ରାଉରକେଲା: ନଦୀଜଳକୁ ପ୍ରଦୂଷଣ ମୁକ୍ତ କରିବାକୁ ସହରରେ ପ୍ରତିଷ୍ଠା ହୋଇଛି ୪୦ ଏମ୍‌ଏଲ୍‌ଡି ସ୍ବରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ (ଏସ୍‌ଟିପି)। ପାନପୋଷ ବାଲୁଘାଟସ୍ଥ ଏସ୍‌ଟିପି ଯେ​ନତେନ ପ୍ରକାରେ ଚାଲିଛି। ଜାଗା ବିବାଦରୁ କୋଏଲନଗର ଓ ବନ୍ଧମୁଣ୍ଡାରେ ୮ ଏମ୍‌ଏଲ୍‌ଡି ଲେଖାଏଁ ଏସ୍‌ଟିପି ସେମିତି ପ୍ରସ୍ତାବରେ ଅଟକ ଯାଇଛି। ଆଗାମୀ ଦିନରେ ଦୁଇଟି ଏସ୍‌ଟିପି ହେବ କାହିଁ, କାହାରି ପାଖରେ ଉତ୍ତର ନାହିଁ। ପୂର୍ବପରି ସହରରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ବ୍ରାହ୍ମଣୀନଦୀରେ ମିଶୁଛି। ତରକେରାଠାରେ ବିନା ଟ୍ରିଟମେଣ୍ଟରେ ବ୍ରାହ୍ମଣୀକୁ ବର୍ଜ୍ୟଜଳ ଅଧିକାଂଶ ସମୟରେ ସେମିତି ଛାଡି ଦିଆଯାଉଛି। ଟ୍ରି‌ଟମେଣ୍ଟ ହେବା ପରେ ଏହି ଜଳ ପୂର୍ଣ୍ଣ ବ୍ୟବହାରଯୋଗ୍ୟ ହେବ ବୋଲି କୁହାଯାଇଥିଲା। କିନ୍ତୁ ଆଜି ଯାଏଁ ଟ୍ରିଟମେଣ୍ଟ ଜଳ କେଉଁଠି ବ୍ୟବହାର ହେଉଛି, କାହାକୁ ଜଣା ନାହିଁ। ବାଲୁଘାଟରେ ଠିକ୍‌ କାର୍ଯ୍ୟକ୍ଷମ ନ ହେବା, କୋଏଲନଗର ଓ ବନ୍ଧମୁଣ୍ଡାରେ ଜାଗା ବିବାଦରୁ ପ୍ରକଳ୍ପ ଅଟକି ଯାଇଥିବାରୁ ସହରରୁ ନିର୍ଗତ ବର୍ଜ୍ୟଜଳ କୋଏଲ ଓ ବ୍ରାହ୍ମଣୀ ନଦୀରେ ମିଶୁଛି। କେବଳ ଘରୁ ନୁହେଁ, ଅନେକ ହସ୍ପିଟାଲ ଓ ହୋଟେଲରୁ ନିର୍ଗତ ବର୍ଜ୍ୟଜଳ ମଧ୍ୟ ଦୁଇଟି ନଦୀରେ ମିଶୁଛି।

Advertisment

ସେପଟେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର କାରଣଦର୍ଶାଅ ନୋଟିସ୍‌ ମଧ୍ୟ ଜାରି ହୋଇଛି। ହେଲେ ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ଉପରେ ସେମିତି କୌଣସି ପ୍ରଭାବ ପକାଇ ପାରିନି। ଗତ ୨୦୧୭ରେ ପ୍ରାୟ ୩୬୩ କୋଟି ଟଙ୍କା ବ୍ୟୟରେ ଏହି ସ୍ବରେଜ ଟ୍ରିଟ୍‌ମେଣ୍ଟ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୩ ବର୍ଷ ଭିତରେ, ଅର୍ଥାତ୍‌ ୨୦୨୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପ୍ରକଳ୍ପ କାମ ଶେଷ ହୋଇପାରି ନଥିଲା। ଠିକା ସଂସ୍ଥାକୁ ବିଭାଗୀୟ ଅଧିକାରୀମାନେ ସମୟ ପରେ ସମୟ ଦେଇ ଚାଲିଥିଲେ। ବିଳମ୍ବରେ ହେଲେ ମଧ୍ୟ ବାଲୁଘାଟ ଏସ୍‌ଟିପିକୁ କାର୍ଯ୍ୟକ୍ଷମ କରାଗଲା। ହେଲେ ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ ସହରବାସୀଙ୍କ ଯେତିକି କାମରେ କାମରେ ଆସିବା କଥା, ତା’ ହେଉନି। ଉଦିତନଗର ମ୍ୟୁନସିପାଲ୍‌ କଲେଜ ନିକଟ, ସରକାରୀ ଆଇଟିଆଇ ଓ ଟି୍ସ୍‌କୋ ଖାଦାନ ନିକଟରେ ଏମ୍‌ଏସ୍‌ପି (ମୁଖ୍ୟ ପମ୍ପ ହାଉସ୍‌) ରହିଛି। ଏଥି ମଧ୍ୟରୁ ଟିସ୍‌କୋ ଓ ମ୍ୟୁନିସପାଲ ନିକଟ ପମ୍ପହାଉସ୍‌ ଠିକ୍‌ ଭାବେ ଚାଲୁନି। ସେପଟେ ସହର ଡାକ୍ତରଖାନା, ହୋଟେଲ, ଘର, ଛୋଟ ଛୋଟ କାରଖାନାରୁ ନିର୍ଗତ ବର୍ଜ୍ୟଜଳ ସହରର ପ୍ରମୁଖ ଡ୍ରେନ୍‌ ଦେଇ ତରକେରା ଓ ବାଲୁଘାଟରେ ପହଞ୍ଚୁଛି। ବାଲୁଘାଟସ୍ଥ ଏସ୍‌ଟିପିରେ ବର୍ଜ୍ୟଜଳ ଟ୍ରିଟମେଣ୍ଟ ହେଉଥିଲାବେଳେ ତରକେରାରେ ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। ଫଳରେ ନଦୀ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ ଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଖରାଦିନେ ନଦୀ ଜଳ ହ୍ରାସ ପାଇବା ଓ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହେଉଛି। ବୁଲା ପଶୁ ପକ୍ଷୀ ସେହି ଦୂଷିତ ପାଣିକୁ ପିଉଥିବାରୁ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅଧିକାଂଶ ବସ୍ତିବାସିନ୍ଦା ବିଭିନ୍ନ ପ୍ରକାର ଚର୍ମରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି।