭ୍ୟାନିଟିରେ ଭର୍ତ୍ତିଥିବା ନଗଦ ସାଢ଼େ ୬ ହଜାର ଟଙ୍କା, ମୋବାଇଲ ଚୋରି କରି ନେଇଛି। ଏ ସଂକ୍ରାନ୍ତରେ ମହିଳା ଜଣଙ୍କ ହସ୍ପିଟାଲ ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି। ଦୁଇ ମହଲା ବିଲ୍ଡିଂରୁ ଚୋରି ହେଉଥିବାରୁ ହସ୍ପିଟାଲର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୁରକ୍ଷା ଦାୟିତ୍ବରେ ଥିବା ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ। ମିଳିଥିବା ସୂଚନା ଅନୁଯାୟୀ ବିଶ୍ରା ବ୍ଲକ ଅନ୍ତର୍ଗତ ରତାଖଣ୍ଡିର ସାଖୁଲ ବାଗଙ୍କ ପତ୍ନୀ ଏମ୍ସିଏଚ୍ ବିଲ୍ଡିଂରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଦେଖାରେଖା କରିବାକୁ ସାକୁଲଙ୍କ ସମ୍ପର୍କୀୟ ହିରାମଣି ଓରାମ ହସ୍ପିଟାଲରେ ରହୁଥିଲେ। ଗତକାଲି ରାତିରେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ପରି ସେ ମଧ୍ୟ ପ୍ରସୁତି ୱାର୍ଡ ବାହାରେ ଶୋଇଥିଲେ। ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଟଙ୍କା ଭତ୍ତି ତାଙ୍କ ଭ୍ୟାନିଟି ସହ ମୋବାଇଲ ଚୋରି କରି ନେଇଥିଲେ। ସକାଳୁ ହୀରାମଣି ଭ୍ୟାନିଟି, ମୋବାଇଲ ନଥିବା ଦେଖି ଖୋଜାଖୋଜି କରିଥିଲେ। ତାଙ୍କ ନିକଟରେ ଶୋଇଥବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଓ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚୁରା କରିଥିଲେ। କିନ୍ତୁ କେହି ତାଙ୍କ ଦେଖି ନଥିବା କହିଥିଲେ। ଶେଷରେ ହୀରାମଣି ଆର୍ଜିଏଚ୍ ଫାଣ୍ଡିରେ ପହଞ୍ଚି ଲିଖିତ ଏତଲା ଦେଇଥିବା ଜଣାପଡିଛି।