ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା

ଵାଲିଶଙ୍କରା(ସୁନ୍ଦରଗଡ଼): ଆଜି ଭୋର ୪ଟାରେ ସୁନ୍ଦରଗଡ଼ ରାଉଲଡେଗା ସେକ୍ସନ ଘୋଘର ଠାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଶୌଚ ପାଇଁ ମହିଳାଜଣକ ପାଖ ନାଳକୁ ଯାଇଥିବା ଵେଳେ ଏ ଅଘଟଣ ଘଟିଛି। ମୃତ ମହିଳାଙ୍କ ନାମ ବିଲାଇ ବାଇ(୪୫)। ତାଙ୍କ ଘର ଛତିଶଗଡ଼ ସରଗୁଜା ଜିଲ୍ଲା ଅନ୍ତର୍ଗତ ସୀତାପୁର ଥାନା ବିଷ୍ଣୁପୁରରେ।

ସେ ୯ ଜଣିଆ ପରିବାର ସଦସ୍ୟଙ୍କ ସହ ସୁନ୍ଦରଗଡ଼ ଆସି ଜଗନ୍ନାଥ ମନ୍ଦିର ଓ ସମଲେଇ ମନ୍ଦିରରେ ଦର୍ଶନ ସାରି ଚାଲିଚାଲି ଘରକୁ ଫେରୁଥିଲେ। ଘୋଘର ଠାରେ ରାତି ହୋଇଯିବାରୁ ସେଠାରେ ଥିବା କେନ୍ଦୁପତ୍ର ଗୋଦାମ ପିଣ୍ଡାରେ ଆଶ୍ରୟ ନେଇଥିଲେ। ରାତିରେ ରୋଷେଇ କରି ଖାଇପିଇ ଶୋଇଥିବା ଵେଳେ ସକାଳୁ ଉଠି ଗାଁକୁ ଯାଇଥାନ୍ତେ। କିନ୍ତୁ ଭୋରରୁ ମହିଳା ଶୌଚ ପାଇଁ ନାଳକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଖବର ପାଇ ଵନାଞ୍ଚଳ ଅଧିକାରୀ ବିଜୟ କୁମାର ପ୍ରଧାନ, ରାଉଲଡେଗା ବନପାଳ ମିତ୍ରଭାନୁ ପଟେଲ ଓ ବନରକ୍ଷୀ ଗାମାଚରଣ ନାଏକ ପହଞ୍ଚି ଶଵକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର