କ‌ରୋନା ଆଳ, ଅଟକିଛି ରେଳ : ରାଉରକେଲାରୁ ଗଡ଼ୁନି ୭ ପାସେଞ୍ଜର ଟ୍ରେନ୍‌

ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ

ରାଉରକେଲା : ରାଉରକେଲା ଦେଇ ସ୍ପେସାଲ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଛି, କିନ୍ତୁ ୭ଟି ପାସେଞ୍ଜର୍‌ ଟ୍ରେନ୍‌ ଏଯାଏଁ ଚାଲିପାରିନି। ଏପରିକି କେତୋଟି ଟ୍ରେନ୍‌ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉନି। ଫଳରେ ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି।

ରାଉରକେଲା ଦେଇ ଉଭୟ ଅପ୍‌ ଓ ଡାଉନ୍‌ରେ ୫୫ଟି ଟ୍ରେନ୍‌ ଚଳାଚଳ କରୁଛି। ଏଥିମଧ୍ୟରୁ ପ୍ରାୟ ୪୮ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଥିବାବେଳେ ୭ଟି ପାସେଞ୍ଜର ଟ୍ରେନ୍‌ ରହିଛି। ତେବେ କରୋନା ମହାମାରୀ ଯୋଗୁଁ ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ଫଳରେ ରାଉରକେଲା ଦେଇ ଶାଲିମାର-କୁର୍ଲା ପାସେଞ୍ଜର୍‌, ଟାଟା-ଇତୱାରୀ ପାସେଞ୍ଜର, ଟାଟା-ବିଳାଶପୁର ପାସେଞ୍ଜର, ଟାଟା-ନାଗପୁର ପାସେଞ୍ଜର, ଝାରସୁଗୁଡ଼ା-ହାଟିଆ ପାସେଞ୍ଜର, ରାଉରକେଲା-ପୁରୀ ପାସେଞ୍ଜର ଓ ରାଉରକେଲା-ସମ୍ବଲପୁର ପାସେଞ୍ଜର ଆଉ ଗଡ଼ିନି। ଏତଦ୍‌ବ୍ୟତୀତ ଆଉ ୨/୩ଟି ଟ୍ରେନ୍‌ ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳକୁ ବି ଯାଉନି। ପୂର୍ବରୁ ହାଟିଆ-ଝାରସୁଗୁଡ଼ା ଟ୍ରେନ୍‌ ଚାଲୁଥିବାବେଳେ ଏହି ଟ୍ରେନ୍‌ଟି ଏବେ ରାଉରକେଲା ଯାଏଁ ହିଁ ଚଳାଚଳ କରୁଛି। ସେହିଭଳି ଚକ୍ରଧରପୁର-ଝାରସୁଗୁଡ଼ା ଟ୍ରେନ୍‌ ମଧ୍ୟ କେବଳ ରାଉରକେଲା ଯାଏଁ ଚାଲୁଛି।

ରାଉରକେଲା ଦେଇ ଚଳାଚଳ କରୁଥିବା ପ୍ରାୟ ୪୮ଟି ଏକ୍ସପ୍ରେସ୍‌ ମଧ୍ୟରୁ କେବଳ ଗୋଟିଏ ଅର୍ଥାତ ହାୱଡ଼ା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍‌ ଏଯାଏଁ ଚାଲିପାରିଲାନି। ଅବଶ୍ୟ, ଆଗାମୀ ସପ୍ତାହ ମଧ୍ୟରେ ଏହି ଟ୍ରେନ୍‌ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଏକ୍ସପ୍ରେସ୍‌ର ରହଣି ସ୍ଥାନକୁ ହ୍ରାସ କରିଦିଆଯାଇଛି। ଟ୍ରେନ୍‌ଟି ପୂର୍ବଭଳି ଆଉ ପ୍ରତି ଷ୍ଟେସନରେ ରହିବନି। ଏହି ଟ୍ରେନ୍‌ ହାୱଡ଼ାରୁ ବାହାରିଲାପରେ କେବଳ ଖଡ଼ଗପୁର, ରାଉରକେଲା ଓ ସମ୍ବଲପୁରରେ କିଛି ସମୟପରେ ସିଧାସଳଖ ଜଗଦଲପୁରରେ ହିଁ ରହିବ। ବିଭିନ୍ନ ପ୍ରମୁଖ ରହଣି ସ୍ଥାନ ଯଥା- ଚକ୍ରଧରପୁର, ଝାରସୁଗୁଡ଼ା, ବରଗଡ଼, ରାୟଗଡ଼ା, କୋରାପୁଟ ଆଦି ଷ୍ଟେସନରେ ରହିବନି।

ସମ୍ବନ୍ଧିତ ଖବର