ଅଚିହ୍ନା ଶବ ଉଦ୍ଧାର, ହତ୍ୟା ସନ୍ଦେହ

ହେମଗିର: କନିକା ବେଲପାହାଡ ମୁଖ୍ୟ ରାସ୍ତାର ସୀମାନ୍ତବର୍ତ୍ତୀ କାଉଦରହ ନିକଟରୁ ହେମଗିର ପୁଲିସ ଏକ ରକ୍ତ ଜୁଡୁବୁଡୁ ଶବକୁ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବାବେଳେ ବୟସ ୪୦ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକ ଶବ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ ବ୍ୟକ୍ତିଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ସହ ରକ୍ତ ବୋହୁଥିବା ଦେଖିବାକୁ ମିଳିଥିଲା। ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସଦଳବଳ ସାଇଣ୍ଟିଫିକ୍‌ ଦଳ ଓ ସନ୍ଧାନି କୁକୁର ସହ ଘଟଣାର ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ବ୍ୟକ୍ତି ଜଣଙ୍କ ଝାରସୁଗୁଡ଼ା ବା ବାହାର ଅଂଚଳର ବୋଲି ଅନୁମାନ କରାଯାଉଛି। ଘଟଣାର ପାରିପାର୍ଶ୍ୱିକ ଅବସ୍ଥାରୁ କୌଣସି ଦୁର୍ବୃତ୍ତ ହତ୍ୟା କରି ଶବକୁ ରାସ୍ତା କଡ଼ରେ ପିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ୍‌ ଭାବେ ଅତିିରିକ୍ତ ତହସିଲଦାର ପି.ଟପ୍ପୋଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତରୁ ମାତ୍ର ୧୦୦ମିଟର ଦୂରତାରେ ଶବକୁ ଫୋପାଡ଼ି ଦିଆଯାଇଥିବାରୁ ହତ୍ୟାକାଣ୍ଡଟି ଝାରସୁଗୁଡ଼ା ଅଂଚଳରେ ଘଟିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର