ଅଭିଷେକ ଗୁଳିକାଣ୍ଡର ପର୍ଦ୍ଦାଫାସ : ଲୁଟ୍‌ ପାଇଁ ଯିବା ବାଟରେ ଗୁଳି ଫୁଟିଥିଲା

ସୁନ୍ଦରଗଡ଼ : ସ୍ଥାନୀୟ ବ୍ରାହ୍ମଣପଡ଼ାର ଅଭିଷେକ ସେଠ୍‌ (୨୨)ଙ୍କୁ ଗତକାଲି ସନ୍ଧ୍ୟାରେ ହୋଇଥିବା ଗୁଳିମାଡ଼ ଘଟଣାର ଗୁମର ଆଜି ଫିଟିଛି। ପୁଲିସ୍‌ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଭିଷେକଙ୍କୁ କୌଣସି ଦୁର୍ବୃତ୍ତ ଗୁଳି କରିନଥିଲେ। ବରଂ ତାଙ୍କ ସାଥୀ ମସ୍‌ଜିଦପଡ଼ାର ମହମ୍ମଦ ସୟିଦ ଅଖତର (୨୪) ପକେଟରେ ରଖିଥିବା ପିସ୍ତଲରୁ ଅସାବଧାନତା ବଶତଃ ଗୁଳି ବାହାରି ଅଭିଷେକଙ୍କ ଡାହାଣ ବାହୁରେ ବାଜିଥିଲା। ଟାଉନ୍‌ ଥାନା ପୁଲିସ୍‌ ଆଜି ସୟିଦ୍‌ଠାରୁ ଦେଶୀ ପିସ୍ତଲ ସହ ୫ଟି ଜୀବନ୍ତ ଗୁଳି ଜବତ କରିବା ପରେ ତାକୁ ଗିରଫ କରିଛି। ଅନ୍ୟ ପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଭିଷେକର ଅପରାଧ ରେକର୍ଡ଼ ଥିବାରୁ ପୁଲିସ୍‌ ତାକୁ ସେଠାରେ ଜଗି ରହିଛି। ସେ ରିଲିଭ୍‌ ହେବାମାତ୍ରେ ତାକୁ ବି ଗିରଫ କରାଯିବ ବୋଲି ସୂଚନା ମିଳିଛି। ପୁଲିସ୍‌ ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଅଭିଷେକ ଓ ସୟିଦ ଏକ ନମ୍ବର ବିହୀନ ମୋଟର ସାଇକେଲ୍‌ରେ ଘରୁ ବାହାରିଥିଲେ। ଅଭିଷେକ ଗାଡ଼ି ଚଲାଉଥିବା ବେଳେ ସୟିଦ ପକେଟ୍‌ରେ ବନ୍ଧୁକ ରଖି ପଛରେ ବସିଥିଲା। ଯୋଜନା ମୁତାବକ ଉଭୟେ କରମଡିହି ହୋଇ ସବଡେଗାକୁ ଯାଇଥାନ୍ତେ। ମାତ୍ର ସେମାନେ କୌଣସି କାରଣରୁ ଯୋଜନା ବଦଳାଇ ସଦର ଥାନା ଅନ୍ତର୍ଗତ ବଡ଼ମାଲରୁ ଫେରୁୁଥିଲେ। ସମୟ ପାଖାପାଖି ସଂଧ୍ୟା ୬ଟା, ଠିକ୍‌ ସେତିକିବେଳେ ବଡ଼ମାଲ ବୁଲାଣିରେ ଅସାବଧାନତା ଯୋଗୁଁ ସୟିଦ୍‌ ପକେଟ୍‌ରେ ଥିବ ପିସ୍ତଲରୁ ଫାୟାର୍‌ ହୋଇଥିଲା। ତାହା ଅଭିଷେକଙ୍କ ଡାହାଣ ହାତରେ ବାଜିଥିଲା।

ସମ୍ବନ୍ଧିତ ଖବର