ସୁନ୍ଦରଗଡ଼: ସୋମବାର ସକାଳୁ ତଳସରା ଥାନା ଲୁଲୁକିଡିହି ନିକଟସ୍ଥ ରାଞ୍ଚି ଛକରୁ ଅଚେତ ଅବସ୍ଥାରେ ଜଣେ ନାବାଳିକା ଉଦ୍ଧାର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବନଡେଗାସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ନାବାଳିକାଙ୍କୁ ଝାଡଖଣ୍ଡର ୨ ଜଣ ଯୁବକ କେଉଁଆଡୁ ବାଇକରେ ଆଣି ରାଞ୍ଚି ଛକରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ଲୁଲୁକିଡିହିର ୨ ଯୁବକ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତେବେ ଏଯାଏ ନାବାଳିକାଙ୍କ ଚେତା ଫେରି ନଥିଲେ ମଧ୍ୟ ତାଙ୍କୁ ଅନ୍ୟ କୌଣସି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ନାହିଁ। ତଳସରା ଥାନା ଅଞ୍ଚଳର ନାବାଳିକା ଜଣକ ମା' ଛେଉଣ୍ଡ। ନିଜ ବାପା ସହ ରହୁଥିବା ନାବାଳିକା ଜଣକ ଗତକାଲି ରାତି ୮ଟାରୁ ନିଖୋଜ ହୋଇ ଯାଇଥିଲେ। ତାଙ୍କୁ ଝାରଖଣ୍ଡର ଦୁଇ ଯୁବକ ଉଠାଇ ନେଇ ରାତିରେ କେଉଁଠି ରଖି ସକାଳୁ ଫିଙ୍ଗି ଦେଇଥିବା କୁହାଯାଇଛି। ଦୁଇ ଯୁବକ ଝାରଖଣ୍ଡ ଦର୍ଲିଡିହିର ବୋଲି ସୂଚନା ମିଳିଛି।
ତେବେ ନାବାଳିକାଙ୍କୁ ଯୁବକମାନେ କେଉଁ ଉଦ୍ଦେଶ୍ୟରେ ଉଠାଇ ନେଇଥିଲେ, କେଉଁଠି ରଖିଥିଲେ, ତାଙ୍କ ସହ ଦୁଷ୍କର୍ମ ହୋଇଛି କି ଏମିତି ଅନେକ ପ୍ରଶ୍ନ ଉଠିଥିବା ବେଳେ ନାବାଳିକାଙ୍କ ଚେତା ଫେରିଲେ ସବୁ କଥା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଖବର ପାଇ ତଳସରା ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/THUMB-44.jpg)