ରାଉରକେଲା/ଦେବଗଡ଼/ ଅନୁଗୁଳ : ଚଳିତ ବର୍ଷ ବଜେଟ୍ରେ ତାଳଚେର-ବିମଳାଗଡ ରେଳପଥ ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୮୦୦ କୋଟି। କିନ୍ତୁ ମିଳିଛି ୩୦୦ କୋଟି। ତେବେ ଏହି ରାଶି ମଧ୍ୟ ଉକ୍ତ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପୂର୍ବରୁ ଏକାଧିକ ବଜେଟରେ ଦେଇଥିବା ଅନୁଦାନ ସହିତ ମିଶି ରାଜ୍ୟ ରାଜକୋଷରେ ଖର୍ଚ୍ଚ ନହୋଇ ପଡ଼ି ରହିବାର ସବୁ ଆଶଙ୍କା ରହିଛି। କାରଣ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାବାସୀ, ବିଶେଷକରି ରାଉରକେଲାବାସୀଙ୍କର ୬୦ ବର୍ଷର ଏହି ବହୁ ପ୍ରତୀକ୍ଷିତ ରେଳପଥ କାମ ଆଗେଇପାରୁନି। ୧୪୯.୬୫ କି.ମି. ଦୀର୍ଘ ଏହି ରେଳପଥରେ ଅଛି ଅନୁଗୁଳ ଜିଲ୍ଲାର ୮୨.୬୫ କି.ମି, ଦେବଗଡ ଜିଲ୍ଲାର ୩୨.୧୦ କି.ମି. ତଥା ସୁନ୍ଦରଗଡ଼ ଜିଲ୍ଲାର ୩୫.୦୩ କି.ମି.। ଭୂମି ଅଧିଗ୍ରହଣ କାମ ଅନୁଗୁଳରେ ଆଶାନୁରୂପ ଆଗେଇ ଥିବାବେଳେ ସୁନ୍ଦରଗଡ଼ରେ ନାମକୁ ମାତ୍ର ତଥା ଦେବଗଡ଼ରେ ଆରମ୍ଭ ମଧ୍ୟ ହୋଇନାହିଁ।
ସୁନ୍ଦରଗଡ଼ରେ ନାମକୁ ମାତ୍ର ଅଧିଗ୍ରହଣ, ଦେବଗଡ଼ରେ ଆରମ୍ଭ ହୋଇନାହିଁ
ତାଳଚେରରୁ ପରାବିଲ ପର୍ଯ୍ୟନ୍ତ ୩୬ କିମି କାମ ଶେଷ
ଦାବିଥିଲା ୮୦୦ କୋଟି, ମିଳିଲା ୩୦୦ କୋଟି
୨୦୨୧ ଡିସେମ୍ବର ମାସରେ ତାଳଚେର-ବିମଳଗଡ଼ ରେଳପଥର ଅଗ୍ରଗତି ସଂପର୍କରେ ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କର ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ରାଜ୍ୟରେ ନିର୍ମାଣଧୀନ ରେଳ ପ୍ରକଳ୍ପଗୁଡ଼ିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ଭୂମିକା କେବଳ ଜମି ଅଧିଗ୍ରହଣ କାର୍ଯ୍ୟରେ ସୀମିତ। ତାଳଚେର-ବିମଲାଗଡ଼ ରେଳପ୍ରକଳ୍ପ ପାଇଁ ଅନୁଗୁଳ ଜିଲ୍ଲାରେ ଆବଶ୍ୟକ ବେସରକାରୀ ଜମିର ଅଧିଗ୍ରହଣ କାର୍ଯ୍ୟ ୭୫ ପ୍ରତିଶତ ଶେଷ ହୋଇଥିବାବେଳେ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାମ ଚାଲୁ ରହିଛି। ୨୦୨୨ର ମଧ୍ୟଭାଗ ସୁଦ୍ଧା ସମସ୍ତ ଜମି ରେଳବାଇକୁ ହସ୍ତାନ୍ତର କରାଯିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ। ସେ ଆହୁରି କହିଥିଲେ ଯେ ୨୦୨୩ ସୁଦ୍ଧା ରେଳପଥ ନିର୍ମାଣ କାମ ଶେଷ ହେବ। ପରବର୍ତ୍ତୀ ସମୟରେ କୁହାଗଲା ଯେ ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ। ହେଲେ ବିଡମ୍ବନା ଯେ ଆଜି ପର୍ଯ୍ୟନ୍ତ କେବଳ ପ୍ରାୟ ୩୧ କି.ମି. ରେଳପଥର କାମ ଶେଷ ହୋଇଛି, ତା ପୁଣି ଖାଲି ତାଳଚେର ପଟୁ। ଅର୍ଥାତ୍ ନିକଟ ଭବିଷ୍ୟତରେ ଏହି ପ୍ରକଳ୍ପରେ ରେଳ ଗଡ଼ିବା ସମ୍ଭାବନା କ୍ଷୀଣ।
୨୦୦୩-୦୪ରେ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇିଥଲା। ଇତି ମଧ୍ୟରେ ସୁନ୍ଦରଗଡ଼ର ୧୨ ଜିଲ୍ଲାପାଳ ବଦଳି ସାରିଛନ୍ତି। ୨୦୦୩ରେ ଡି.ସି.ପଞ୍ଚଭୟା, ୨୦୦୩ରୁ ୨୦୦୫ ସୁରେଶ କୁମାର ବଶିଷ୍ଠ, ୨୦୦୫ରୁ ୨୦୦୭ ସୁଜାତା କାର୍ତ୍ତିକେୟନ, ୨୦୦୭ରୁ ୨୦୦୮ ଡକ୍ଟର କ୍ରିଷ୍ଣନ କୁମାର ଓ ପି.କେ. ଲେଙ୍କା, ୨୦୦୮ରୁ ୨୦୧୧ ଶାଳିନୀ ପଣ୍ଡିତ, ୨୦୧୧ରୁ ୨୦୧୩ ରୁପାରୋଶନ ସାହୁ ଓ ରବିନ୍ଦ୍ର କୁମାର ମିଶ୍ର, ୨୦୧୩ରୁ ୨୦୧୭ ଭୂପେନ୍ଦ୍ର ସିଂହ ପୁନିଆ, ୨୦୧୭ରୁ ୨୦୧୮ ବିନିତ ଭରଦ୍ବାଜ ଓ ସୁରେନ୍ଦ୍ର କୁମାର ମୀନା,୨୦୧୯ରୁ ୨୦୨୧ ନିଖିଳ ପବନ କଲ୍ୟାଣ ଜିଲ୍ଲାପାଳ ଥିଲେ, ଏବେ ଅଛନ୍ତି ପରାଗ ହର୍ଷଦ ଗାଭାଲି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ କେବଳ ଗୋଟିଏ ଗାଁର ଜମି ଅଧିଗ୍ରହଣ ସମ୍ଭବ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ୧୯ଟି ଗାଁର ୨୪୮.୦୨ ଏକର ଜମି ଅଧିଗ୍ରହଣ ହେବ। ସେଥିରେ ଲହୁଣୀପଡ଼ା ବ୍ଲକର ସର୍ବାଧିକ ୨୨ ଗାଁ, କୋଇଡ଼ା ବ୍ଲକର ୪ ଗାଁ ଓ ବଣାଇଁ ବ୍ଲକର ୩ ଗାଁ ରହିଛି। ଏ ସମସ୍ତ ଗାଁରେ ଜମି ଚିହ୍ନଟ ହୋଇସାରିଛି। କିନ୍ତୁ କେବେ ଜମି ଅଧିଗ୍ରହଣ ଶେଷ ହେବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ।
ସେପଟେ ରେଳବାଇ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ନିକଟରେ ଏଯାବତ୍ ୩୨୦.୪୦ କୋଟି ଜମା କରିସାରିଛନ୍ତି। ମାତ୍ର କାମରେ ଅଗ୍ରଗତି ହେଉନାହିଁ। ଏହି ବେଗରେ କାମ ଚାଲିଲେ ଆହୁରି ୧୦ ବର୍ଷ ଭିତରେ ବି କାମ ଶେଷ ହେବବୋଲି କହି ହେଉନାହିଁ। ସ୍ଥାନୀୟ ବିଜେପି ନେତୃବୃନ୍ଦ ଅଭିଯୋଗ କରୁଛନ୍ତି ଯେ ରେଳବାଇ କେନ୍ଦ୍ର ସରକାରଙ୍କର ସଂସ୍ଥା ହୋଇଥିବାରୁ ରାଜ୍ୟ ସରକାର ଭୂମି ଅଧିଗ୍ରହଣରେ ବିଶେଷ ଆନ୍ତରିକତା ଦେଖାଉ ନାହାନ୍ତି। ତେବେ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ସ୍ଥିତି ଉପୁଜିଛି ବୋଲି ସୁନ୍ଦରଗଡ଼ର ତାଳଚେର-ବିମଳାଗଡ ସଂଗ୍ରାମ ସମିତି ଦାୟୀ କରିଛି। ସମିତିର ବିଷ୍ଣୁ ମହାନ୍ତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ହରିହର ରାଉତରାୟ, ବିମଳ ବିଶି, ସୁଧୀର ସୁନ୍ଦର ରାୟ, ଜାହାଙ୍ଗୀର ଅଲ୍ଲୀ ପ୍ରମୁଖ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି।
ଆମ ଦେବଗଡ଼ ପ୍ରତିନିଧିଙ୍କର କହିବା କଥା ହେଉଛି ଜିଲ୍ଲାର କୁଚିଣ୍ଡା, ଭୋଜପୁର, ତିଳେଇବଣି, ବାରକୋଟ ଦେଇ ଝାରସୁଗୁଡ଼ା, ପାରାଦ୍ବୀପ ଏବଂ ଧାମରା ବନ୍ଦରକୁ ପ୍ରସ୍ତାବିତ ରେଳପଥର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଞ୍ଚଳବାସୀଙ୍କ ସମେତ ସମ୍ବଲପୁର ସାଂସଦ, ଦେବଗଡ଼ ବିଧାୟକ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଚଳିତ ରେଳ ବଜେଟରେ ଉକ୍ତ ପ୍ରକଳ୍ପର ସ୍ଥାନ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନୁଧ୍ୟାନ କରିବାରେ ଜଣାପଡ଼ିଛି ଯେ ଏହି ଜିଲ୍ଲା ଅନ୍ତର୍ଗତ ୧୯ଟି ଗ୍ରାମର ୧୯୨.୦୯ ଏକର ଜମି ଅଧିଗ୍ରହଣ କରାଯିବା କଥା। ହେଲେ ବର୍ତ୍ତମାନ ସୁଦ୍ଧା ଜମି ଅଧିଗ୍ରହଣ ହୋଇପାରିନାହିଁ।
ଆମ ଅନୁଗୁଳ ପ୍ରତିନିଧିଙ୍କର ତଥ୍ୟ ଅନୁଯାୟୀ, ପ୍ରସ୍ତାବିତ ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ରାଉରକେଲା ଓ ଭୁବନେଶ୍ବର ମଧ୍ୟରେ ଦୂରତା କମାଇବା ସହିତ ଖଣିଜ ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ରୁଟ୍ ପାଲଟିବ। ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର କାମ ତାଳଚେର ପଟୁ ଆରମ୍ଭ ହୋଇଛି। ତାଳଚେରରୁ ସୁନାଖଣି ପର୍ଯ୍ୟନ୍ତ ୨୦ କିମି ରାସ୍ତା ଶେଷ ହେବା ସହିତ କାର୍ଯ୍ୟକ୍ଷମ କରାଯାଇଛି। ସୁନାଖଣିରୁ ପରାବିଲ ପର୍ଯ୍ୟନ୍ତ ଆଉ ପ୍ରାୟ ୧୬.୩୧ କିମି ରେଳ ଲାଇନ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖମାର ପର୍ଯ୍ୟନ୍ତ କାମ ଦ୍ରୁତ ଗତିରେ ଚାଲିଛି। ଏହି ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୭୯ କିମି ରହିଛି। ତେବେ ଜମି ଅଧିଗ୍ରହଣ ଏହି ପ୍ରକଳ୍ପର ମୁଖ୍ୟ ପ୍ରତିବନ୍ଧକ ପାଲଟିଛି। ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୮୭.୧୦୫ ଏକର ଘରୋଇ ଜମି ଆବଶ୍ୟକ। ଏଥିରୁ ୫୧୨.୦୫୫ ଏକର ଜମି ଅଧିଗ୍ରହଣ କରି ରେଳବାଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ବାକି ୪୭୫.୦୫ ଏକର ଜମି ଏ ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇନି। ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏପଟେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୪୨୨.୩୮ ଏକର ସରକାରୀ ଜମିର ଆବଶ୍ୟକତା ରହିଛି। ଏଥିରୁ ଅନେକ ଜଙ୍ଗଲ କିସମର ଜମି ଅଛି। ଏହି ଜମି ଅଧିଗ୍ରହଣ ପ୍ରକିୟା ଏ ପର୍ଯ୍ୟନ୍ତ ଶେଷ ହୋଇନି।