ଟିପର-ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ଆଈ-ନାତି-ନାତୁଣୀଙ୍କ ମୃତ୍ୟୁ

ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ପୋଡ଼ାଜଳା, ୧ ପ୍ଲାଟୁନ ପୁଲିସ ମୁତୟନ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଶନିବାର ଏକ ଟିପର ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କାଂସବାହାଲ ଫାଣ୍ଡି ଅନ୍ତର୍ଗତ ରାମଲତା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପଥର ବୋଝେଇ ଟିପର(ଓଆର ୧୪ଡି ୮୬୭୭) ଶକ୍ତ ଧକ୍କା ଦେବାରୁ ଟ୍ରାକ୍ଟର(ଓଡି ୦୬ ୨୬୬୯)ଟି ଓଲଟି ଯାଇଥିଲା। ଫଳରେ ଆଈ, ନାତି ଓ ନାତୁଣୀଙ୍କ ମୃତ୍ୟୁ ହୋଇଥିଲା ଧକ୍କା ହେବା ଫଳରେ କୋଲେସ୍ତିକା ମିଞ୍ଜ(୬୫), ପ୍ରୀତି ମିଞ୍ଜ(୧୦) ଓ ଅମନ ବାଖଲା(୧୦) ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଟିପରରେ ଥିବା ପଥରଗୁଡ଼ିକ ଆଈ, ନାତି ଓ ନାତୁଣୀଙ୍କ ଉପରେ ପଡ଼ିଯାଇଥିଲା।

ସୂଚନା ଅନୁସାରେ ବେଆଇନ କ୍ରସର ମିଲ୍‌ରୁ ପଥର ବୋଝେଇ ଟିପର ରାମଲତାରୁ କାଂସବହାଲ ଆଡ଼କୁ ଯାଉଥିଲା। ବାଟରେ ଆଈ, ନାତି ଓ ନାତୁଣୀ ରାଜଗାଙ୍ଗପୁର ଯିବା ପାଇଁ ଅଟକାଇ ଥିଲେ। କିଛି ବାଟ ଆଗକୁ ଯିବା ପରେ ଟିପରଟି ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟରକୁ ଶକ୍ତ ଧକ୍କା ଦେବାରୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାମଲତା ନିକଟରେ ଥିବା ବେଆଇନ କ୍ରସର ମିଲ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ସେମାନେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିବା ସହିତ ଏକ ପୋଖଲେନ, ଟ୍ରାକ୍ଟର ଓ କମ୍ପ୍ରେସରରେ ନିଆଁ ଲଗାଇ ଦେଇଥିଲେ। ସୂଚନା ମିଳିବା ମାତ୍ରେ ତହସିଲଦାର, ମାଜିଷ୍ଟ୍ରେଟ୍‌, ଏସ୍‌ଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର