ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଆଦିବାସୀ ମଞ୍ଚ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନ୍ୟାୟ ଦାବିରେ ସୁନ୍ଦରଗଡ଼ ଆଦିବାସୀ ମଞ୍ଚର ଶତାଧିକ କର୍ମୀ ଅତିରିକ୍ତ ଜିଲ୍ଲାପାଳଙ୍କ (ଏଡିଏମ) ଅଫିସ ଘେରାଉ କରିଛନ୍ତି। ସେମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାଛଡ଼ା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରଫ କରିବା ଲାଗି ଦାବି କରିଛନ୍ତି।
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ମୃତ୍ୟୁକୁ ନେଇ ତାଙ୍କ ମା’ ସିଲେଷ୍ଟିନା ମିଞ୍ଜ ଏବଂ ଭାଇ ସନ୍ଦୀପ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି। ପିଠିରେ ପୋଡ଼ା ଓ ହାତରେ କଟାଦାଗ ରହିଛି। ଅଙ୍ଗୁଳିରେ ପିନ୍ଧିଥିବା ଦୁଇଟି ହୀରାମୁଦି ଓ ପାଦରୁ ପାଉଁଜି ନେଇ ଯାଇଛନ୍ତି। ସୁସ୍ମିତାଙ୍କ ମୃତ୍ୟୁ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି. ଲାକ୍ରା ଓ ସିଡିପିଓ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ସୁସ୍ମିତା ମୃତ୍ୟୁ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ଭାଇ ସନ୍ଦୀପ ପ୍ଲାଣ୍ଟସାଇଟ୍ ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।