ବିଶ୍ରା (ସୁନ୍ଦରଗଡ଼): ଗୋଟିଏ ପଟେ ରାଜ୍ୟ ସରକାର ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଅନ୍ୟ ପଟେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବିଶ୍ରା ରେଞ୍ଜ ଅଧୀନରେ ଥିବା ଜଙ୍ଗଲଗୁଡିକରୁ ପ୍ରତିଦିନ ଖୋଲାଖୋଲି ଭାବେ ଚାଲିଛି ଗଛ କଟା। ଫଳସ୍ୱରୂପ ଉକ୍ତ ଜଙ୍ଗଲ ଏବେ ସମତଳ କ୍ଷେତରେ ପରିଣତ ହେବାକୁ ଯାଉଛି। ବିଶ୍ରା ବ୍ଲକ ଅନ୍ତର୍ଗତ ଜଙ୍ଗଲଗୁଡିକରେ କାଠ ମାଫିଆଙ୍କର ଏକ ବଡ଼ ନେଟୱାର୍କ କାମ କରୁଛି। ସେମାନେ ଏତେ ସକ୍ରିୟ ଓ ନିର୍ଭୟ ଯେ ଗଛ କାଟିବା ଦୃଶ୍ୟ ଜଙ୍ଗଲରେ ପ୍ରବେଶ କରିବା ମାତ୍ରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଅଥଚ ବନ ବିଭାଗ କିଛି ଦେଖି ନପାରିବା ଭଳି ନିରବତା ଅବଲମ୍ବନ କରୁଛି।
ବିଶ୍ରା ବନାଞ୍ଚଳର ହରିହରପୁର, ତାଲବାହାଲ, ବାରସୁଆ, ଝାଡ଼ବେଢ଼ା ଓ ତୁଲସିକାନି ଅଞ୍ଚଳରେ କାଠ ମାଫିଆମାନେ ଦୀର୍ଘ ଦିନ ଧରି ନିଜ କାୟା ଓ ପ୍ରଭାବ ବିସ୍ତାର କରି ଚାଲିଛନ୍ତି। ବିଶ୍ରା ରେଞ୍ଜ ଅନ୍ତର୍ଗତ ଜଙ୍ଗଲରୁ ପ୍ରତିଦିନ ମୂଲ୍ୟବାନ କାଠ କାଟି ସେମାନେ ଝାଡ଼ଖଣ୍ଡର ରାଞ୍ଚି, ହାଟିଆ ଓ ଟାଟାନଗର ଭଳି ସହରକୁ ପଠାଇ ପକେଟ ଗରମ କରୁଛନ୍ତି। ଏପରି ଦେଖିବାକୁ ଗଲେ ୨୦୧୦ ମସିହାରୁ ବିଶ୍ରା ରେଞ୍ଜ ଅଧୀନରେ ଜଙ୍ଗଲରୁ ଗଛ କାଟିବାର ଏ ବିଧିବଦ୍ଧ ବ୍ୟବସାୟ ଆରମ୍ଭ ହୋଇ ବର୍ତ୍ତମାନ ଚରମ ସ୍ତରରେ ପହଞ୍ଚିଛି। ବିଭାଗୀୟ ଅଧିକାରୀମାନଙ୍କର ଅବହେଳା ହେତୁ କାଠ ମାଫିଆ ବିନା ବାଧାରେ ଗଛ କାଟି ଜଙ୍ଗଲକୁ ପଦା କରି ଚାଲିଛନ୍ତି। ମାଫିଆମାନେ ଭାରି ଚତୁରତାର ସହିତ କାଟ କାଟିବାରେ କିଛି ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରୁଛନ୍ତି। ଫଳରେ ସ୍ଥାନୀୟ ବିରୋଧକୁ ସେତେଟା ସାମ୍ନା କରିବାକୁ ହେଉନାହିଁ। ପୁଣି ଜଙ୍ଗଲରୁ କାଟ କାଟିବାପରେ ବାହାରକୁ ପଠାଇବା ପୂର୍ବରୁ ସେଗୁଡ଼ିକୁ ସ୍ଥାନୀୟ ଗାଁଗୁଡ଼ିକରେ ଗଚ୍ଛିତ ରଖା ଯାଉଛି। କୁହା ଯାଉଛି ଯେ ଯଦି ଝାରବେଡା, ତୁଳସିକାନି ଏବଂ ତାଲବାହାଲ ଭଳି କିଛି ଗାଁ ଉପରେ ଚଢ଼ାଉ କରାଯିବ, ତେବେ ହଜାର ହଜାର କଟାଗଛ ଜବତ ହେବା ସହିତ ସେଥିରେ ସଂପୃକ୍ତ କାଠ ମାଫିଆ ଗ୍ୟାଙ୍ଗକୁ ଧରା ଯାଇ ପାରନ୍ତା। କିନ୍ତୁ ବନ ବିଭାଗ ଅତି ରହସ୍ୟମୟ ଭାବେ ଦୀର୍ଘ ଦିନ ହେଲା ଏ ମାମଲାରେ କୌଣସି ଆଗ୍ରହ ଦେଖାଉନାହିଁ। ଫଳରେ ସକ୍ରିୟ କାଠ ମାଫିଆ ଓ ଅନାଗ୍ରହୀ ବିଭାଗୀୟ ଅଧିକାରୀଙ୍କ ଅନୁଗ୍ରହରୁ ମାଇଲ ମାଇଲ ବ୍ୟାପି ଘନ ଜଙ୍ଗଲ ସମତଳ ଖେଳ ପଡ଼ିଆରେ ପରିଣତ ହୋଇ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-21-at-20.54.15.jpeg)