ସୁନ୍ଦରଗଡ଼: କୁଣ୍ଡ୍ରା ଘାଟିରେ ଜଳିଗଲା ଟ୍ରକ୍, ଘର ଭାଙ୍ଗିଲା କୋଇଲା ବୋଝେଇ ଗାଡ଼ି

ସୁନ୍ଦରଗଡ଼: ଆଜି ସକାଳୁ ହେମଗିର ଥାନା ଡୁଡୁକା ନିକଟ କୁଣ୍ଡ୍ରା ଘାଟିରେ ଏକ କୋଇଲା ବୋଝେଇ ମଲ୍ଟି ଏକ୍ସେଲ ଟ୍ରକ୍ ଜଳିଯାଇଛି। ଟ୍ରକଟି ଏମସିଏଲରୁ କୋଇଲା ନେଇ ସୁନ୍ଦରଗଡ଼ ଆଡକୁ ଆସୁଥିବାବେଳେ ଘାଟି ଉପରେ ହଠାତ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଓ ଖଲାସି ଦୌଡ଼ି ପଳାଇଥିଲେ। ଦେଖୁ ଦେଖୁ ଗାଡ଼ିଟି ହୁତୁହୁତୁ ହୋଇ ଜଳି ଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ନିଆଁ ଲିଭାଇଥିଲେ। କିନ୍ତୁ ସେତେବେଳକୁ ଗାଡ଼ିଟି ଜଳି ପାଉଁଶ ହୋଇ ଯାଇଥିଲା।

ଏଣେ ହେମଗିର ଥାନା ରତନସରାରେ କୋଇଲା ପରିବହନରେ ନିୟୋଜିତ ଅନ୍ୟ ଏକ ଟ୍ରକ୍ ଭାରସାମ୍ଯ ହରାଇ ଜଣଙ୍କର ଘରକୁ ଧକ୍କା ଦେଇଥିଲା। ଘର ଭାଙ୍ଗି ଯାଇଥିବାବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ବିଳମ୍ବିତ ରାତିରେ ଘଟଣାଟି ଘଟିଛି।

କ୍ଷତିଗ୍ରସ୍ତ ଘର ମାଲିକ ହେଲେ କାଳିଆ ଅମାତ। ଗାଡ଼ିଟିକୁ ଡ୍ରାଇଭର ପରିବର୍ତ୍ତେ ଖଲାସି ଚଳାଉଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଓ ଖଲାସିକୁ ଲୋକେ ଅଟକାଇ କ୍ଷତିପୂରଣ ଦାବି କରିଥିଲେ। ପରିବହନ କମ୍ପାନି ପକ୍ଷରୁ କ୍ଷତିପୂରଣ ଦିଆଯିବା ପରେ ଅଟକଙ୍କୁ ଲୋକେ ଛାଡ଼ି ଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ଯ, ହେମଗିର ଏମସିଏଲ କୋଇଲା ଖଣିରୁ ଛତିଶଗଡ଼ ଓ ଅନ୍ଯ ଅଞ୍ଚଳର କଳକାରଖାନାକୁ ମଲ୍ଟି ଏକ୍ସୃଲ ଟ୍ରକ ଯୋଗେ କୋଇଲା ପରିବହନ ହେଉଛି। ତେବେ ବହୁ ସମୟରେ ଡ୍ରାଇଭରର ବେପରୁଆ ଚାଳନା ଓ ଖଲାସି ଚଲାଉଥିବା ଯୋଗୁଁ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି।

ସମ୍ବନ୍ଧିତ ଖବର