ଏଥର କାହା ହାତରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ? ବିଜେଡ଼ି, ବିଜେପିକୁ ଗୋଷ୍ଠୀ କନ୍ଦଳ ଭୟ

କାହାର ଅଧିକ ପ୍ରଭାବ: ସାରଦା, ଜୁଏଲ୍‌ ନା ଜର୍ଜ?

ସୁନ୍ଦରଗଡ଼, (ଡମ୍ବରୁଧର ନାୟକ) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ଉଭୟ ବିଜେଡି ଓ ବିଜେପିକୁ ଗୋଷ୍ଠୀ କନ୍ଦଳର ଭୟ ସେତିକି ଗ୍ରାସ କରିବାରେ ଲାଗିଛି। ଉଭୟ ଦଳର ବେଶ୍‌ ପ୍ରଭାବ ରହିଥିବାବେଳେ ଆଗାମୀ ଦିନରେ ଏହି ଗୋଷ୍ଠୀକନ୍ଦଳ କିଭଳି ସମସ୍ୟା ସୃଷ୍ଟି କରିବ କିମ୍ବା ନାହିଁ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଥମେ ବିଜେଡି ସମ୍ପର୍କରେ ଆଲୋଚନା କରାଯାଉ। ୨୦୧୭ରୁ ୨୦୨୧- ଏହି ୫ ବର୍ଷ ମଧ୍ୟରେ କଂଗ୍ରେସର ଦୁଇ ଟାଣୁଆ ନେତା ତଥା ତତ୍‌କାଳୀନ ବିଧାୟକ ଯୋଗେଶକୁମାର ସିଂ ଓ ଡ. ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗଦେବା ପରେ ଏହିଦଳର ଶକ୍ତି ବୃଦ୍ଧି ହୋଇଛି। ଏଥିସହିତ, ଦୀର୍ଘଦିନ ଧରି ସରକାରରେ ରହିବା ପରେ ସ୍ବାଭାବିକ ଭାବେ ଏହି ଦଳର ନିଜସ୍ବ ଶକ୍ତି ଓ ସଙ୍ଗଠନ ରହିଛି। ଏବଂ ଦଳରେ ମଧ୍ୟ ବହୁ ଟାଣୁଆ ନେତା ରହିଛନ୍ତି, ଯେଉଁମାନଙ୍କର ନିର୍ବାଚନ ଗଣିତକୁ ପ୍ରଭାବିତ କରିବାର ଯଥେଷ୍ଟ ଶକ୍ତି ରହିଛି। ତେବେ, ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡ଼ିର ସରଳ ଓ ଲୋକପ୍ରିୟ ଆଦିବାସୀ ଚେହେରା ମଙ୍ଗଳା କିସାନଙ୍କୁ ଦୂରେଇ ରଖିବା ପରେ ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିପା‌ରେ। ବିଜେଡି ଦଳ ମଧ୍ୟରେ ଆଉ ଏକ ପ୍ରସଙ୍ଗ ହେଉଛି ଶାରଦା ପ୍ରସାଦ ନାୟକ ‘ଶକ୍ତିକେନ୍ଦ୍ର’ ଭାବେ ଉଭା ହେବା। ନିର୍ବାଚନ ପରେ ତାଙ୍କର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି। ଏହି ପୂର୍ବାନୁମାନ କରୁଥିବା ଏହି ଦଳର ଶାରଦା-ବିରୋଧୀ ନେତୃବୃନ୍ଦ ବିଜେଡି ସଫଳତାରେ ଅନ୍ତରାୟ ସୃଷ୍ଟି କରିପାରନ୍ତି ବୋଲି ଏକ ଆଲୋଚନା ଏବେ ଜୋର୍‌ ଧରିଛି। ‌

ଅନ୍ୟପକ୍ଷରେ, ବିଜେପିର ସୌଭାଗ୍ୟ ଯେ ଏହି ଜିଲ୍ଲାରେ ଜୁଏଲ୍‌ ଓରାମଙ୍କ ଭଳି ‌ନେତା ରହିଛନ୍ତି। ଶ୍ରୀ ଓରାମ ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଦଳର ଉଭୟ ରାଜ୍ୟ ଓ ଜାତୀୟ ସଙ୍ଗଠନରେ ତାଙ୍କର ପ୍ରଭାବ ଓ ପତିଆରା ରହିଛି। ମାତ୍ର, ଜିଲ୍ଲାର ସ୍ବାର୍ଥଆଧାରିତ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ସକ୍ରିୟତା ଆଉ ଦେଖିବାକୁ ମିଳୁନାହିଁ। ଶାସକ ଦଳ ବିଜେଡିର ଦୋଷଦୁର୍ବଳତାକୁ ଲୋକଲୋଚନକୁ ଆଣିବାରେ ସେ ଏକପ୍ରକାର ବିଫଳ ହୋଇଛନ୍ତି। ମୁଖ୍ୟତଃ ଏହି ଦୁଇଟି କାରଣ ଏବଂ ତା’ସହିତ ଆଉ କିଛି କାରଣ ପାଇଁ ଦଳ ମଧ୍ୟରେ ତାଙ୍କ ବିରୋଧରେ ଚାପା ଅସନ୍ତୋଷ ରହିଥିବା କୁହାଯାଉଛି। ଅନ୍ୟପଟେ, ବି‌ଜେପିର ରାଜନୈତିକ ରଣନୀତିକାର ରଞ୍ଜନ ପଟେଲଙ୍କୁ ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକାରୁ ଏକ ପ୍ରକାର ଦୂରେଇ ଦେଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ‌ରେ ଏହାର ପ୍ରଭାବ ପଡ଼ିପାରେ ଦଳର କିଛି ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ‘ସମ୍ବାଦ’କୁ କହିଛନ୍ତି।
ଅନ୍ୟପକ୍ଷରେ, କଂଗ୍ରେସ ପାଇଁ ଜିଲ୍ଲାର ବଡ଼ ଚେହେରା ହେଉଛନ୍ତି ଜର୍ଜ ତିର୍କୀ, ଯିଏକି ଜଣେ ପ୍ରଭାବଶାଳୀ ଆଦିବ‌ାସୀ ନେତା। ତେବେ, ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତର‌ରେ ଦଳ ଦୁର୍ବଳ ହୋଇ ପଡ଼ିଥିବାରୁ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଅନୁଭୂତ ହେବ ବୋଲି କୁହାଯାଉଛି।

ତେବେ, କୁହାଯାଏ ନିର୍ବାଚନ ଏକ ଅନିଶ୍ଚିତତାର ଖେଳ। ତେଣୁ କିଏ ଜିତିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଯିବ। ଆହୁରି ମଧ୍ୟ ସ୍ପଷ୍ଟ ହେବ ଯେ, ବିଜେଡି ନେତା ଶାରଦା ପ୍ରସାଦ ନାୟକ, ବିଜେପି ନେତା ଜୁଏଲ୍‌ ଓରାମ ନା କଂଗ୍ରେସ ନେତା ଜର୍ଜ ତୀର୍କି- କାହାର ପ୍ରଭାବ ଅଧିକ କାମ ଦେଲା।

ସମ୍ବନ୍ଧିତ ଖବର