ସୁନ୍ଦରଗଡ଼/ହେମଗିର : ମାଟି ଭିତରେ ଜଳୁଛି କୋଇଲା। ତା'ବି ଦିନେ କି ମାସେ ନୁହେଁ, ବର୍ଷ ବର୍ଷ ଧରି। ଫଳରେ ତା'ରି ପାର୍ଶ୍ବ ଦେଇ ଯାଇଥିବା ଲୋକଙ୍କ ରାସ୍ତା ଏବେ ଧିରେ ଧିରେ ଧସିବା ଆରମ୍ଭ କରିଛି। କୌଣସି ମୁହୂର୍ତ୍ତରେ ରାସ୍ତା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ି ଜୀବନହାନିର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଏହି ଉଦବେଗଜନକ ଅଭିଯୋଗଟି ଆସିଛି ହେମଗିରସ୍ଥିତ ଏମସିଏଲ ବସୁନ୍ଧରା ପଶ୍ଚିମ ଖଣି ଅଞ୍ଚଳରୁ। ବର୍ଷ ବର୍ଷ ଧରି କୋଇଲା ଜଳୁଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ନିଆଁ ଲିଭାଇବାକୁ କୌଣସି ପଦକ୍ଷେପ ଗ୍ରହଣ କରିବା ବଦଳରେ ନିରବରେ ବସିଯାଇଛନ୍ତି। ସାଧାରଣ ଜନଜୀବନ ପ୍ରତି ଏମସିଏଲ କେତେ ବେପରୱା ଏହା ତା'ର ନିଚ୍ଛକ ଉଦାହରଣ ବୋଲି ଲୋକେ ଆଲୋଚନା କରୁଛନ୍ତି।
ଅଭିଯୋଗ ଅନୁସାରେ, ବସୁନ୍ଧରା ନଦୀ କୂଳ ଦେଇ ଯାଇଥିବା ଗୋପାଳପୁର -ସରଡେଗା-ବସୁନ୍ଧରା ରାସ୍ତା ଏମସିଏଲର ବସୁନ୍ଧରା ପଶ୍ଚିମ ଖଣିକୁ ଲାଗି ରହିଛି। ଏହି ରାସ୍ତା ପାର୍ଶ୍ଵସ୍ଥ ମାଟି ତଳେ କୋଇଲା ବର୍ଷ ବର୍ଷ ଧରି ଜଳୁଛି। ଭିତରେ ଭିତରେ କୋଇଲା ଜଳି ମାଟି ତଳେ ଶୂନ୍ୟସ୍ଥାନ ସୃଷ୍ଟି ହେଉଥିବା ବେଳେ ଏବେ ସେ ସ୍ଥାନ ଧସିବା ଆରମ୍ଭ କରିଛି। ଏହା ମଧ୍ୟରେ ପ୍ରାୟ ୫୦ ମିଟର ରାସ୍ତା ଧସିବାସ୍ଥିତିରେ ରହିଛି। ଯେ କୌଣସି ମୁହୂର୍ତ୍ତରେ ତାହା ସମ୍ପୂର୍ଣ୍ଣ ଗହ୍ବରକୁ ଧସିପଡ଼ିବାର ଆଶଙ୍କା ରହିଛି। ସେହିପରି ସେଠାରେ ବର୍ଷ ବର୍ଷ ଧରି ମାଟି ତଳେ ଥିବା ଭଲ କୋଇଲା ଜଳି ଉତ୍ତାପ ସୃଷ୍ଟି ହେବା ସହ ଅନବରତ ଧୂଆଁ ବାହାରି ପରିବେଶ ପ୍ରଦୂଷଣ କରିଚାଲିଛି। ଅନ୍ୟପଟେ ଏ ନିଆଁ ଭିତରେ ଭିତରେ ଯାଇ ବସୁନ୍ଧରା ନଦୀ ଆରପାର୍ଶ୍ବରେ ହେବାକୁ ଥିବା ଦେଶର ଦ୍ବିତୀୟ ସର୍ବବୃହତ ଖଣି ପ୍ରକଳ୍ପ ସିଆରମାଲ କୋଇଲା ଖଣି ଉପରେ ପ୍ରଭାବ ପକାଇଥିବା ଆଶଙ୍କା କରାଯାଉଛି। ଏଠାରେ ୯୫୦ ମିଲିୟନ ଟନ କୋଇଲା ଗଚ୍ଛିତ ଥିବା ବେଳେ ବାର୍ଷିକ ୪୦ ମିଲିୟନ ଟନ ଉତ୍ପାଦନ କରାଯିବାର ଲକ୍ଷ୍ୟ ରହିଛି। ଖୁବଶୀଘ୍ର ଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ମାଟି ତଳେ ଜଳୁଥିବା କୋଇଲା ନିଆଁ ଭିତରେ ଭିତରେ ସିଆରମାଲ ଖଣି ଭିତରକୁ ପଶି ସେଠାରେ ମଧ୍ୟ ଭଲ କୋଇଲା ଜଳି ଯାଉଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ସବୁଠାରୁ ଉଦବେଗଜନକ କଥା ହେଲା, ମାଟି ତଳେ କୋଇଲା ଜଳି ନଷ୍ଟ ହେବା ସହ ପରିବେଶ ପ୍ରଦୂଷଣ ଓ ସର୍ବୋପରି ଜନଜୀବନ ପାଇଁ ବିପଦର କାରଣ ହେବାକୁ ଥିବା ବେଳେ ଏମସିଏଲ ଏଥିପ୍ରତି ଆଖି ବୁଜି ଦେଇଛି। ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଣି ବିଭାଗ ତଥା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-26-at-21.57.04.jpeg)