ରାଉରକେଲା: ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ବଡ଼ାବାମ୍ବୋ ଷ୍ଟେସନ ନିକଟରେ ହାୱଡା-ମୁମ୍ବାଇ ମେଲ୍‌ ଦୁର୍ଘଟଣା ଯୋଗୁଁ ମୁମ୍ବାଇ-ହାୱଡ଼ା ମୁଖ୍ୟ ମାର୍ଗରେ ରେଳସେବା ପ୍ରଭାବିତ ହୋଇଛି। ଉଭୟ ଦିଗରୁ ଆସୁଥିବା ବହୁ ସୁପରଫାଷ୍ଟ, ଏକ୍ସପ୍ରେସ୍‌, ମେଲ୍‌, ପାସେଞ୍ଜର, ସ୍ବତନ୍ତ୍ର ମେମୁ ଆଦି ମୋଟ ୭୬ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ଫଳରେ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଛୋଟ, ବଡ଼ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ହଜାରହଜାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାତିଲ ହୋଇଥିବା ୭୬ଟି ଟ୍ରେନ୍‌ ମଧ୍ୟରେ କିଛି ପ୍ରମୁଖ ହେଲା, ହାୱଡା-କଣ୍ଟାବାଞ୍ଜି ଇସ୍ପାତ୍‌ (୨୨୮୬୧), ଖଡ଼ଗପୁର-ଧାନବାଦ-ଖଡ଼ଗପୁର ଏକ୍ସପ୍ରେସ୍‌ (୦୮୦୧୫/୧୮୦୧୯), ଟାଟାନଗର-ଇତୱାରି ଏକ୍ସପ୍ରେସ୍‌ (୧୮୧୦୯), ଟାଟାନଗର-ଏର୍ଣ୍ଣାକୁଲମ୍‌ ଏକ୍ସପ୍ରେସ୍‌, ମୁମ୍ବାଇ-ହାୱଡା ମେଲ୍‌, ଏର୍ଣ୍ଣାକୁଲମ୍‌-ଟାଟାନଗର ଏକ୍ସପ୍ରେସ୍‌ ବାତିଲ ହୋଇଛି। ଖଡଗପୁର-ଟାଟାନଗର-ଖଡଗପୁର ସ୍ବତନ୍ତ୍ର, ଆସାନ୍‌ସୋଲ୍‌-ଟାଟାନଗର-ଆସନ୍‌ସୋଲ୍‌ ସ୍ବତନ୍ତ୍ର, ଟାଟାନଗର-ଧାନବାଦ-ଟାଟାନଗର, ଟାଟାନଗର-ହଟିଆ, ଜଗଦଲପୁର-ହାୱଡା, କଣ୍ଟାବାଞ୍ଜି-ହାୱଡା, ଏଲ୍‌ଟିଟି ମୁମ୍ବାଇ- ଶାଲିମାର, ରାଉରକେଲା-ଟାଟାନଗର ଏକ୍ସପ୍ରେସ୍‌, ଟାଟାନଗର-ହଟିଆ-ଟାଟାନଗର ସ୍ବତନ୍ତ୍ର, ହଟିଆ-ବର୍ଦ୍ଧମାନ-ହଟିଆ ଏକ୍ସପ୍ରେସ୍‌, ହଟିଆ-ଖଡଗପୁର-ହଟିଆ ଆଦି ଟ୍ରେନ୍‌ ଗୁଡ଼ିକ ଆସନ୍ତାକାଲି (ବୁଧବାର) ପର୍ଯ୍ୟନ୍ତ ବାତିଲ ହୋଇଛି। ଏହାଛଡ଼ା ୨୮ଟି ଟ୍ରେନ୍‌ର ଦିଗ ପରିବର୍ତ୍ତନ ଓ ୧୧ଟିକୁ ଆଂଶିକ ବାତିଲ କରାଯାଇଛି। ହାୱଡା-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ୍‌ ଖଡ଼ଗପୁର-ଭଦ୍ରକ ଷ୍ଟେସନ ଦେଇ ଯିବ। ହାୱଡା-ପୁନେ ଆଜାଦ ହିନ୍ଦ ଏକ୍ସପ୍ରେସ୍‌, ହାୱଡା-ଜଗଦଲପୁର ଏକ୍ସପ୍ରେସ୍‌, ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ୍‌, ପୁରୀ-ରିଷିକେଶ୍‌ ଏକ୍ସପ୍ରେସ୍‌, ଏଲ୍‌ଟିଟି ମୁମ୍ବାଇ-ହାୱଡା ଏକ୍ସପ୍ରେସ୍‌, ମୁମ୍ବାଇ-ହାୱଡା ଗୀତାଞ୍ଜଳି ଏକ୍ସପ୍ରେସ୍‌, ଅହମ୍ମଦାବାଦ-ହାୱଡା ଏକ୍ସପ୍ରେସ୍‌ର ଦିଗ ପରିବର୍ତ୍ତନ କରାଯାଇଛି। ସେମିତି ପୁନେ-ହାୱଡା ଦୂରନ୍ତ ଏକ୍ସପ୍ରେସ୍‌, ବେଙ୍ଗଲୁରୁ-ଟାଟାନଗର ଏକ୍ସପ୍ରେସ୍‌, ଏଲ୍‌ଟିଟି ମୁମ୍ବାଇ-ଶାଲିମାର୍‌ ଏକ୍ସପ୍ରେସ୍‌ର ମଧ୍ୟ ଦିଗ ପରିବର୍ତ୍ତନ କରାଯାଇଛି। ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ୍‌ ଟାଟାନଗର-ଚାନ୍ଦିଲ୍‌-ପୁରୁଲିଆ-କୋଟଶିଳା-ନୂଆଗାଁ-ରାଉରକେଲା ଦେଇଯିବ। ହାୱଡା-ମୁମ୍ବାଇ ମେଲ୍‌ ଖଡଗପୁର-ମେଦିନାପୁର-ଆଦ୍ରା-ବୋକାରୋ ଷ୍ଟିଲସିଟି, କୋଟଶିଳା, ନୂଆଗାଁ ଓ ରାଉରକେଲା ଦେଇଯିବ। ସେମିତି କିଛି ଟ୍ରେନ୍‌କୁ ଅଧାରୁ ବାତିଲ କରାଯାଇଛି। ବିଳାସପୁର-ଟାଟାନଗର ଏକ୍ସପ୍ରେସ୍‌ ରାଉରକେଲାରେ ଅଟକିଛି। ଚକ୍ରଧରପୁର-ହାୱଡା ଏକ୍ସପ୍ରେସ୍‌ ଆଦ୍ରା ଷ୍ଟେସନ ପର୍ଯ୍ୟନ୍ତ ଯିବ। ଏଲ୍‌ଟିଟି ମୁମ୍ବାଇ-ଶାଲିମାର୍‌ ଏକ୍ସପ୍ରେସ୍‌ ବିଳାସପୁର ପର୍ଯ୍ୟନ୍ତ ଆସିବ। ଦୁର୍ଗ-ଆରା ଏକ୍ସପ୍ରେସ୍‌ ଝାରସୁଗୁଡାରେ ଅଟକିବ। ଆରା-ଦୁର୍ଗ ଏକ୍ସପ୍ରେସ୍‌ ଟାଟାନଗର ଷ୍ଟେସନରୁ ଫେରିଯିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।