ରାଉରକେଲା: ଏବର୍ଷ କୋଭିଡ୍ ପାଇଁ ରାଜ୍ୟରେ ବାଣ ସଂପୂର୍ଣ୍ଣ ବାରଣ କରାଯାଇଛି। କୌଣସି ପରିସ୍ଥିତିରେ ବାଣ ବିକ୍ରି ହୋଇପାରିବନି କିମ୍ବା ବାଣ ଫୁଟାଯାଇପାରିବନି। ନଭେମ୍ବର ୧୦ ତାରିଖରୁ ୩୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର ନିର୍ଦ୍ଦେଶ ଦେଇଛନ୍ତି।
ଅର୍ଥାତ୍, ଏବର୍ଷ ଆଉ ଦୀପାବଳିରେ ବାଣ ଫୁଟିବନି। ଏହି ନିର୍ଦ୍ଦେଶାନାମା ସହରବାସୀଙ୍କୁ ଯେତିକି ନିରୁତ୍ସାହିତ କରିଛି, ତା’ଠାରୁ ଅଧିକ ବାଣ ବେପାରୀଙ୍କୁ ଆଘାତ ଦେଇଛି। କେବଳ ବାଣ ବିକ୍ରିକରି ପରିବାର ଭରଣପୋଷଣ କରୁଥିବା ଦୋକାନୀଙ୍କ ମୁଣ୍ଡରେ ଚଡ଼କ ସଦୃଶ୍ୟ ହୋଇଛି। ଏଣୁ ବାଣ ବେପାରୀଙ୍କ ମନରେ ଏବେ ଛନକା ପଶିଗଲାଣି। ବେଶ୍ କିଛି ବେପାରୀ ବାଣ କିଣି ସାରିଥିବାବେଳେ ବହୁ ଦୋକାନୀ ଅଗ୍ରୀମ ଅର୍ଥ ପୈଠ କରିସାରିଛନ୍ତି। ଏଣୁ ଅନିଶ୍ଚିତତା ଭିତରେ ଇସ୍ପାତ ସହରର ବାଣ ଦୋକାନୀ ଦିନ କାଟୁଛନ୍ତି ।
/sambad/media/post_attachments/wp-content/uploads/2017/10/delhi-firecrackers-ban.jpg)
ସହରରେ ଅଛନ୍ତି ୨ଶହ ଲାଇସେନ୍ସପ୍ରାପ୍ତ ଦୋକାନୀ
ଇସ୍ପାତ ସହରରେ ପ୍ରାୟ ୨ ଶହ ଜଣ ଲାଇସେନ୍ସପ୍ରାପ୍ତ ଦୋକାନୀ ଅଛନ୍ତି। ଆମ୍ବାଗାନଠାରୁ ଆରମ୍ଭ କରି ଉଦିତନଗର, ଛେଣ୍ଡ୍, ବାସନ୍ତୀ କଲୋନି, ଡେଲିମାର୍କେଟ୍, ପାନପୋଷ ପର୍ଯ୍ୟନ୍ତ; ପ୍ରାୟ ସବୁ ଅଞ୍ଚଳରେ ଛୋଟବଡ଼ ଦୋକାନୀ ଅଛନ୍ତି। ପୂର୍ବରୁ ଏମାନେ ନିଜ ନିଜ ଦୋକାନରେ ବାଣ ବିକ୍ରି କରୁଥିଲେ। କିନ୍ତୁ ବିଗତ ବର୍ଷରେ ବାଣ ଦୋକାନରେ ନିଆଁ ଲାଗି ଅଘଟଣ ଘଟିବା ଯୋଗୁଁ ଜନବସତି ଅଞ୍ଚଳରେ ବାଣ ବିକ୍ରିକୁ ବନ୍ଦ କରାଯାଇଛି। ଏଣୁ ସଂପ୍ରତି ସେକ୍ଟର-୧୩ ପଡ଼ିଆ, ବିଶ୍ରା ମଇଦାନ, ପାନପୋଷ ମର୍ଗ ହାଉସ୍ ପାଖ ପଡ଼ିଆରେ ବାଣ ବଜାର ବସୁଛି। ସେକ୍ଟର ଅଞ୍ଚଳର ବାଣ ବେପାରୀ ସେକ୍ଟର-୧୩ ପଡ଼ିଆସ୍ଥିତ ବାଣ ବଜାରରେ ବିକ୍ରି କରୁଥିବାବେଳେ ମେନ ରୋଡ୍ ଡେଲିମାର୍କେଟ୍, ବାସନ୍ତୀ କଲୋନି, ଉଦିତନଗର ଆଦି ଅଞ୍ଚଳର ଦୋକାନୀ ବିଶ୍ରା ମଇଦାନ ଓ ସିଭିଲ ଟାଉନସିପ୍ ପାନପୋଷ ଅଞ୍ଚଳର ଦୋକାନୀ ପାନପୋଷ ମର୍ଗ ହାଉସ୍ ପାଖ ବଜାରରେ ବାଣ ବିକ୍ରି କରୁଛନ୍ତି। ଏହି ୨ ଶହ ଜଣ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ବ୍ୟତୀତ ପ୍ରାୟ ୫୦ରୁ ଅଧିକ ଛୋଟ ଛୋଟ ବେପାରୀ ଅଛନ୍ତି। ଏମାନେ ନିଜର ରାସନ ଦୋକାନ, ପାନ ଦୋକାନ ଆଦିରେ ସ୍ବଳ୍ପ ପରିମାଣର ବାଣ ବିକ୍ରି କରିଥାନ୍ତି।
ସହରରେ ବିକ୍ରି ହୁଏ ୪ କୋଟିର ବାଣ
ବାଣ ବିକ୍ରି ଓ ବାଣ ଫୁଟାଇବାରେ ରାଉରକେଲାବାସୀ ଅନ୍ୟ ସହର ଭଳି ଢ଼େର୍ ଆଗରେ। ପ୍ରତିବର୍ଷ କେବଳ ସହରରେ ପାଖାପାଖି ୪ କୋଟି ଟଙ୍କାର ବାଣ ବିକ୍ରି ହୋଇଥାଏ। ସହରର ଦୁଇ ଶହ ବେପାରୀ ଅଛନ୍ତି। ପ୍ରତ୍ୟେକ ବେପାରୀ ୧ ଲକ୍ଷ ଦେଢ଼ ଲକ୍ଷ ଟଙ୍କାର ବାଣ କିଣିଥାନ୍ତି। ଏହି କ୍ରମରେ କେବଳ ସହରକୁ ପ୍ରାୟ ୨ କୋଟି ଟଙ୍କାର ବାଣ ଆସିଥାଏ। ବାଣ ବେପାରରେ ଲାଭ ଦୁଇ ଗୁଣ ରହିଛି, ଏଣୁ ପ୍ରାୟ ୪ କୋଟି ଟଙ୍କାର ବାଣ ବିକ୍ରି ହୋଇଥାଏ। ରାଉରକେଲା ମୁଖ୍ୟତଃ ରାୟପୁର, ବରଗଡ଼, ରାଞ୍ଚି, ଶିବାକାଶୀରୁ ବାଣ ଆମଦାନୀ ହୋଇଥାଏ।
ବଜାରରେ ମହଜୁଦ ୩୦ ଲକ୍ଷର ବାଣ
କୋଭିଡ ଯୋଗୁଁ ଏଥର ବାଣକୁ ଅନୁମତି ମିଳିବ ନା ନାହିଁ, ସେନେଇ ବାଣ ବେପାରୀ ଦ୍ବନ୍ଦରେ ଥିଲେ। ତେବେ ଅନ୍ୟସବୁ ବ୍ୟବସାୟକୁ ଅନୁମତି ମିଳିଥିବାରୁ ବୋପାରୀଙ୍କ ମନରେ ଆଶା ଜନ୍ମିଥିଲା। ଏଣୁ ସେମାନେ ପ୍ରାୟ ୨୦/୩୦ ପ୍ରତିଶତ ବାଣ କିଣି ସାରିଲେଣି। ଉକ୍ତ ବାଣ ଏବେ ନିଜ ପାଖରେ ଗଚ୍ଛିତ କରି ରଖିଛନ୍ତି। ଏତଦ୍ବ୍ୟତୀତ ଗତ ବର୍ଷର ବଳକା ବାଣ ବି ଏବେଯାଏଁ ରହିଛି। ଏବର୍ଷ ଓ ଗତ ବର୍ଷର ବାଣ ପରିମାଣକୁ ମିଶାଇଲେ, ସଂପ୍ରତି ବଜାରରେ ପାଖାପାଖି ୨୦/୩୦ ଲକ୍ଷ ମୂଲ୍ୟର ବାଣ ରହିଛି। ଏଣୁ ବାଣ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଆସିଥିବାରୁ ବେପାରୀ ମହଲରେ ଭାଳେଣି ପଡ଼ିଯାଇଛି।
ବିପୁଳ କ୍ଷତି ସହିବେ ବେପାରୀ
ବାଣ ବେପାର ନିଷେଧ ପରେ ବେପାରୀମାନେ ବହୁମାତ୍ରାରେ କ୍ଷତି ସହିବା ଜଳଜଳ ହୋଇ ଦିଶୁଛି। ଚଳିତ ବର୍ଷ ଦୀପାବଳି ପାଇଁ ଦୋକାନି କିଛିମାତ୍ରାରେ ବାଣ କିଣି ସାରିଥିଲେ। ସେମାନେ ରାୟପୁର, ରାଞ୍ଚି, ଶିବାକାଶୀରୁ ନିଜ ଖର୍ଚ୍ଚରେ ବାଣ ଆମଦାନୀ କରିସାରିଛନ୍ତି। ଆଉ କିଛି ବେପାରି ବାଣ ପାଇଁ ଅଗ୍ରୀମ ଦେଇଛନ୍ତି। ଏଣୁ ଅଗ୍ରୀମ ଟଙ୍କା ବି ଫେରିପାଇବାର ସମ୍ଭାବନା କ୍ଷୀଣ। ଏତଦ୍ବ୍ୟତୀତ ଦୋକାନିମାନେ ବାଣ ବିକ୍ରି ପାଇଁ ଲାଇସେନ୍ସ ନବୀକରଣରେ ମଧ୍ୟ ଖର୍ଚ୍ଚାନ୍ତର ଶିକାର ହୋଇଛନ୍ତି। ଲାଇସେନ୍ସ ଫି’ ବାବଦକୁ ୫ ଶହ ଟଙ୍କା ପୈଠ କରିବାସହ ସୁନ୍ଦରଗଡ଼ ଜିଲ୍ଲାପାଳ ଅଫିସ ଯିବାଆସିବାରେ ପ୍ରାୟ ୨/୩ ହଜାର ଟଙ୍କା ଲେଖାଏଁ ବ୍ୟୟ କରିଥିବା କହିଛନ୍ତି।
ଛୋଟ ବାଣ ବିକ୍ରି ଅନୁମତି ପାଇଁ ନିବେଦନ
ବାଣ ବିକ୍ରି ନିଷେଧକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବାଣ ବେପାରି। ବାଣି କିଣିସାରିଥିବା ଓ ଅଗ୍ରୀମ ଦେଇସାରିଥିବାରୁ ବାଣ ବିକ୍ରି ଅନୁମତି ପାଇଁ ନିବେଦନ କରିଛନ୍ତି। ବଡ଼ ବାଣ ନ ହେଲେ ମଧ୍ୟ ଅନ୍ୟୁନ ଛୋଟ ବାଣ ବିକ୍ରି ପାଇଁ ଅନୁମତି ଦେବାକୁ ନେହୁରା ହୋଇଛନ୍ତି। ସବୁ ବର୍ଗର ଲୋକ ଦୀପାବଳୀ ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ବିଶେଷକରି ଛୋଟ ଛୋଟ ପିଲାମାନଙ୍କ ମନରେ ବହୁମାତ୍ରାରେ ଉତ୍ସାହ ପରିଲକ୍ଷିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଛୋଟ ଛୋଟ ବାଣ, ଯଥା- ଫୁଲଝରି/ଝରଝରି, ଚକରି, ଅନାର, ଚୁଟପୁଟ୍ ଆଦି ବାଣି ବିକ୍ରି ପାଇଁ ଅନୁମତି ମିଳିବା ଉଚିତ। ଏହାଦ୍ବାରା ବେପାରିମାନେ କିଛି ମାତ୍ରାରେ ଉପକୃତ ହୋଇପାରିବେ ଓ ବିପୁଳ କ୍ଷତିରୁ ବର୍ତ୍ତିପାରିବେବୋଲି ବ୍ୟବସାୟୀ ଦୀପକଲାଲ ଅଗ୍ରୱାଲ କହିଛନ୍ତି।