ରାଉରକେଲା(ମଳୟ ରଂଜନ ସାହୁ): ରାଜ୍ୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପ ବଦଳୁଛି। ଚକାଚକ ହେଉଛି ବିଦ୍ୟାଳୟ ଓ କ୍ଲାସ୍ରୁମ୍। ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା କରାଯାଉଛି। ହେଲେ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ନଥିବାରୁ ଗୁଣାତ୍ମକ ଶିକ୍ଷା ଚୁଲିକୁ ଯାଇଛି। ୫% ଛାତ୍ରୀଛାତ୍ରୀ ଏ-୧ ଗ୍ରେଡ୍ ଛୁଇଁପାରି ନାହାନ୍ତି। ଶିକ୍ଷା ବ୍ୟବସ୍ଥାର ଏମିତି ସାଂଘାତିକ ସ୍ଥିତି ଉପୁଜିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ। ଏହି ଜିଲ୍ଲାରେ ବର୍ଷ ବର୍ଷ ଧରି ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଯେମିତି ମୁହଁମାଡ଼ି ପଡ଼ିଛି।
ସରକାର ଗୋଟିଏ କଥା କହୁଥିଲାବେଳେ, ବାସ୍ତବଚିତ୍ର କିନ୍ତୁ ଓଲଟା। ଜିଲ୍ଲାରେ ମୋଟ ୨୦୪ ସରକାରୀ, ୩୦ ଗୋଟି ସରକାରୀ ସ୍ବୀକୃତିପାପ୍ତ ଓ ୬୦ଟି ଘରୋଇ ଉଚ୍ଚ ବିଦ୍ୟାଳୟ ରହିଛି। ଏଥିରୁ ସରକାରୀ ଓ ସରକାରୀ ସ୍ବୀକୃତିପ୍ରାପ୍ତ ହାଇସ୍କୁଲ୍ ଗୁଡ଼ିକର ଅବସ୍ଥା ଶୋଚନୀୟ। ୨୩୪ଟି ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ସମୁଦାୟ ୨ ଲକ୍ଷ ୧୧ ହଜାର ୮୯୭ ବିଦ୍ୟାର୍ଥୀ ପଢ଼ନ୍ତି। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୭ ହଜାର ୯୭୩ ଛାତ୍ର, ୧ଲକ୍ଷ ୩ ହଜାର ୯୨୪ ଛାତ୍ରୀ। ଏହି ୨୩୪ ସ୍କୁଲ୍ ପାଇଁ ମୋଟ ୨୭୬୯ ଜଣ ଶିକ୍ଷକଶିକ୍ଷୟିତ୍ରୀ ଆବଶ୍ୟକ। ହେଲେ ବର୍ତ୍ତମାନ ଅଛନ୍ତି ୨୧୦୫ ଜଣ। ୬୬୪ ଅର୍ଥାତ୍ ୨୪% ଶିକ୍ଷକଶିକ୍ଷୟିତ୍ରୀ ପଦ ବର୍ଷ ବର୍ଷ ଧରି ଖାଲି ପଡ଼ିଛି। କେବଳ ଏତିକି ନୁହେଁ ୪୬% ଅର୍ଥାତ୍ ୧୦୮ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ନାହାନ୍ତି। ସେହି ସ୍କୁଲ୍ ଗୁଡ଼ିକରେ ବରିଷ୍ଠ ସହକାରୀ ଶିକ୍ଷକମାନେ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ପ୍ରତି ମାସରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକମାନେ ଅବସର ନେଉଥିବାବେଳେ ସେହି ହାରରେ ନିଯୁକ୍ତି ହେଉ ନଥିବାରୁ ରିକ୍ତସ୍ଥାନ ବଢ଼ିବଢ଼ି ଚାଲିଛି। ଅବଶ୍ୟ ଖାଲିପଡ଼ିଥିବା ଶିକ୍ଷକ, ପ୍ରଧାନଶିକ୍ଷକ ପଦ ପୂରଣ ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ ଏକାଧିକବାର ପତ୍ର ଜରିଆରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅବଗତ କରିଛନ୍ତି। ହେଲେ ଫଳ ଶୂନ।
ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ୯୧ କଳା ଶିକ୍ଷକ ଖାଲି ପଡ଼ିଛି। ୧୧୪ ବିଜ୍ଞାନ, ୨୧ ଟିଆଇ (ଟ୍ରେଣ୍ଡ ଇଣ୍ଟରମିଡିଏଟ୍), ୧୫ ଟିଏମ୍ (ଟ୍ରେଣ୍ଡ ମାଟ୍ରିକୁଲେଟ୍), ୧୨ କ୍ଲାସିକାଲ୍, ୫୪ ହିନ୍ଦୀ ଶିକ୍ଷକ, ୩୧ ଖେଳ ଶିକ୍ଷକ ପଦ ଖାଲି ପଡ଼ିଛି। ଏମିତି ମୋଟ ୩୩୮ ଜଣ ଶିକ୍ଷକଶିକ୍ଷୟିତ୍ରୀ ପଦବୀ ଖାଲିପଡ଼ିଛି। ଅନୁରୂପ ଭାବେ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୨୭ କଳା ଶିକ୍ଷକ, ୮୭ ବିଜ୍ଞାନ, ୩୦ କ୍ଲାସିକାଲ୍, ୩୯ ହିନ୍ଦୀ, ୩୭ ପିଇଟି, ୩ ଟିଆଇ ଓ ୩ ଟିଏମ୍କୁ ମିଶାଇ ମୋଟ ୩୨୬ ଶିକ୍ଷକଶିକ୍ଷୟିତ୍ରୀ ପଦ ଖାଲି ରହିଛି। ସ୍ମାର୍ଟସିଟି ରାଉରକେଲାରେ ମୋଟ ୧୮,୭୦୬ ଛାତ୍ର, ୧୭,୯୯୯ ଛାତ୍ରୀ, ଏମିତି ମୋଟ ୩୬,୭୦୫ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ଗୁଣାତ୍ମକ ଶିକ୍ଷା ଅଭାବରୁ ସରକାରୀ ବିଦ୍ୟାଳୟ ଗୁଡ଼ିକ ଘରାଇ ସ୍କୁଲର ସମକକ୍ଷ ହୋପାରୁନି। ଗତ ୫ ବର୍ଷ ମଧ୍ୟରେ ରାଉରକେଲା ସହରରେ ମାତ୍ର ୫ଟି ସ୍କୁଲର ବିଦ୍ୟାର୍ଥୀ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇବାର ସୌଭାଗ୍ୟ ଲାଭ କରିଛନ୍ତି। ତାହା ପୁଣି ୫ ବର୍ଷ ଅର୍ଥାତ୍ ୨୦୧୯ରୁ ୨୦୨୩ ମଧ୍ୟରେ ମାତ୍ର ୭ ଜଣ। ଜିଲ୍ଲାର ଲହୁଣିପଡା, ନୂଆଗାଁ, କୁଆରମୁଣ୍ଡା, ଗୁରୁଣ୍ଡିଆ, ସବ୍ଡେଗା, ଟାଙ୍ଗରପାଲି, କୋଇଡ଼ା, ବାଲିଶଙ୍କରା, ବଡ଼ଗାଁ ଆଦି ଅନେକ ବ୍ଲକରେ ଗତ ୫ ବର୍ଷରେ ମାଟ୍ରିକ୍ ପରୀକ୍ଷାଫଳ ଅତି ନୈରାଶ୍ୟଜନକ ରହିଛି।