ମିଳୁନି ପର୍ଯ୍ୟଟନର ମାନ୍ୟତା: ପିକନିକ୍ ପାଇଁ ଲାଗିରହେ ଲୋକଙ୍କ ଭିଡ଼ 

କୋଇଡ଼ାରୁ ମଳୟ ରଞ୍ଜନ ସାହୁ

ରାଉରକେଲା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ସୁନ୍ଦରଗଡ଼ରେ ରହିଛି ୧୪ରୁ ଅଧିକ ପର୍ଯ୍ୟଟନସ୍ଥଳ। କେଉଁଠି ବିକାଶ ହୋଇଛି ତ ଅନ୍ୟ କେଉଁଠି ବିକାଶକୁ ପର୍ଯ୍ୟଟନ ବିଭାଗ ଭୁଲିଯାଇଛି। ଜିଲ୍ଲାରେ ଏବେବି ଅନେକ ପିକନିକ ସ୍ପଟ୍‌ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ବହୁ ଦାବି ସତ୍ତ୍ବେ ମିଳୁନି ପର୍ଯ୍ୟଟନସ୍ଥଳର ମାନ୍ୟତା। ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇନଥିବାରୁ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ସେମିତି ପଡ଼ିରହିଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ ତେହେରେଇ ନିକଟ ସୁନାଘାଗି ଜଳପ୍ରପାତ। ବଣାଇର ଖଣ୍ଡାଧାର ଜଳପ୍ରପାତଠୁ ଛୋଟ ହେଲେ ହେଁ ବେଶ ସୁନ୍ଦର ସ୍ଥାନ।

କୋଇଡ଼ା ମୁଖ୍ୟ ବଜାରରୁ ମାତ୍ର ୧୦ କିମି ଦୂର। ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବଡ଼ବଡ଼ ଶାଳବଣ, ସବୁଜବନାନୀ, ହରିଣ, ମାଙ୍କଡ଼ମାନଙ୍କ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ। ବଣଭୋଜି କରିବାକୁ ଏ ଅଞ୍ଚଳ ତଥା ଜିଲ୍ଲା ଏବଂ ପଡ଼ୋଶୀଜିଲ୍ଲାରୁ ଶହ ଶହ ପର୍ଯ୍ୟଟକ ଛୁଟି ଆସନ୍ତି। ବଣଜଙ୍ଗଲ ଏହି ଜଳପ୍ରପାତ ମଧ୍ୟରେ ବହିଯାଇଛି ସୁନାନଦୀ। ଯାହା ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛି। ସୁନାଘାଗି ଜଳପ୍ରପାତରୁ ୨୦ ଫୁଟ୍ ଉଚ୍ଚତାରୁ ପଡୁଥିବା ଝରଣାର ଜଳରାଶି ବେଶ ମନୋରମ। କୋଇଡ଼ା ବ୍ଲକ୍‌ର ଏହି ପର୍ଯ୍ୟଟନସ୍ଥଳ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବ୍ୟୟ କରାଯାଇ ପାରନ୍ତା। ହେଲେ ପ୍ରଶାସନ ପର୍ଯ୍ୟଟନ ବିଭାଗ ଓ ସ୍ଥାନୀୟ ରାଜନୈତିକ ଇଛାଶକ୍ତିର ଅଭାବରୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବାରୁ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଜଳପ୍ରପାତର ବିକାଶ ସହ ବଣଭୋଜି ପାଇଁ ପିଣ୍ଡିର ବ୍ୟବସ୍ଥା ଓ ସ୍ଥାନୀୟ ଅଞ୍ଚଳକୁ ନୂଆ ରୂପ ଦେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ବେଶ ସହାୟକ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର