ସୁନ୍ଦରଗଡ଼: ବସ୍‌ ଡିକ୍କିରୁ ଦୁଇ ବ୍ୟାଗ୍‌ ଗୋମାଂସ ଜବତ; ଯାତ୍ରୀ ଫେରାର

କୁତ୍ରା: ରବିବାର ସକାଳ ପ୍ରାୟ ସାଢ଼େ ନଅଟା ବେଳେ କୁତ୍ରା ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଡିକ୍କିରୁ ଦୁଇ ବ୍ୟାଗ୍‌ ଗୋମାଂସ ଜବତ କରାଯାଇଛି।

ଆଜି ସକାଳେ ରାଉରକେଲାରୁ ସୁନ୍ଦରଗଡ଼ ଯାଉଥିବା ଉକ୍ତ ବସ୍‌ରେ ଜଣେ ଅପରିଚିତ ଯାତ୍ରୀ ଜାମପାଲି ବାଇପାସ୍‌ ଠାରେ ବସ୍‌ ପଛପଟ ଡିକ୍କିରେ ଦୁଇଟି ଓଜନିଆ ବ୍ୟାଗ୍‌ ଭର୍ତ୍ତି କରି ବସ୍‌ରେ ଉଠିଥିଲେ। ସେଥିରେ ଗୋମାଂସ ଥିବା ସନ୍ଦେହ କରି ସ୍ଥାନୀୟ ଗ୍ରାମର କିଛି ଲୋକ ମଟରସାଇକେଲ୍‌ ଯୋଗ ବସ୍‌ଟିକୁ ଅନୁସରଣ କରିଥିଲେ।

କୁତ୍ରା ବସ୍‌ଷ୍ଟାଣ୍ଡ୍‌ରେ ସେ ବସ୍‌ଟି ଅଟକିବା ପରେ ସେମାନେ ଡିକ୍କି ଯାଞ୍ଚ କରିବାରୁ ସେଥିରେ ଥିବା ଦୁଇଟି ବ୍ୟାଗ୍‌ରେ ଗୋରୁମାଂସ ପଶିଥିବା ଦେଖିଥିଲେ। ଗୋଳମାଳିଆ ପରିସ୍ଥିତିର ସୁଯୋଗ ନେଇ ସେ ବ୍ୟାଗ୍‌ ଦୁଇଟି ଆଣିଥିବା ଅଜ୍ଞାତ ଯାତ୍ରୀଜଣକ ଦୌଡ଼ି ପଳାଇଥିଲେ।

ବସ୍‌କୁ ଅଟକାଇ ସ୍ଥାନୀୟ ଲୋକେ କୁତ୍ରା ପୁଲିସକୁ ଖବର ଦେଇଛନ୍ତି। ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଅନ୍ୟାନ୍ୟ ଯାନବାହନ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରି ଯାଇଛନ୍ତି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର