ଆର୍‌ଏମ୍‌ସି ଓ ପଞ୍ଚାୟତରେ ସାମିଲ କଲାନି ପ୍ରଶାସନ: ୪୦ ହଜାର ମତଦାତାଙ୍କ ଭୋଟବର୍ଜନ ଧମକ

ରାଉରକେଲା: ପ୍ରତି ନିର୍ବାଚନରେ ଭୋଟ ଦେଇ ନିର୍ବାଚିତ ପ୍ରତିନିଧିଙ୍କୁ ବିଜୟୀ କରାଉଛନ୍ତି। ବିଜୟୀ ‌ପରେ ନିର୍ବାଚିତ ପ୍ରତିନିଧି ଏମାନଙ୍କ ଦୁଃଖକୁ ପାସୋରି ଯାଉଛନ୍ତି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ପଞ୍ଚାୟତରେ ସାମିଲ ହୋଇ ନଥିବାରୁ ବର୍ଷ ବର୍ଷ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନାର ସୁଫଳ ଏମାନଙ୍କୁ ମିଳୁନି। ଦୀଘଦିନର ଦାବି ପରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର ମୀନା ରାଜ୍ୟ ପଞ୍ଚାୟତରାଜ ବିଭାକୁ ଏ ସମ୍ପର୍କରେ ଚିଠି ଲେଖିଥିଲେ। ହେଲେ ତାହା କେବଳ ଚିଠିରେ ରହିଯାଇଛି। ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର ମୀନାଙ୍କ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଏଡିଏମ୍‌ ଭାବେ ଅନେକ ଆଇଏସ୍‌ ଅଧିକାରୀ ଆସିଛନ୍ତି। ବଦଳି ହୋଇ ଅନ୍ୟତ୍ର ଯାଇଛନ୍ତି। କିନ୍ତୁ ଏମାନଙ୍କ ସମସ୍ୟା ସେମିତିକୁ ସେମିତି ରହି ରହିଯାଇଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ଅବହେଳା ପ୍ରତିବାଦରେ ଆର୍‌ଏମ୍‌ସି ଓ ପଞ୍ଚାୟତର ସାମିଲ ହୋଇ ନଥିବା ପ୍ରାୟ ୪୦ ହଜାରରୁ ଅଦିକ ମତଦାତା ଏକାଠି ହୋଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି। କେବଳ ଏତିକି ନୁହେଁ ବସ୍ତି ମୁହାଁ ହେଉଥିବା ରାଜନୈତିକ ଦଳର ନେତାଙ୍କୁ ଏକାଠି ହୋଇ ପ୍ରତିବାଦ କରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି।

ବନ୍ଧମୁଣ୍ଡା ତିଲିକାନଗର, ଶୀତଳନଗର, ଚମ୍ପାଗଡ଼, ଉତ୍ତମ ବସ୍ତିବାସୀଙ୍କ ପାଇଁ ସଂଘର୍ଷ କରୁଥିବା ଆଇ ରାଜା ରମେଶ କହିଛନ୍ତି, ଆମ ଦୁଃଖ ନ ଶୁଣିଲେ ଭୋଟ ବର୍ଜନ କରିବୁ। ଟାଙ୍ଗରପାଲି, ଝାରମୁଣ୍ଡା, ତୁମକେଲା, ଲୁଆକେରା ବସ୍ତିର ନେତୃତ୍ବ ନେଉଥିବା ଲଚ୍ଛୁ ଓରାମ, ସୋନୁ ବଡ଼ାଇକ, ମାଙ୍ଗ୍ରା ଓରାମ ସେହି ସମାନ କଥା କହିଛନ୍ତି। ଯାହା ଆସନ୍ତା ନିର୍ବାଚନରେ ଜିଲ୍ଳା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ। ସୂଚନାଯୋଗ୍ୟ, ରାଉରକେଲା ତହସିଲ ଅଧୀନସ୍ଥ ଲୁଆକେରା, ତୁମକେଲା, ହମିରପୁର, ଟାଙ୍ଗରପାଲି, ଝାରମୁଣ୍ଡା, ରେଙ୍ଗାଡ଼ି, ଲୋକବରକନୀ ଆଦି ଅଞ୍ଚଳ କୌଣସି ପଞ୍ଚାୟତ କିମ୍ବା ଆର୍‌ଏମ୍‌ସି ଅଧୀନରେ ନାହିଁ। ଏ ସମ୍ପର୍କରେ ବିଧାନସଭାରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରଶ୍ନ କରିଥିଲେ। ଉତ୍ତରରେ ପଞ୍ଚାୟତରାଜ ମନ୍ତ୍ରୀ ବିଧାନସଭାରେ ଯେଉଁ ଉତ୍ତର ରଖିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ, ଲୁଆକେରା, ତୁମେକଲା, ହମିରପୁର, ଟାଙ୍ଗରପାଲି, ଝାରମୁଣ୍ଡା, ରେଙ୍ଗାଡି, ଲୋକବରକାନୀ ଆଦି ଗାଁ ପଞ୍ଚାୟତ କିମ୍ବା ମ୍ୟୁନିସିପାଲିଟି କାହା ଅଧୀନରେ ନ ଆସିବା କଥା ସରକାରଙ୍କ ଦୃଷ୍ଟିକୁ ଆସିନାହିଁ। ସେପଟେ ଲୁଆକେରା, ତୁମକେଲା, ଝାରମୁଣ୍ଡା, ଟାଙ୍ଗରପାଲି, ବନ୍ଧମୁଣ୍ଡାର ଉତ୍ତମବସ୍ତି, ତିଲକାନଗର ସମେତ ସହର ଉପକଣ୍ଠର ଅନ୍ୟ କିଛି ଅଞ୍ଚଳ ସରକାରୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି। ହମିରପୁରରେ ପ୍ରାୟ ୧୫ ହଜାର, ବନ୍ଧମୁଣ୍ଡାର ତିଲକାନଗର, ଉତ୍ତମ ବସ୍ତିରେ ୫ ହଜାରରୁ ଅଧିକ, ଅନ୍ୟ ଗାଁଗୁଡ଼ିକରେ ପାଖାପାଖି ୪୦ ହଜାର ମତଦାତା ଅଛନ୍ତି।

ସମ୍ବନ୍ଧିତ ଖବର