ଯୋଜନାର ପାହାଡ଼ରେ ବଦଳୁନି ଦୁର୍ଗମ ରାକସଖୋଲ୍‌ର ଭାଗ୍ୟ

ଲେଫ୍ରିପଡ଼ା (ସୁନ୍ଦରଗଡ଼) : ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ସେମାନଙ୍କ ପାଖରେ ପହ‌ଞ୍ଚି ପାରୁନଥିବା ଦେଖିବାକୁ ମିଳିଛି। ଏବେ ମଧ୍ୟ ଅନେକ ଆଦିବାସୀ ଗାଆଁ ବିକାଶ ଠାରୁ ଅନେକ ଦୂରରେ ରହିଯାଇଥିବାବେଳେ ସେମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରୁଛନ୍ତି। ସେହି ଆଦିବାସୀ ମଣିଷ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରର ବଳୟ ଭିତରେ ରହୁଛନ୍ତି। କ୍ରମେ ସେମାନଙ୍କର ଆର୍ଥିକ ଅବସ୍ଥା ଗମ୍ଭୀର ହୋଇ ଚାଲିଛି। ପ୍ରତି ମୁହୂର୍ତରେ ଆଦିବାସୀ ଅଂଚଳରେ ବିଭିନ୍ନ ମାରାତ୍ମକ ରୋଗଜନିତ ହେଉ କି ଅନାହାରଜନିତ ମୃତ୍ୟୁର ତାଣ୍ତବ ସେମାନଙ୍କ ପାଇଁ ଯେମିତି ଅଭିଶାପ ହୋଇଛି। ଆମ ପ୍ରଶାସନ ବିକାଶର ଡ଼ିଣ୍ତିମି ପଟୁଥିବାବେଳେ ଅନେକ ପାହାଡ଼ି ଓ ଉପାନ୍ତ ଗାଆଁ ବିକାଶ କ’ଣ ଆଜିଯାଏ ଜାଣି ପାରି ନାହାନ୍ତି ।

ଏଭଳି ଏକ ଗାଆଁ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ର ଉପାନ୍ତ ଡ଼ୁମାବାହାଲ ପଞ୍ଚାୟତର ରାକସଖୋଲ। ଏକ ପାହାଡ଼ ଘାଟୀ ଉପରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ରାଜସ୍ବ ଗ୍ରାମ ଗାଁକୁ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ବିଶ୍ବର ସମସ୍ତ ଶୋଭାରାଜିକୁ ଏହି ଗାଁରେ ହିଁ ଅଜାଡି ଦେଇଛି ସତ, ନାଁ ଯେମିତି ଠିକ୍ ସେମିତି ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏକ ପାହାଡ଼ ଖୋଲ ଭିତରେ ଗାଁଟି ଲୁଚି ରହିଯାଇଛି କହିଲେ ଚଳେ। ଗାଁର ସମସ୍ତ ପରିବାର ଆଦିବାସୀ ସଂପ୍ରଦାୟର। ମୋଟ୍‌ ୧୪ ପରିବାର ବିଶିଷ୍ଟ ଏହି ରାଜସ୍ବ ଗାଁରେ ଜନସଂଖ୍ୟା ମାତ୍ର ୭୦। ହେଲେ ସ୍ବାଧୀନତାର ଦୀର୍ଘ ସାତ ଦଶନ୍ଧି ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ। ପାହାଡ଼ି ଓ ଜଙ୍ଗଲି ପାଦ ଚଳାରାସ୍ତାରେ ସ୍ଥାନୀୟ ବାସିନ୍ଦା ଗମନାଗମନ କରିଥାନ୍ତି। ସର୍ବନିମ୍ନ ସରକାରୀ ସେବା ଓ ସୁବିଧା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ କହିଲେ ଚଳେ। ଶିକ୍ଷା, ସ୍ବାସ୍ଥ୍ୟ, ଆଲୋକ, ଗମନାଗମନ ତଥା ପ୍ରତ୍ୟେକଟି କ୍ଷେତ୍ରରେ ଅବହେଳିତ। ନାଁ ପଞ୍ଚାୟତ ନା ବ୍ଲକ୍‌ର ଆଖି ପଡ଼ୁଛି ଏଠି। ସ୍ଥାନୀୟ ସବୁ ପରିବାର ଦାରିଦ୍ର୍ୟର ସୀମାରେଖା ତଳେ ରହିଥିବା ବେଳେ କଚ୍ଚା ମାଟି ଘରେ ବସବାସ କରିଆସୁଛନ୍ତି। ୧୪ ପରିବାର ମଧ୍ୟରୁ ମାତ୍ର ୫ ଟି ପରିବାରକୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ। ସ୍ବଚ୍ଛ ଭାରତ ମିସନ ଜରିଆରେ ସବୁଆଡେ ବାହ୍ୟମଳମୁକ୍ତ ଗାଁ ର ଫଳକ ଲାଗିଥିବାବେଳେ ଏଠାରେ କାହାରି ଘରେ ପାଇଖାନା ନିର୍ମାଣ ହୋଇନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରୁ ଅନେକ ପରିବାର ବ‌ଞ୍ଚିତ। ବିଧବା କୁମାରୀ ବିଲୁଙ୍ଗ ଭତ୍ତା ଟିକକ ପାଇଁ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଥିବାବେଳେ ବୟସର ସାୟାହ୍ନରେ ବି ଆମୃସ କୁଲୁ (୭୦) ବାର୍ଦ୍ଧକ୍ୟ ଭତ୍ତା ଟିକକ ଅପେକ୍ଷାରେ ରହିଛନ୍ତି। ଅସହାୟା ସଂଗୀତା ବିଲୁଙ୍ଗ ନାମ୍ନୀ ମହିଳାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡେ ମିଳିନି।

ଏହା ଏକ ରାଜସ୍ବ ଗ୍ରାମ ହୋଇଥିଲେ ସୁଦ୍ଧା ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଟିଏ ବି ନାହିଁ। ସ୍ଥାନୀୟ ଛୁଆ ମାନେ ଜଙ୍ଗଲି ବାଟରେ ୩ କିମି ଦୂର କସେଇଝରଣ ଓ ଲିଟିଆପାନି ଗାଁର ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥାନ୍ତି। ଗାଁରେ ପାଠୁଆ ପିଲା କହିଲେ ୨୧ ଜଣ। ତନ୍ମଧ୍ୟରୁ ୩ଜଣ ଛାତ୍ରୀ ଗତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଘରେ ରହିଛନ୍ତି। ଅନ୍ୟ ୪ଜଣ ଛାତ୍ରଛାତ୍ରୀ ୨ କିମି ଦୂର ଦନାର୍ଦ୍ଦନପୁର ପ୍ରାଥମିକ ବିଦ୍ୟାଳୟରେ ଏବଂ ଅନ୍ୟ କେତେକ ଭେଡ଼ିବାହାଲ ଓ ଡ଼ୁମାବାହାଲ ହାଇସ୍କୁଲରେ ପଢୁଛନ୍ତି। ଗାଁରେ ଉଚ୍ଚ ଶିକ୍ଷିତ ବୋଲି କେହି ଜଣେ ବି ନାହାନ୍ତି। ଦୀର୍ଘ ୪ ବର୍ଷ ହେବ, ସୌଭାଗ୍ୟ ଯୋଜନାରେ ଗାଁରେ ବିଜୁଳି ଖୁଣ୍ଟ ପୋତା ଯାଇ ଘରମାନଙ୍କରେ ମିଟର ବସାଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ଆବଶ୍ୟକ ପରିମାଣର କିରାସିନି ମଧ୍ୟ ମିଳୁ ନ ଥିବା ସେମାନେ ଅଭିଯୋଗ କରିଥିବାବେଳେ ସେମାନଙ୍କ ପାଇଁ ଉଜ୍ବଳା ଗ୍ୟାସ୍‌ ଯୋଜନା ମଧ୍ୟ ଅନେକ ଦୂରରେ ଅଟକି ରହିଛି। ପାନୀୟଜଳ ଗ୍ରାମରେ ଏକ ବଡ଼ ସମସ୍ୟା। ଦୀର୍ଘ ୧୨ବର୍ଷ ପୂର୍ବେ ଏକ ନଳକୂପ ବସାଯାଇ ଥିଲା, ଯାହାକି ଦୁଇ ବର୍ଷ ହେଲା ଅଚଳ ହେବା ଫଳରେ ବିଲରେ ଥିବା ଚୁଆଁ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି।
ଗ୍ରାମବାସୀଙ୍କ ଜୀବନଜିବୀକା ମଧ୍ୟ ବିପନ୍ନ କହିଲେ ଚଳେ। ଜଙ୍ଗଲ ଜାତ ଦ୍ରବ୍ୟ ଯଥା, ମହୁଲ, ଚାର, ଝୁଣା, ମହୁ, ଲାଖ ଇତ୍ୟାଦି ସଂଗ୍ରହ କରି ପେଟ ପୋଷିଥାନ୍ତି। ଆଦିବାସୀମାନଙ୍କ ପାଇଁ ସରକାର ଯୋଜନାର ପାହାଡ଼ କରିଚାଲିଛନ୍ତି, ହେଲେ ଏହାର ସୁଫଳ ଏମାନଙ୍କ ଭାଗ୍ୟରେ ନାହିଁ। ଭୋଟ୍ ସମୟରେ ସରପ‌ଞ୍ଚ ଠାରୁ ବିଧାୟକ, ସାଂସଦ ସମସ୍ତେ ଏହି ଦୁର୍ଗମ ପାହାଡ଼ିଆ ଗାଁ ଆସିଥାନ୍ତି। ଅନେକ ପ୍ରତିଶ୍ରୁତି, ଅନେକ ରଙ୍ଗୀନ କାହାଣୀ ଶୁଣାଇଥାନ୍ତି, ହେଲେ ଅଦ୍ୟାବଧି ରାକସଖୋଲର ଭାଗ୍ୟ ଜଙ୍ଗଲି ରାକ୍ଷସ ହାତରେ ବନ୍ଧା ପଡ଼ିଛି। ଦେଖାଯାଉ ଏହି ଗରିବ ଆଦିବାସୀ ପରିବାର ଆଉ କେତେ ଦଶନ୍ଧି ପରେ ବିକାଶର ସ୍ବାଦ ପାଇବେ!

ସମ୍ବନ୍ଧିତ ଖବର