ପରିବହନ ଭଡା ବୃଦ୍ଧି ଓ ଟପରିଆ ରାସ୍ତା ନିର୍ମାଣ ଦାବି: ସୁନ୍ଦରଗଡ଼ରେ ଟ୍ରକ ମାଲିକ ସଂଘର ଚକାବନ୍ଦ

ସୁନ୍ଦରଗଡ଼:  କୋଇଲା ପରିବହନ ଭଡ଼ା ବୃଦ୍ଧି ନେଇ ଟ୍ରକ ମାଲିକମାନଙ୍କ ଦାବି ଉପରେ ଜିଲ୍ଲା ପ୍ରଶାସନ ଜାରି ରଖିଥିବା ଆଲୋଚନା ବିଫଳ ହେବା ପରେ ଆଜି ସଂଘ ଚକାବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ସମନ୍ନିତ କୋଇଲା ଟ୍ରକ ମାଲିକ ସଂଘ ନେତୃତ୍ବରେ ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଓ ବିସ୍ଥାପିତ ଗାଡ଼ି ମାଲିକ ସଂଘ ହେମଗିରସ୍ଥିତ ଡୁଡୁକା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ଆନ୍ଦୋଳନକୁ କଂଗ୍ରେସ ଓ ବିଜେପି ସହ ସୁନ୍ଦରଗଡ଼ ବଣିକ ସଂଘ ସମର୍ଥନ କରିଥିବା ବେଳେ ଶହଶହ ସଂଖ୍ଯାରେ ଟ୍ରକ ଖଣି ଅଞ୍ଚଳରେ ଅଟକି ରହିଛି। ଫଳରେ ଏମସିଏଲର କୋଇଲା ପରିବହନ ବନ୍ଦ ରହିଛି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ସଂଘ ଘୋଷଣା କରିଥିବାରୁ ଆଗକୁ ଏମସିଏଲ ଓ ବିଭିନ୍ନ ଶିଳ୍ପ ସଂସ୍ଥା ସମସ୍ଯାରେ ପଡ଼ିବାର ଆଶଙ୍କା ରହିଛି। ମାଲିକମାନେ ଟନ୍ ପ୍ରତି ୧୪୦ ଟଙ୍କା ଭଡ଼ା ବୃଦ୍ଧି ଦାବି କରି ଆସୁଛନ୍ତି। ତେଲ ଓ ଅନ୍ଯ ଦର ସହ ଟୋଲ ଟ୍ଯାକ୍ସ ହୁହୁ ହୋଇ ବଢି ଚାଲିଥିବାବେଳେ କୋଇଲା ପରିବହନ ସେହି ହାରରେ ନ ବଢିବା ଯୋଗୁଁ ମାଲିକମାନେ ମାସିକ ୪୩ ହଜାରରୁ ଅଧିକ ଟଙ୍କା କ୍ଷତି ସହୁଥିବା ପ୍ରକାଶ ପାଇଛି। ତେବେ ଭଡ଼ା ବୃଦ୍ଧି ସମ୍ପର୍କରେ ନିଷ୍ପତ୍ତି ନେବାକୁ ୧୫ ତାରିଖରେ ଉପଜିଲ୍ଲାପାଳ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଡାକିଥିଲେ, କିନ୍ତୁ ବୈଠକକୁ କୌଣସି କମ୍ପାନି ଆସି ନଥିଲେ।

ଡିସେମ୍ବର ଯାଏ ପରିବହନ ଠିକା ଟ୍ରାନ୍ସପୋର୍ଟରମାନଙ୍କୁ ଦିଆଯାଇଥିବାରୁ ଭଡ଼ା ବୃଦ୍ଧି ସମ୍ପର୍କରେ ଏବେ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି କମ୍ପାନିଗୁଡ଼ିକ ପକ୍ଷରୁ କୁହାଯାଇଥିଲା। ଫଳରେ ଟ୍ରକ ମାଲିକମାନେ ବାଧ୍ଯ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ସମନ୍ବିତ କୋଇଲା ଟ୍ରକ ମାଲିକ ସଂଘ (ୟୁସିଟିଏ) ନେତୃତ୍ବରେ ହେଉଥିବା ଏହି ଆନ୍ଦୋଳନରେ ଅନ୍ୟତମ ସଦସ୍ୟ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ ସାମିଲ ହୋଇ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ଆନ୍ଦୋଳନସ୍ଥଳ ଓ ଖଣି ଅଞ୍ଚଳରେ ବ୍ଯାପକ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର