ରାଉରକେଲା: ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ ପାଳନ ହେଉଛି ବନୋମହୋତ୍ସବ। ବନ ବିଭାଗର ବିଭିନ୍ନ ରେଞ୍ଜ ପକ୍ଷରୁ ଚାରାରୋପଣ କରାଯାଉଛି। ଏଥିସହ ବିଭିନ୍ନ ସଂସ୍ଥା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ବିଭିନ୍ନ କିସମର ଚାରା ମାଗଣାରେ ବଣ୍ଟନ ହେଉଛି। ଏ ବାବଦ ଖର୍ଚ୍ଚ ପାଇଁ ସରକାର କୋଟି କୋଟି ଅର୍ଥ ମଞ୍ଜୁରି କରୁଛନ୍ତି। କିନ୍ତୁ ଯେଉଁସବୁ ଅଞ୍ଚଳରେ ଚାରାରୋପଣ ହେଉଛି, ତା’ର ବାସ୍ତବ ଚିତ୍ର କିନ୍ତୁ ଓଲଟା। ରୋପଣ ହୋଇଥିବା ଜାଗାରେ ୯୬ରୁ ୯୮% ଚାରା ଜୀବିତ ଥିବା ବନ ବିଭାଗ ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ କରାଯାଉଛି। ମାତ୍ର ଜାଗାକୁ ଦେଖିଲେ ବନ ବିଭାଗର ମିଛ ବାରି ହୋଇ ପଡୁଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ରାଉରକେଲା ବନ ବିଭାଗ। କେଉଁ ସ୍ଥାନରେ କେତେ ଚାରା ଲାଗିଛି ? ଏ ବାବଦରେ କେତେ ଟଙ୍କା ବିନିଯୋଗ ହୋଇଛି ? ଏହାର ତଥ୍ୟ ବନ ବିଭାଗ ପାଖରେ ନାହିଁ।

Advertisment

କେଉଁଠି କେତେ ଖର୍ଚ୍ଚ ତଥ୍ୟ ନାହିଁ
ଅଧିକାଂଶ ଜାଗାରେ ଚାରା ଦିଶୁନି

publive-image

ବନ ବିଭାଗ ଅଫିସ ଓ ରେଞ୍ଜ ଅଫିସର କିଛି ଅଧିକାରୀ, କର୍ମଚାରୀ ଓ ଚାରାରୋପଣ ଦାୟିତ୍ବ ନେଇଥିବା ସଂସ୍ଥା ମିଳିମିଶି ଏସବୁ ଅର୍ଥ ଆତ୍ମସାତ୍‌ କରୁଥିବା ଅଭିଯୋଗ ହେଉଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ପ୍ରତିବର୍ଷ ଏମିତି ଦୁର୍ନୀତିର ଗନ୍ଧ ବାହାରୁଛି। ବିଭିନ୍ନ ପାଣ୍ଠିରୁ ଆସୁଥିବା ଅର୍ଥରୁ ଯେତିକି ଚାରାରୋପଣ ବାବଦରେ ଖର୍ଚ୍ଚ ହେଉଛି, ତା’ ଠାରୁ ‌ଢ଼େର ଅର୍ଥ ହେରଫେର ହେଉଥିବା ଅଭିଯୋଗ ହେଉଛି। ରାଉରାକେଲା ବନଖଣ୍ଡ ଅଧିନରେ ୬ଟି ରେଞ୍ଜ୍ ରହିଛି। ୬ଟି ରେଞ୍ଜ ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ କେବଳ ବିଶ୍ରା, କୁଆରମୁଣ୍ଡା, ରାଜଗାଙ୍ଗପୁର ଓ ବୀରମିତ୍ରପୁର ରେଞ୍ଜରେ ମୋଟ୍ ୮୭୪.୫ ହେକ୍ଟର ଜାଗାରେ ୧୧ ଲକ୍ଷ ୫ ହଜାର ୮୨୫ ଚାରା ରୋପଣ ହୋଇଛି। ଏ ବାବଦରେ ମୋଟ ୨ କୋଟି ୧୫ ଲକ୍ଷ ୫ ହଜାର ୧୮୯ ଟଙ୍କା ଖର୍ଚ୍ଚ ହୋଇଛି। ବିଶ୍ରାର ତାଳବାହାଲ, କୋକେରମା, ଝାରବେ‌ଡା, ତୁଳକସୀକାନି, କାଳିଆପୋଷ, ବରସୁଆଁ, ମନ୍‌କୋ, ଉପରବାହାଲ, ଡୁଡୁର୍ତ୍ତା, ହରିହରପୁର, ସାନରାମ ଲୋଇ ଓ ବଡରାମ ଲୋଇ ଆଦି ୧୦ ହେକ୍ଟର ଜାଗାରେ ଚାରାରୋପଣ ହୋଇଛି। କୁଆରମୁଣ୍ଡାର ବିର୍ଡାରେ ୧୦ ହେକ୍ଟର, ରାଜଗାଙ୍ଗପୁର ଅଲଣ୍ଡାରେ ୮ ହେକ୍ଟର, ସାଜଗୋରରେ ୮, ମାଳଡିହିରେ ୨ ହେକ୍ଟର, ଲୁଧବାସାରେ ୨ ହେକ୍ଟର, ଖିଲାରିପଡାରେ ୨ ହେକ୍ଟର, କୁଲୁରଖମନରେ ୩ ହେକ୍ଟର, ଚିନିମହୁଲରେ୨ ହେକ୍ଟର ଜାଗାରେ ଚାରା ରୋପଣ କରାଯାଇଛି। କିନ୍ତୁ କେଉଁ ସ୍ଥାନରେ କେତେ ଚାରା ଲାଗିଛି ଓ ସେ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି କିଛି ତଥ୍ୟ ବନ ବିଭାଗ ପାଖରେ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଅର୍ଥ କେଉଁ ପାଣ୍ଠିରୁ ଆସିଛି, ତା’ର ସୂଚନା କାହାରି ପାଖରେ ନାହିଁ। ଅନୁରୂପ ଭାବେ ମହାତ୍ମାଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ପାଣ୍ଠିରେ ବୀରମିତ୍ରପୁର କରଡେଗା କେଏଫ୍‌ର ୧୦ ହେକ୍ଟର, ବିଶ୍ରା ରେଞ୍ଚର ବରସୁଆଁ ଉପରବାହାଲ କେଏଫ୍‌ ୩ ହେକ୍ଟର, ରାଜଗାଙ୍ଗପୁର ପ୍ରତାପପୁରରେ ୧୦ ହେକ୍ଟର, ବିଶ୍ରାର ମହିପାଣି କେଏଫ୍‌ରେ ୧୦ ହେକ୍ଟର, କୁଆରମୁଣ୍ଡା ଭୈସାଁମୁଣ୍ଡା ସଂରକ୍ଷିଜ ଜଙ୍ଗଲରେ ୧୦ ହେକ୍ଟର ଓ ରାଜଗାଙ୍ଗପୁର ଅଲଣ୍ଡାର ୧୦ ହେକ୍ଟର ଜାଗାରେ ଚାରା ରୋପଣ ହୋଇଛି। ଏଠି ମଧ୍ୟ ସେହି ସମାନ ସ୍ଥିତି। ଏ ଚାରା ରୋପଣ କେମିତି ହୋଇଛି ଉପରବାହାଲ କେଏଫ୍‌ରେ ଲାଗିଥିବା ଚାରାକୁ ଦେଖିଲେ ଅନୁମାନ କରିହେବ। ଏଠାରେ କେତେ ଚାରା ରୋପଣ କରା ଯାଇଥିଲା, ତାହାର ତ ହିସାବ ନାହିଁ, କିନ୍ତୁ ଯେତିକି ବି ଚାରା ଲଗା ଯାଇଛି, ତା’ ଭିତରୁ ଅଧିକାଂଶ ଚାରା ମରି ଯାଇଛି। ବନ ବିଭାଗ କିନ୍ତୁ ୯୭ ଓ ୯୮% ଚାରା ବଞ୍ଚିଥିବା ସଫେଇ ଦେଉଛି। ଅନ୍ୟପଟେ ମନରେଗା ପାଣ୍ଠିରୁ ଏସବୁ ସ୍ଥାନରେ ଚାରାରୋପଣ କରିବାକୁ କେତେ ଟଙ୍କା ମଞ୍ଜୁରି ହୋଇଛି, କେଉଁ କେଉଁ ଅଞ୍ଚଳ ପାଇଁ କେତେ ଟଙ୍କା ବିନିଯୋଗ ହୋଇଛି- ଏହାର ତଥ୍ୟ ମଧ୍ୟ ବନ ବିଭାଗ ଦେବାକୁ ନାରାଜ। କେବଳ ମୋଟାମୋ‌ଟି ୨ କୋଟି ୧୫ ଲକ୍ଷ ୫ ହଜାର ୧୮୯ ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ଦେଇ ବିଭାଗ କାମ ସାରି ଦେଇଛି। ବନ ବିଭାଗରେ ଚାରାରୋପଣ ନାଁରେ ଚାଲିଥିବା ଚାଲିଥିବା ହରିଲୁଟ୍‌ର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅସାଧୁ ଅଧିକାରୀମରନଙ୍କର ମୁଖା ଖୋଲିଯିବା ସହ ଦୁର୍ନୀତିର ଫର୍ଦ୍ଦାଫାସ ହୋଇପାରନ୍ତା।