ସୁନ୍ଦରଗଡ଼ ଲୋକସଭା ଆସନ : ଜୁଏଲଙ୍କ ପାଇଁ ଅଡୁଆ ବଢ଼ିଲା

ଜର୍ଜ ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ, ହିସାବ କିତାବ କରୁଛି ବିଜେଡି

ରାଉରକେଲା : ୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟରୁ ଏକମାତ୍ର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଏଥର କିନ୍ତୁ ଜୁଏଲଙ୍କ ପାଇଁ ସ୍ଥିତି େସତେଟା ସହଜ ନୁହେଁ। ଦୁଇଟି ପ୍ରମୁଖ କାରଣ ହେଲା, ଦିଲୀପ ରାୟ ବିେଜପିରୁ ଇସ୍ତଫା େଦଇଛନ୍ତି ଓ ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏବେ କଂଗ୍ରେସରେ।

ଶ୍ରୀ ରାୟ ଯେଉଁ କାରଣ ପାଇଁ ଇସ୍ତଫା ଦେଲେ, ତାହା କେବଳ ସୁନ୍ଦରଗଡ଼ ନୁହେଁ, ସମଗ୍ର ରାଜ୍ୟରେ ବିଜେପିକୁ ଅଡ଼ୁଆରେ ପକାଇଛି। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପୂର୍ବରୁ ଓ ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିେଯାଗ ଏବେ ଏଠାରେ ବଡ଼ ପ୍ରସଙ୍ଗ ପାଲଟିଛି। ବ୍ରାହ୍ମଣୀ ଦ୍ବିତୀୟ ସେତୁ, ୧୪୩ ନମ୍ବର ଜାତୀୟ ବୀରମିତ୍ରପୁର-ରାଜାମୁଣ୍ଡା ୧୪୩ ନମ୍ବର ଜାତୀୟ ରାଜପଥ ଓ ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ନ େହବା ଚାରିଟି ଘଟଣାକୁ େନଇ େଲାକେ ଭୀଷଣ ଅସନ୍ତୁଷ୍ଟ। େକନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଥାଇ ବି ଶ୍ରୀ ଓରାମ ଏ ଦିଗରେ କୌଣସି ଆଖିଦୃଶିଆ ପଦ‌କ୍ଷେପ ନେଇନାହାନ୍ତି।

ସେପଟେ ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ଅଧିକାର ଏବଂ ଜିଲ୍ଲାରେ ‘ପେସା’ ଆଇନ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ଆନ୍ଦୋଳନ କରି ଆଦିବାସୀଙ୍କ ମନ ଜିଣିଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ନିକଟରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଜୁଏଲ୍‌ଙ୍କ ବିରୋଧୀ ଭାବେ ଜଣାଶୁଣା ଜର୍ଜ ଏଥର କଂଗ୍ରେସରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ପ୍ରଚାର ହେଉଛି। ଯଦି ଜର୍ଜଙ୍କୁ କଂଗ୍ରେସ ଟିକେଟ୍ ମିଳେ, ତେବେ ଜୁଏଲ୍‌ଙ୍କ ପାଇଁ ଅଡୁଆ ବଢିବ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ।

ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ଆରମ୍ଭରୁ କଂଗ୍ରେସ ନିଜର ପତିଆରା ଜାହିର କରି ଆସିଥିଲା। ୧୯୫୨ ମସିହାରୁ ଏବେ ମଧ୍ୟରେ ସାତ ଥର ଏହି ଆସନକୁ କେଂଗ୍ରସ ଦଖଲ କରିଛି। ୪ ଥର ବିଜେପି ଜିତିଥିବା ବେଳେ ବିଜେଡି ଆଦୌ ସଫଳ ହୋଇନାହିଁ। ୨୦୧୪ ନିର୍ବାଚନରେ ବି‌ଜେଡି ପ୍ରାର୍ଥୀ ହକି ତାରକା ଦିଲୀପ ତିର୍କୀ ପାଖାପାଖି ୨୦ ହଜାର ‌ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଜୁଏଲ ଓରାମ ୩ ଲକ୍ଷ ୪୦ ହଜାର ୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୁ ଜନତା ଦଳ ୩ ଲକ୍ଷ ୨୧ ହଜାର ୬୭୯ ଖଣ୍ଡ ଭୋଟ ପାଇଥିଲା। କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ୨ ଲକ୍ଷ ୬୯ ହଜାର ୩୩୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ପୂର୍ବରୁ ମେଣ୍ଟ ଥିବାରୁ ବିଜେଡି ଏହି ଆସନକୁ ବିଜେପି ହାତକୁ ଟେକି ଦେଇଥିଲା। ୧୯୯୮, ୧୯୯୯ ଓ ୨୦୦୪ ମସିହା ନିର୍ବାଚନରେ ଜୁଏଲ ଓରାମ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୯ ମସିହା ନିର୍ବାଚନରେ କଂଗ୍ରେସରୁ ହେମାନନ୍ଦ ବିଶ୍ବାଳ ବିଜୟୀ ହୋଇଥିଲେ। ବିଗତ ୨୦୧୪ ନିର୍ବାଚନରେ ଜୁଏଲଙ୍କ ବିଜୟ ପଛରେ ମୋଦୀ ହାୱା ଏବଂ ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ପ୍ରମୁଖ ଭୂମିକା ଥିଲା। କାରଣ ରାଉରକେଲା ବିଧାନସଭା କ୍ଷେତ୍ରର ଭୋଟ ଜୁଏଲଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥର ଦିଲୀପ ରାୟ ଦଳ ଛାଡି ଚାଲି ଯାଇଥିବା ବେଳେ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଜୁଏଲଙ୍କ କାଳ ହୋଇଛି।

ଟିକେଟ୍ ପାଇଁ ଆଶାୟୀଙ୍କ ମଧ୍ୟରେ କଂଗ୍ରେସରୁ ଜର୍ଜ ତିର୍କୀଙ୍କ ନାମ ଆଗରେ ରହିଛି। ପୂର୍ବତନ ମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ପୁଣିଥରେ ନିର୍ବାଚନ ଲଢି ପାରନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। ରାଜ୍ୟରେ କଂଗ୍ରେସ, ଜେଏମ୍ଏମ୍‌ ଓ ସିପିଏମ୍‌ ମେଣ୍ଟ ହେବାର ସମ୍ଭାବନା ରହିଛି। ଯଦି ମେଣ୍ଟରେ କଂଗ୍ରେସ ଟିକେଟ୍ ନିଏ, ତେବେ କେଂଗ୍ରସ ଏକ ଭଲ ଲଢେଇ ଦେଇପାରିବ େବାଲି ରାଜନୈତିକ ମହଲରେ ପୂର୍ବାନୁମାନ କରାଯାଉଛି। ଏମିତିରେ ବି ସୁନ୍ଦରଗଡ଼ ଜିଲ୍ଲାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ୭୦ ହଜାରରୁ ଅଧିକ ନିଜସ୍ବ ଭୋଟ ରହିଛି। ବଣାଇଁ, ହେମଗିର ସମେତ ଖଣି ଓ ଶିଳ୍ପାଞ୍ଚଳରେ ସିପିଆଇ ଓ ସିପିଏମ୍‌ର ପ୍ରଭାବ ରହିଛି।

ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଏଥର ଅନେକ ଆଶାୟୀ ଅଛନ୍ତି। ଗତ ନିର୍ବାଚନରେ ଖୁବ୍‌ କମ୍ େଭାଟ ବ୍ୟବଧାନରେ ପରାଜିତ ହୋଇଥିବା ହକି ତାରକା ଦିଲୀପ ତିର୍କୀ ପୁଣି ଥରେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି କୁହାଯାଉଛି। ବିଜେଡିରୁ ଟିକେଟ୍ ପାଇବାକୁ ପୂର୍ବତନ ଜିଲ୍ଲା ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ ମଧ୍ୟ ଅଶାୟୀ ଅଛନ୍ତି। ଏ ସମ୍ପର୍କରେ ବହୁ ଆଗରୁ ତାଙ୍କ ସମର୍ଥକମାନେ ଜିଲ୍ଲାରେ ପ୍ରଚାର କରୁଛନ୍ତି। କିନ୍ତୁ ନିକଟରେ ଶ୍ରୀ ଅମାତଙ୍କୁ ଅଚାନକ ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ପଦରୁ ହଟାଇ କୁସୁମ ଟେଟେଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନଙ୍କ ଲୋକସଭା ଆସନରୁ ଟିକେଟ୍ ମିଳିବା ପ୍ରଚାର ହେଉଛି।

ବିଜେପିରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରାର୍ଥୀ ହେବା ନିଶ୍ଚିତ। କିନ୍ତୁ ବିଜେପିର େଗାଟିଏ ଗୋଷ୍ଠୀ ତାଙ୍କ ପ୍ରାର୍ଥୀତ୍ବକୁ ଭିତରୁ ବିରୋଧ କରୁଛନ୍ତି। କାରଣ କେନ୍ଦ୍ରରେ ମନ୍ତ୍ରୀ ଥାଇ ଜୁଏଲ ଦଳୀୟ କର୍ମୀଙ୍କୁ ଅବହେଳା କରି ଆସିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିଫଳତା ପାଇଁ ସମସ୍ତେ ଜୁଏଲଙ୍କୁ ଦାୟୀ କରିଥିଲେ। ତାଙ୍କ ବିରୋଧୀ ଗୋ‌ଷ୍ଠୀ ନୂଆ ପ୍ରାର୍ଥୀ ଦେବା ପାଇଁ ଦାବି କରିଛନ୍ତି। ଯେହେତୁ ରାଜ୍ୟର ଏକମାତ୍ର ସାଂସଦ, ତେଣୁ ଜୁଏଲଙ୍କ ବିରୋଧରେ ଅଭିଯୋଗ ବିଶେଷ ଫଳପ୍ରଦ ହେବ ନାହିଁ ବୋଲି କୁହାଯାଉଛି।

(ସୁନ୍ଦରଗଡ଼) ୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ          ଭୋଟ
ବିଜେପି       ଜୁଏଲ୍ ଓରାମ        ୩,୪୦,୫୦୮
ବିଜେଡି       ଦିଲ୍ଲୀପ ତିର୍କୀ         ୩,୨୧,୬୭୯
କଂଗ୍ରେସ      ହେମାନନ୍ଦ ବିଶ୍ବାଳ    ୨,୬୯,୩୩୫

ସମ୍ବନ୍ଧିତ ଖବର