ସୁନ୍ଦରଗଡ଼ରେ ବସୁନି ଆର୍‌ପିଡିଏସି ବୈଠକ: ବିସ୍ଥାପିତ ଦୁଃଖ ଶୁଣାଇବେ କେଉଁଠି?

ସୁନ୍ଦରଗଡ଼ : ଖଣିଖାଦାନ ଭରା ସୁନ୍ଦରଗଡ଼। ହେମଗିରରୁ କୋଇଡ଼ା ଯାଏ ମାଳ ମାଳ ଖଣି। ଏପଟେ କୋଇଲା ଓ ସେପଟେ ଲୁହା ପଥର, ମାଙ୍ଗାନିଜ, ଗ୍ରାନାଇଟ୍‌ ଓ ଚୂନପଥର। ତାକୁ ନେଇ ଗଢ଼ି ଉଠିଛି ବିଶାଳ ଇସ୍ପାତ ଓ ସିମେଣ୍ଟ କାରଖାନା ସହ ଏକାଧିକ ଉଚ୍ଚକ୍ଷମତା ସମ୍ପନ୍ନ ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର। ତେବେ ଏତେ ସବୁ ଖଣି ଓ କାରଖାନାର ଲବ୍ଧ ଅର୍ଥରେ ସୁନ୍ଦରଗଡ଼ ଜିଲ୍ଲାର କେତେ ବିକାଶ ହୋଇଛି, ତାହା ତ ତର୍ଜମା ସାପେକ୍ଷ। କିନ୍ତୁ ଏସବୁ ପ୍ରକଳ୍ପ ପାଇଁ ଯେଉଁ ଶହ ଶହ ନିରୀହ ଅଧିବାସୀ ଭିଟାମାଟି ଛାଡ଼ିଛନ୍ତି, ଯେଉଁମାନଙ୍କ ଜୀବନଜୀବିକା ଉଜୁଡ଼ିଛି, ସେମାନଙ୍କ ବିକାଶ କଥା ଛାଡ଼, ବିସ୍ଥାପନର ବହୁ ବର୍ଷ ପରେ ବି ପୁନର୍ବାସ ଓ ଥଇଥାନ ପାଇଁ ଲଢ଼େଇ କରିଚାଲିଛନ୍ତି। ଏସ୍ଥିତିରେ ସୁନ୍ଦରଗଡ଼ରେ ଥଇଥାନ ଓ ପାରିପାର୍ଶ୍ବିକ ବିକାଶ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ବୈଠକ ବର୍ଷ ବର୍ଷ ଧରି ବସିନାହିଁ। ଫଳରେ ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ଅଭିଯୋଗ ଓ ସମସ୍ୟାର ନ୍ୟାୟପୂର୍ଣ୍ଣ ସମାଧାନ ବା ନିଷ୍ପତ୍ତି ଏକପ୍ରକାର ଅଟକି ଯାଇଥିବା ଅଭିଯୋଗ ହୋଇଛି।

en.gaonconnection.com

ସୂଚନା ଅନୁସାରେ, ସୁନ୍ଦରଗଡ଼ ଉପଖଣ୍ଡର କୋଇଲା ଖଣି ଓ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ପ୍ରାୟ ୪ ବର୍ଷ ହେଲା ଆର୍‌ପିଡିଏସି ବୈଠକ ବସିନାହିଁ। ଭେଡ଼ାବାହାଲ ଉଚ୍ଚକ୍ଷମତାସମ୍ପନ୍ନ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ (ୟୁଏମ୍‌ପିପି), ଏନ୍‌ଟିପିସି ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ଦର୍ଲିପାଲି ଓ ଡୁଲିଙ୍ଗା, ଓଡ଼ିଶା କୋଇଲା ଓ ଶକ୍ତି ପ୍ରକଳ୍ପ (ଓସିପିଏଲ୍‌) ପାଇଁ ବୈଠକ ଡକାଯାଉ ନଥିବାରୁ ଲୋକେ ନିଜ ସମସ୍ୟା ଉପସ୍ଥାପନ କରିପାରୁ ନାହାନ୍ତି। ସେହିପରି ଏସିଆର ଦ୍ବିତୀୟ ବୃହତ୍‌ ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌)ର ଆର୍‌ପିଡିଏସି ବୈଠକ ବହୁ ବର୍ଷ ହେଲା ବସି ନଥିବା ବେଳେ କ୍ଲେମ୍‌ କମିସନରେ ସମସ୍ତ ପ୍ରକାର ବିଚାର ଚାଲିଥିବାରୁ ଆଳ ଦେଖାଇ ଏହାକୁ ଏଡ଼ାଇ ଦିଆଯାଉଥିବା ଏମ୍‌ସିଏଲ୍‌ ବିସ୍ଥାପିତ ସଂଘର୍ଷ କମିଟି ଅଭିଯୋଗ କରିଆସୁଛି। ଅନ୍ୟପଟେ ଆର୍‌ଏସ୍‌ପି ଓ କୋଇଡ଼ା ଅଞ୍ଚଳର ଖଣି ପ୍ରକଳ୍ପଗୁଡ଼ିକର ଆର୍‌ପିଡିଏସି ବୈଠକ ୨୦୧୯ରେ ଅନୁଷ୍ଠିତ ହୋଇଥିଲା। ତା ପରଠାରୁ ଆଉ ବୈଠକ ଡାକିବାକୁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରୁ ନଥିବା ସମାଜସେବୀ ସୁରୁ ମିଶ୍ର ଅଭିଯୋଗ କରିଛନ୍ତି।

ସରକାରଙ୍କ ଅନୁମୋଦିତ ନୀତି ଓ ମାର୍ଗଦର୍ଶିକା ଅନୁଯାୟୀ ନିଷ୍ପତ୍ତି, ପୁନର୍ବାସ ଓ ଥଇଥାନ ଯୋଜନାର ପରିବର୍ତ୍ତନ ଓ ଉନ୍ନତୀକରଣ ସହ ପୁନର୍ବାସ, ଥଇଥାନ ଓ ପାରିପାର୍ଶ୍ବିକ ବିକାଶର ପର୍ଯ୍ୟବେକ୍ଷଣ ଉପରେ କମିଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜସ୍ବ ଉନ୍ନୟନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ଆବାହକ ଭାବେ ଜିଲ୍ଲାପାଳ ଓ ସଭ୍ୟ ଭାବେ ସେହି ଜିଲ୍ଲାର ସମସ୍ତ ଲୋକସଭା ଓ ରାଜ୍ୟସଭ‌ା ସଦସ୍ୟ, ବିଧାୟକ, ଜିଲ୍ଲା ପରିଷଦ ସଭା‌ପତି, ପ୍ରଭାବିତ ପଞ୍ଚାୟତ ସମିତି ଅଧ୍ୟକ୍ଷ, କମିଟି ଅଧ୍ୟକ୍ଷଙ୍କ ମନୋନୀତ ତଥା ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ ପ୍ରମୁଖ ଯୋଗଦେଇ ବିଚାରବିମର୍ଶ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ସୁନ୍ଦରଗଡ଼ରେ ଉଦ୍ଦେଶ୍ୟମୂଳକ ଭାବେ ବୈଠକ ଡକାଯାଉ ନଥିବା ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର