ରାଉରକେଲା: ରାଜ୍ୟ ସରକାର ହେଲମେଟ ଚେକିଂ କଡ଼ା କଡ଼ି କରିବାକୁ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦେଶ ଦେବା ସହ ହେଲମେଟ ନ ପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ମଧ୍ୟ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ପୁଲିସ ଜିଲ୍ଲା ଅଧୀନରେ ଥିବା ସମସ୍ତ ଥାନା ପକ୍ଷରୁ ସହରରେ ଜୋରଦାର ଚେକିଂ ଆରମ୍ଭ ହୋଇ ଯାଇଛି। ଥାନାର ହୋମଗାର୍ଡଠାରୁ ଆରମ୍ଭ କରି ଇନ୍ସପେକ୍ଟର ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଚେକିଂ ଏବେ ସବୁବେଳେ ଚାଲିବ। ତେଣୁ ରାଉରକେଲାରେ ଏକ ସ୍ୱତନ୍ତ୍ର ଟ୍ରାଫିକ୍ ଥାନା ପ୍ରତିଷ୍ଠା ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।

Advertisment

ରାଉରକେଲା ଭଳି ସହରରେ ଅପରାଧ ମାତ୍ରା ଅଧିକ ଥିବାରୁ ରାଜ୍ୟ ସରକାର ଏବେ ସ୍ୱତନ୍ତ୍ର ପୁଲିସ ଜିଲ୍ଲା ଗଠନ କରିଥିଲେ। ଏପରିକି କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀ ରାଉରକେଲାରେ କମିସନରେଟ ପୁଲିସ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ ରାଉରକେଲା ସ୍ମାର୍ଟସିଟି ମାନ୍ୟତା ପାଇଲା। ଧିରେ ଧିରେ ଏବେ ସହରର ଜନସଂଖ୍ୟା ବଢ଼ିବା ସହିତ ଗାଡି ମୋଟର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ସବୁ ଦୃଷ୍ଟିରୁ ସହରରେ ଏକ ଟ୍ରାଫିକ୍ ଥାନା ପ୍ରତିଷ୍ଠା ଆବଶ୍ୟକତା ରହିଛି।

ଅବଶ୍ୟ ଟ୍ରାଫିକ୍ ପରିଚାଳନା ପାଇଁ ସହରରେ ଏକ ଟ୍ରାଫିକ୍ ଆଉଟ ପୋଷ୍ଟ ରହିଛି। ଜଣେ ଏସଆଇ, ଦୁଇ ଏଏସଆଇ, ୭ ଜଣ ହାବିଲଦାର, ୬୦ ଜଣ କନଷ୍ଟେବଲ ଓ ୫୦ ଜଣ ହୋମଗାର୍ଡ କାର୍ଯ୍ୟ କରୁଛନ୍ତି। କାର୍ଯ୍ୟ କରୁଛନ୍ତି ସତ, କିନ୍ତୁ ନିଜ ଆଡୁ ଗୋଟିଏ ହେଲେ ବି ମାମଲା ରୁଜୁ କରି ପାରୁନାହାନ୍ତି। ଇନ୍ସପେକ୍ଟର ନ ଥିବା ସହିତ ମାତ୍ର ୩ ଜଣ ଅଫିସରଙ୍କୁ ନେଇ ଟ୍ରାଫିକ ପରିଚାଳନା କରିବା ମଧ୍ୟ କଷ୍ଟକର ବ୍ୟାପାର। ସ୍ୱତନ୍ତ୍ର ଥାନା ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଏ ସମ୍ପର୍କରେ ରାଉରକେଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏ ସମ୍ପର୍କରେ ଏକ ଚିଠି ଏସପିଙ୍କ ମାଧ୍ୟମରେ କଟକସ୍ଥିତ ପୁଲିସ ମୁଖ୍ୟାଳୟକୁ ପଠାଯାଇଛି। ରାଜ୍ୟ ସରକାର ଏହାକୁ ମୋହର ମାରିଲେ, ରାଉରକେଲାରେ ଟ୍ରାଫିକ ଥାନା ପ୍ରତିଷ୍ଠ ହୋଇ ପାରିବ।