ରାଉରକେଲା : ଗୋଷ୍ଠୀକନ୍ଦଳ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳ ପାଇଁ ସବୁବେଳେ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ଦଳୀୟ ନେତାଙ୍କ ମଧ୍ୟରେ ଲଢ଼େଇରେ କାହାର ବ୍ୟକ୍ତିଗତ ଲାଭ କି କ୍ଷତି ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଦଳୀୟ କ୍ଷତି ରାଜ୍ୟ ନେତୃତ୍ବ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ଗତ ଦୁଇଟି ନିର୍ବାଚନରେ ରାଜ୍ୟରେ ବିଜେଡି ହାୱା ବହୁଥିବା ବେଳେ ସୁନ୍ଦରଗଡ଼ରେ ଦଳ ବିଫଳ ହୋଇଥିଲା। ନିର୍ବାଚନ ପରେ ବି ଗୋଷ୍ଠୀକନ୍ଦଳ ତୁଟିବା ପରିବର୍ତ୍ତେ ବଢ଼ି ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ବିଜୁ ଜନତା ଦଳ ୫ ଥର ପାଇଁ ଶାସନ କରୁଥିବା ବେଳେ ସେହି ସମୟ ଭିତରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡି ଥରେ ବି ବିଜୟୀ ହୋଇନାହିଁ। ୨୦୧୯ ସୁନ୍ଦରଗଡ଼ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ବାଳ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କଠାରୁ ୨ ଲକ୍ଷ ୨୩ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ୨୦୧୪ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କଠାରୁ ପଦ୍ମଶ୍ରୀ ଦିଲୀପ ତିର୍କୀ ମାତ୍ର ୧୮,୮୨୯ ଖଣ୍ଡ କମ୍ ଭୋଟ ପାଇଥିଲେ। ୨୦୦୯ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ ଏଠାରେ ତୃତୀୟ ସ୍ଥାନରେ ରହିଥିଲେ।
ଗତ ନିର୍ବାଚନରେ ପ୍ରାର୍ଥୀ ଚୟନ ଦଳ ପରାଜିତ ହେବା ପ୍ରମୁଖ କାରଣ ବୋଲି କୁହାଯାଉଥିଲେ ମଧ୍ୟ ଦଳୀୟ ନେତାଙ୍କ ମଧ୍ୟରେ ସମନ୍ବୟ ଅଭାବ ବିଫଳତାର ଅନ୍ୟତମ କାରଣ। ଜିଲ୍ଲାର ଯେଉଁ ଦୁଇଟି ବିଧାନସଭା କ୍ଷେତ୍ର ରାଉରକେଲା ଓ ରଘୁନାଥପାଲିରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇଥିଲେ, ସେଠାରେ ମଧ୍ୟ ଲୋକସଭା ଆସନରେ ବିଜେଡିକୁ ଆଖିଦୃଶିଆ ଭୋଟ ମିଳିନଥିଲା। ଏପରିକି ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତା’ର ଝଲକ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ପରିଲକ୍ଷିତ ହୋଇ ନ ଥିଲା।
ଅନ୍ୟପକ୍ଷରେ ଦଳର ପ୍ରମୁଖ ରାଜନେତା ରାଉରକେଲା ବିଧାୟକ ସାରଦା ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିସାନଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଅଧିକାଂଶ ସମୟରେ ସାରଦା ଓ ମଙ୍ଗଳା ସମର୍ଥକଙ୍କ ମଧ୍ୟରେ ବିବୃତି ଯୁଦ୍ଧ ଚାଲୁଛି। ସାରଦାଙ୍କ ରାଜନୈତିକ ଗୋଟିଚାଳନା ପାଇଁ ମଙ୍ଗଳାଙ୍କ ସମର୍ଥକମାନେ ନିଜକୁ ଦଳରେ ସୁରକ୍ଷିତ ମଣୁ ନଥିବା କୁହାଯାଉଛି। ଗତ ସାଂଗଠନିକ ନିର୍ବାଚନରେ ମଙ୍ଗଳାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଦିଆଯାଇଥିଲା। ମଙ୍ଗଳାଙ୍କୁ ରାଜ୍ୟ ସଂଗଠନରେ ସ୍ଥାନ ମିଳିଥିଲେ ମଧ୍ୟ ତାଙ୍କର ଅନୁଗତମାନଙ୍କୁ ରାଜଗାଙ୍ଗପୁର ସଂଗଠନିକ ପଦରୁ ବାଦ୍ ଦିଆଯାଇଥିଲା। ଯାହାକି ମଙ୍ଗଳାଙ୍କୁ ନିରାଶ କରିଥିଲା। ସେ ଏ ସମ୍ପର୍କରେ ରାଜ୍ୟ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଥିଲା ମଙ୍ଗଳାଙ୍କ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରର ରାଜଗାଙ୍ଗପୁର ପୌରାଞ୍ଚଳରେ ମଙ୍ଗଳାଙ୍କ ବିରୋଧୀଙ୍କୁ ସଭାପତି ଦାୟିତ୍ବ ମିଳିଥିଲା। ସେହିପରି ମଙ୍ଗଳାଙ୍କ ବିରୋଧୀ ଭାବେ ଜଣାଶୁଣା ବିନୟ ଟପ୍ପୋଙ୍କୁ ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ପଦବି ସହ ଦଳୀୟ ସଂଗଠନ ଦାୟିତ୍ବ ମିଳିଥିଲା, ଯଦିଓ ଜିଲ୍ଲାରେ ବହୁ ପୁରୁଖା ଆଦିବାସୀ ନେତା ଥିଲେ। ସାରଦାଙ୍କ ସମର୍ଥକ ଭାବେ ଜଣାଶୁଣା ଏମା ଏକ୍କା ଜିଲ୍ଲା ପରିଷଦ ଆସନରେ ଅଧିଷ୍ଠିତ ହୋଇଛନ୍ତି।
ଏମିତି ଦେଖିଲେ ଜିଲ୍ଲାରେ ବିଜେଡି କ୍ଷମତା ରାଜନୀତିରେ ସବୁବେଳେ ସାରଦାଙ୍କ ପଲା ଭାରି ରହୁଥିବାରୁ ମଙ୍ଗଳା ଓ ତାଙ୍କ ସମର୍ଥକଙ୍କୁ ସବୁବେଳେ ଅଣଦେଖା କରୁଥିବା ଅଭିଯୋଗ ଆଣୁଛନ୍ତି। ନିର୍ବାଚନରେ ପରାଜୟ ପାଇଁ ଦୁଇ ଗୋଷ୍ଠୀ ପରସ୍ପରକୁ ଦାୟୀ କରୁଛନ୍ତି। ୨୦୦୯ ନିର୍ବାଚନରେ ମଧ୍ୟ ରଘୁନାଥପାଲି ଓ ରାଉରକେଲା ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ ଅନ୍ୟ ସବୁ ଆସନରେ ପରାଜିତ ହୋଇଥିଲା। ଗତ ୨୦୧୪ ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ ରାଜଗାଙ୍ଗପୁର ଓ ରଘୁନାଥପାଲି ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ସବୁ ଆସନରେ ପରାଜିତ ହୋଇଥିଲା। ଦିଲୀପ ତିର୍କୀ ନିର୍ବାଚନ ହାରିବା ଏବଂ ଜିଲ୍ଲାରେ ଦଳର ବିଫଳତା ପଛରେ ଦଳୀୟ ଗୋଷ୍ଠୀକନ୍ଦଳ ଦାୟୀ ବୋଲି ବିବେଚନା କରି ସୁନ୍ଦରଗଡ଼ ଜିଲ୍ଲାରୁ କାହାକୁ ମନ୍ତ୍ରୀ ପଦ ଦିଆଯାଇନଥିଲା।
ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି ରାଜନୀତିରେ ଆଦିବାସୀ ନେତାଙ୍କ ଅପେକ୍ଷା ଅଣଆଦିବାସୀ ନେତୃତ୍ବର ଗୁରୁତ୍ବ ପରିଲକ୍ଷିତ ହେଉଛି। ପରାଜୟ ବରଣ କରିବା ପରେ ଦିଲୀପ ତିର୍କୀଙ୍କ ଭଳି ଜଣେ ସମ୍ମାନସ୍ପଦ ନେତାଙ୍କୁ ଦଳ ଏକପ୍ରକାର ଅଣଦେଖା କରି ଆସୁଛି। ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି କ୍ଷମତା ଲଢେଇରେ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସମେତ ବହୁ ବରିଷ୍ଠ ଆଦିବାସୀ ନେତା ମଧ୍ୟ ଅସନ୍ତୋଷ ଜାହାରି କରିବାକୁ ପଛାଉ ନାହାନ୍ତି। ଯଦି ଏହି ଲଢେଇ ଜାରି ରହେ, ତେବେ ଆଗାମୀ ପଞ୍ଚାୟତ, ପୌରପାଳିକା, ସମବାୟ ଭଳି ନିର୍ବାଚନରେ ଦଳ ପାଇଁ ବହୁ କ୍ଷତି ସହିବାକୁ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।