ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୬ ରେଳ ଲାଇନ ସଂଯୋଗୀକରଣ ସର୍ଭେରେ ଅଟକିଛି। ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ନମିଳିବା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବରୁ ବର୍ଷ ବର୍ଷ ଧରି ଏସବୁ ପ୍ରକଳ୍ପ ଆଣ୍ଠେଇଛି। ରକ୍ସି-ବାଂଶପାଣି ଭାୟା କୋଇଡା (୫୭.୫ କି.ମି.) ପାଇଁ ୧୭୪୬.୨୯ କୋଟି, କିରିବୁରୁ- ବଡ଼ବିଲ (୨୪.୨ କି.ମି.) ୭୦୫.୧୭ କୋଟି, କଲୁଙ୍ଗା- ଲାଠିକଟା ( ପ୍ରାୟ ୧୫ କି.ମି. ) ପାଇଁ ୧୫୦ କୋଟି ବ୍ୟୟ ବରାଦ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଖର୍ଚ୍ଚ ହୋଇନି। ଗତ ୨୦୧୮ ମେ’ ୩ରେ କୋଇଡା- ବଡ଼ବିଲ୍ ଲାଇନ ସର୍ଭେ କରି ରେଲୱେ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ଅନୁରୂପ ଭାବେ ଝାରସୁଗୁଡା-ଅମ୍ବିକାପୁର, କିରିବୁରୁ-ଗୋଆ ରେଳ ଲାଇନ ପାଇ ସର୍ଭେ କରାଯାଇଥିଲା। ନିର୍ମାଣ ପାଇଁ ରେଲୱେ ବୋର୍ଡ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ଶୀଘ୍ର ଜମି ଅଧିଗ୍ରହଣ ପାଇଁ ଅନୁମତି ମିଳିବ, ସେତେ ଶୀଘ୍ର କାମ ଆରମ୍ଭ ହେବ। ୨୦୨୩-୨୪ ସୁଦ୍ଧା ଏସବୁ ରେଳ ଲାଇନ କାମ ଶେଷ ହୋଇ ପାରିବା କଥା। କିନ୍ତୁ ଏସବୁ ପ୍ରକଳ୍ପ କେମିତି ଆରମ୍ଭ ହେବ କାହାରି ପକ୍ଷରୁ ଉଦ୍ୟମ ହେଉନି। ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପ୍ରସ୍ତାବିତ ରେଳ ଲାଇନ ସଂଯୋଗୀକରଣ କାମ ଅଟକିଛି। ଫଳସ୍ବରୂପ ଜିଲ୍ଲାର ଖଣିଜ ପରିବହନ ପାଇଁ ସମ୍ପୃକ୍ତ ଅଞ୍ଚଳରେ ଦୈନନ୍ଦିନ ଟ୍ରାଫିକ୍ ସମସ୍ୟା ଜଟିଳ ହେଉଛି। ଆଗାମୀ ଦିନରେ ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ଷ୍ଟିଲ ହବ୍ ହେବାକୁ ଯାଉଛି। ବନ୍ଦ ପଡିଥିବା ଖଣିଗୁଡ଼ିକ ନିଲାମ ହୋଇ ପୁଣି ସେଠାରୁ ଲୌହ ପଥର ଉତ୍ତୋଳନ ଆରମ୍ଭ ହେବ। ଏସବୁ ଦୃଷ୍ଟିକୋଣରୁ ୬ ପ୍ରକଳ୍ପର ନିହାତି ଆବଶ୍ୟକତା ରହିଛି। ଲାଠିକଟା- କଲୁଙ୍ଗା ଷ୍ଟେସନ ଯୋଡି କୌଣସି ସ୍ଥାନରେ ରେଲୱେ ସାଇଡିଂ ନିର୍ମାଣ କରାଗଲେ ସ୍ମାର୍ଟ ସିଟି ରାଉରକେଲାର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା। ରେଳ ବିଭାଗ ଜିଲ୍ଲାରୁ କୋଟି କୋଟି ଟଙ୍କା ରାଜସ୍ବ ପାଇପାରନ୍ତା। ନିଯୁକ୍ତିର ସୁଯୋଗ ସୃଷ୍ଟି ହୁଅନ୍ତା। ଏସବୁ ରେଳ ପ୍ରକଳ୍ପ କାମ ନ ଆଗେଇଲେ ଜିଲ୍ଲାର ଆର୍ଥିକ ବିକାଶ ଯେତିକି ବାଧାପ୍ରାପ୍ତ ହେବ, ତା’ ଠାରୁ ଢ଼େର ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି କରିବ। ଜିଲ୍ଲାର ଅର୍ଥନୈତିକ ବିକାଶ ଦୃଷ୍ଟିରୁ ରାଜ୍ୟ ସରକାର ରେଲୱେ ବୋର୍ଡକୁ ଚିଠି ଲେଖି ଜମି ଅଧିଗ୍ରହଣ ଅନୁମତି ପାଇଁ ସବୁଜ ସଙ୍କେତ ଦେବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/rkl-2.jpg)