ରାଉରକେଲା: ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଦୁଇଦିନିଆ ରାଉରକେଲା ଗସ୍ତରେ ଆସିଛନ୍ତି। ଯୁବ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବା ବେଳେ ରାଷ୍ଟ୍ରୀୟ ସଭାପତି କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଉଭୟ ସରକାର ଯୁବମାରଣ ନୀତି ଅବଲମ୍ବନ କରୁଥିବା କହିଥିଲେ।
ରାଷ୍ଟ୍ରୀୟ ସଭାପତି କଲୁଙ୍ଗାରେ ଚାଲିଥିବା ତିନିଦିନିଆ ଆଦିବାସୀ ଯୁବ ନେତୃତ୍ବ ତାଲିମ୍ ଶିବିରରେ ଯୋଗଦେଇ ସମ୍ବୋଧିତ କରିଥିଲେ। ପରେ ଆଜି ଅପରାହ୍ନରେ ରାଉରକେଲାରେ ପହଞ୍ଚିବାପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଯୁବ କଂଗ୍ରେସ ପକ୍ଷରୁ ଏକ ‘ଯୁବ ଆକ୍ରୋଶ ରାଲି’ ଆୟୋଜିତ ହୋଇଥିଲା। ସ୍ଥାନୀୟ ଉଦିତନଗର ଛକରୁ ସେକ୍ଟର-୨୧ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଯାଏଁ ଚାଲିଥିବା ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଯୁବ କଂଗ୍ରେସ କର୍ମକର୍ତା, ସଦସ୍ୟ ଯୋଗଦେଇଥିଲେ। ବିଶାଳ ବାଇକ୍ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ସଭାପତିଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା। ସେଠାରେ ରାଷ୍ଟ୍ରୀୟ ସଭାପତି ଯୁବ କଂଗ୍ରେସର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଅନୁଷ୍ଠିତ ଯୁବ କଂଗ୍ରେସ ସଭାପତି ବୈଠକରେ ଉଦ୍ବୋଧନରେ କହିଲେ, କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ଯୁବସମାଜକୁ ପ୍ରତାରିତ କରିଚାଲିଛନ୍ତି। ସେମାନଙ୍କୁ ରୋଜଗାର ଛଡ଼ାଇ ନେଇଛନ୍ତି। ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ୍ ବୃଦ୍ଧି ହୋଇଚାଲିଥିବାବେଳେ ମୋଦୀ ସରକାର ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ନିଜର ଶିଳ୍ପପତି ବନ୍ଧୁମାନଙ୍କୁ ବିକ୍ରି କରି ନିଯୁକ୍ତି କ୍ଷେତ୍ରକୁ ସଂକୋଚିତ କରିବାରେ ଲାଗିଛନ୍ତି। ଗତ ଛଅ ଦଶନ୍ଧି ହେଲା କଂଗ୍ରେସ କ’ଣ କରିଛି ବୋଲି କହୁଥିବା ମୋଦି ସରକାର କଂଗ୍ରେସ ଦ୍ବାରା ପ୍ରତିଷ୍ଠା ହୋଇଥିବା ଉଦ୍ୟୋଗ ବିକ୍ରି କରି ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାରହୀନ କରିବା ବିଡ଼ମ୍ବନାର ବିଷୟବୋଲି କହିଥିଲେ। ଯୁବ ବନ୍ଧୁମାନେ ସଙ୍ଗଠିତ ହୋଇ ଜନ ବିରୋଧୀ ମୋଦୀ ସରକାର ଓ ନବୀନ ସରକାରକୁ ଆଗାମୀ ଦିନରେ ଠିକଣା ଜବାବ ଦେବାକୁ ଆହ୍ବାନ କରିଥିଲେ।
ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଡ. ବିଶ୍ବରଞ୍ଜନ ମହାନ୍ତି, ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ.ସ୍ମୃତିରଞ୍ଜନ ଲେଙ୍କା, ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ରିଆଜୁଲ ଅନସାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାଶ, ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ।
ଅପରପକ୍ଷରେ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ବାଗତ କରାଯାଇଥିବାବେଳେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ସହ ପ୍ରଭାରୀ ରିଆଜ ଉଦ୍ଦିନଙ୍କ ରାଉରକେଲା ଗସ୍ତକୁ ପୂର୍ବତନ କର୍ମକର୍ତା ବିରୋଧ କରିଥିଲେ। ପାନପୋଷ ଛକରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ପ୍ରସନ୍ନ ବଳିୟାର ସିଂଙ୍କ ନେତୃତ୍ବରେ କର୍ମକର୍ତ୍ତା ହାତରେ ପ୍ଲାକାର୍ଡ ଧରି ଶ୍ରୀ ଲେଙ୍କାଙ୍କ ରାଉରକେଲା ଗସ୍ତକୁ ବିରୋଧ କରିବାସହ ଉଭୟଙ୍କୁ ଦଳରୁ ବହିଷ୍କାର ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-5.jpg)