ଟୋଲ ଟ୍ୟାକ୍ସ ଆଦାୟକୁ ଟ୍ରକ୍‌ ମାଲିକଙ୍କ ବିରୋଧ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ

ସୁନ୍ଦରଗଡ଼: ମସ୍ନିକାନୀ ଟୋଲ୍‌ ଗେଟ୍‌ରେ ଟୋଲ ଟ୍ୟାକ୍ସ ଆଦାୟକୁ ଆରମ୍ଭରୁ ବିରୋଧ କରାଯାଉଥିବାବେଳେ ପ୍ରତିବାଦ ଏବେ ଶାଣିତ ହେବାରେ ଲାଗିଛି। ସୁନ୍ଦରଗଡ଼ ନାଗରିକ କମିଟି କର୍ମକର୍ତା ଟୋଲ୍‌ ଟ୍ୟାକ୍ସ ଆଦାୟକୁ ତୀବ୍ର ବିରୋଧ କରି ତୁରନ୍ତ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ଆଜି ସୁନ୍ଦରଗଡ଼ର ଟ୍ରକ୍‌, ମଲ୍‌ଟିଏକ୍ସେଲ ମାଲିକମାନେ ଦାବି ଦୋହରାଇଛନ୍ତି। ଟୋଲ୍‌ ଟ୍ୟାକ୍ସ ଆଦାୟ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନର ଚେତାବନୀ ଦେଇଛନ୍ତି।
ଆଜି ପୂର୍ବାହ୍ନରେ ଗାଡ଼ିମାଲିକମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ଏଲ୍‌ ଆଣ୍ଡ୍‌ ଟି ପକ୍ଷରୁ ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇନି। ମାତ୍ର ଆଗାମୀ ୪ ତାରିଖରୁ ଟୋଲ୍‌ ଟ୍ୟାକ୍ସ ଆଦାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଟ୍ୟାକ୍ସର ପରିମାଣ ମଧ୍ୟ ଅଧିକ ରହିଛି। ରେଙ୍ଗାଲି ଓ ନୂଆଗାଁ ଟୋଲ୍‌ ଗେଟ୍‌ରେ ଏହାର ପରିମାଣ କମ୍‌ ଥିବାବେଳେ ସୁନ୍ଦରଗଡ଼ର ମସ୍ନିକାନୀରେ କିନ୍ତୁ ମାତ୍ରାଧିକ ରହିଛି। ଏହାଦ୍ୱାରା ଗାଡ଼ିମାଲିକଙ୍କ ସମେତ ସ୍ଥାନୀୟ ଜନସାଧାରଣ ଅକାରଣରେ ଖର୍ଚ୍ଚାନ୍ତ ହେବେ। ଏହି ଟୋଲ୍‌ ଗେଟ୍‌ରେ ସ୍ଥାନୀୟ ଜନସାଧାରଣ, ଗାଡ଼ିମାଲିକଙ୍କୁ ଦେୟମୁକ୍ତ କରାଯିବା ଉଚିତବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଦାବିପତ୍ର ପ୍ରଦାନବେଳେ ରମଣୀ ରଂଜନ ଯୋଶୀ, ବଟକିଶୋର ମିଶ୍ର, ସଂଜୟ ନନ୍ଦ, ପ୍ରଫୁଲ୍ଲ ସୁନାନୀ, ଧର୍ମେନ୍ଦ୍ର ସିଂ, ବାବୁଲୁ ପାଣିଗ୍ରାହୀଙ୍କ ସମେତ ବହୁ ଟ୍ରକ ମାଲିକ ସାମିଲ ଥିଲେ।

ସମ୍ବନ୍ଧିତ ଖବର