ସୁନ୍ଦରଗଡ଼, (ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବେହେରାଡିହି ପଞ୍ଚାୟତର ଆଦିବାସୀ ଗାଁ ଗିଧପାହାଡ଼ିର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା। ନିଜ ଅସହାୟତାକୁ ଆହ୍ବାନ ରୂପେ ଗ୍ରହଣ କରି ଜୀବନ ଯୁଦ୍ଧରେ ବୀରାଙ୍ଗନା ଭଳି ଏକା ଏକା ଆଗକୁ ମାଡ଼ି ଚାଲିଥିବା ୪୨ ବର୍ଷୀୟା ଏହି ମହିଳାଙ୍କ କାହାଣୀ ବେଶ୍ ନିଆରା ଓ ପ୍ରେରଣାଦାୟୀ।
ବନ୍ଧବାହାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ପାଠ ଛାଡ଼ି ଦେଇଥିବା ଶାସ୍ତ୍ରୀଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ମାତ୍ର ୧୫ ବର୍ଷ ବୟସରେ ଶାଶୂ ଘରକୁ ପଠାଇ ଦେଇଥିଲେ ବାପାମା'। ସଂସାର କ'ଣ ଠିକ୍ ରୂପେ ଜାଣି ନ ଥିବା କଅଁଳ ଝିଅଟି ସ୍ବାମୀ ସହ ହାତ ମିଳାଇ ବାଟ ଚାଲିବା ଆରମ୍ଭ କରିଥିଲେ। କିନ୍ତୁ ବିବାହକୁ ୪ ବର୍ଷ ନ ପୂରୁଣୁ ଅନ୍ୟ ଏକ ଝିଅର ପ୍ରେମରେ ପଡ଼ି ତାଙ୍କ ହାତ ଛାଡ଼ି ଦେଇଥିଲା ସ୍ବାମୀ। ଶାସ୍ତ୍ରୀ କିଛି କ୍ଷଣ ପାଇଁ ଭାଙ୍ଗି ପଡ଼ିଲେ ସେ। ତା’ପରେ ଚାଲି ଆସିଲେ ସେ ବାପଘରକୁ। ବାପଘରେ ବାପାମା'ଙ୍କ ସହ ୧୦ ବର୍ଷ ବୟସରୁ ଦୃଷ୍ଟିଶକ୍ତି ହରାଇଥିବା ଏକମାତ୍ର ଭାଇ ସରୋଜ। ତେଣୁ ବାପା କୁଳମଣିଙ୍କୁ ଚାଷ କାମରେ ସେ ହାତ ବଢ଼ାଇଲେ। ଦୃଷ୍ଟିବାଧିତ ସରୋଜକୁ ନେଇ ଚିନ୍ତିତ ବୃଦ୍ଧ ବାପା ମଧ୍ୟ ସାହାରା ପାଇଗଲେ ଯେମିତି। ବିଲ୍ରେ ଖଟୁ ଖଟୁ ଶାସ୍ତ୍ରୀ ହୋଇଗଲେ ପୋଖତ ଚାଷୀ। ୨୦୧୨ରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଜୈବିକ କୃଷି ଉପରେ ଚାଷୀଙ୍କୁ ସଚେତନ କରିବା ସହ ତାଲିମ ପ୍ରଦାନ କରିଥିଲେ। ହାଇବ୍ରିଡ୍ ବିହନ, କୀଟନାଶକ ଚାଷ ଓ ମାନବ ଜୀବନ ପାଇଁ କେମିତି କ୍ଷତିକାରକ ସେ ସମ୍ପର୍କରେ ବାଲିଶଙ୍କରା ଓ ଟାଙ୍ଗରପାଲି ବ୍ଲକର ୨୫ଟି ଗାଁର ୧୩୯୬ ଜଣ ଚାଷୀଙ୍କୁ ଅବଗତ କରାଇ ତାଲିମ କରା ଯାଇଥିଲା।
ଶାସ୍ତ୍ରୀ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଯାଇ ଜୈବିକ ଚାଷର ପଦ୍ଧତି ସମ୍ପର୍କରେ ତାଲିମ ନେଇଥିଲେ। ସେଇଠୁ ସେ ଦେଶୀ ବିହନ ପ୍ରସ୍ତୁତି, ଜୈବିକ ସାର, କୀଟନାଶକ ଔଷଧ ତିଆରି ଏବଂ ତା'ର ବ୍ୟବହାର ଉପରେ ଦକ୍ଷତା ହାସଲ କରିଥିଲେ। ଏବେ ସେ ଗାଁରେ ଦେଢ଼ ଶହ ମହିଳା ଓ ପୁରୁଷ ଚାଷୀଙ୍କୁ ପଦ୍ମିନୀ ବିହନ ବ୍ୟବହାରକାରୀ ଗୋଷ୍ଠୀ ନାମରେ ସଂଗଠିତ କରି ତାଲିମ ଦେଉଛନ୍ତି।