ସୁନ୍ଦରଗଡ଼ରେ ଭି.କେ.ପାଣ୍ଡିଆନଙ୍କ ବିଶାଳ ରୋଡ ସୋ: ଯୋଗେଶ ଓ ଦିଲୀପଙ୍କ ପାଇଁ ମାଗିଲେ ଭୋଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଜେଡିର ତାରକା ପ୍ରଚାରକ ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବିଶାଳ ରୋଡ ସୋ କରି ଦଳର ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ ଓ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କିଙ୍କ ପାଇଁ ଭୋଟ ମାଗିଥିଲେ। ନବୀନ ବାବୁଙ୍କୁ ଆଶୀର୍ବାଦ କରି ସୁନ୍ଦରଗଡ଼ରବିକାଶଧାରାକୁ ଆଗକୁ ନେବାକୁ ନିବେଦନ କରିଥିଲେ। ପାରିଜାତ ପାର୍କରୁ ରାଉରକେଲା ଛକ ୫ କିଲୋମିଟର ପାଣ୍ଡିଆନଙ୍କ ରୋଡ ସୋ’ରେ ୨୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ବିଶେଷ କରି ୧୦ ହଜାରରୁ ଅଧିକ ମହିଳା ମୁଖ୍ୟ ରାସ୍ତା କଡ଼ରେ ଛିଡ଼ା ହୋଇ ତାରକା ପ୍ରଚାରକ ଶ୍ରୀ ପାଣ୍ଡିଆନଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ତାଙ୍କ କଥା ଶୁଣିଥିଲେ।

ବିଭିନ୍ନ ଛକରେ ପାଣ୍ଡିଆନ ଉଦବୋଧନ ଦେଇ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କୁ ଶହେ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ, ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁବିଧା, ଏସଏଚଜି ମହିଳାମାନଙ୍କୁ ପେନସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କହିଥିଲେ। ତାଙ୍କୁ ଆଶୀର୍ବାଦ କଲେ ନବୀନ ସରକାର ଗଢ଼ି ପ୍ରଥମ କ୍ୟାବିନେଟ ବୈଠକରେ ଏସବୁ ତୁରନ୍ତ ଲାଗୁ କରିବେ ବୋଲି ସେ କହିଥିଲେ। ଏସବୁ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ମନରେ ଉତ୍ସାହ ଭରିଥିଲ। ନବୀନଙ୍କ ଜିନ୍ଦାବାଦ ଓ ହୁଳହୁଳିରେ ସହର କମ୍ପି ଉଠିଥିଲା। ଲୋକଙ୍କ ଉତ୍ସାହୀ ଭିଡ଼ ବିଜେଡିର ବିଜୟ ଆଶାକୁ ଦ୍ବିଗୁଣିତ କରିଥିବା ପ୍ରକାଶ ପାଇଛି।

ସଡ଼କପଥରେ କାରକେଡରେ ପ୍ରାର୍ଥୀ ଯୋଗେଶ, ଦିଲୀପ ଓ ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ସହ ସର୍ଗିପାଲି ବସ୍ତି, ଉଜ୍ଜଳପୁର, ବେଲସରାଛକ, ରଙ୍ଗିଆମୁଣ୍ଡା, ମହୁଲପାଲି, ବନ୍ଧପାଲି, ସଦର ଥାନା ଛକ ଦେଇ ସୁନ୍ଦରଗଡ଼ ବାଏପାସରେ ପାରିଜାତ ପାର୍କକୁ ପହଞ୍ଚିଥିଲେ। ଏସବୁ ଗାଁରେ ଲୋକେ ତାଙ୍କୁ ସ୍ବାଗତ କରିଥିଲେ। ପାରିଜାତ ପାର୍କରୁ ଏକ ସ୍ବତନ୍ତ୍ର ପ୍ରଚାର ଗାଡ଼ିରେ ରୋଡସୋ କରିଥିଲେ। ଶଙ୍କରା ଦତ୍ତ ଆଇ କେୟାର ଛକରେ ଉଦବୋଧନ ଦେଇଥିଲେ। ସେଠାରୁ ମିସନ ଦେଇ ହସ୍ପିଟାଲ ଛକକୁ ଆସି ସମବେତ ଜନତାଙ୍କ ଉଦ୍ଦେଶ୍ଯରେ ବକ୍ତବ୍ୟ ରଖିଥିଲେ। ସେଠାରୁ ଡିଆରଡିଏ ଛକ ରାଉରକେଲା ଛକରେ ଉଦବୋଧନ ଦେଇଥିଲେ। ରୋଡସୋରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ପ୍ରଚାର କମିଟି ସଂଯୋଜକ ପ୍ରଫୁଲ୍ଲ ସୁନାନୀ, ସହ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ଯୋଗେଶଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ସିଂ, ତଳସରା ସହ ପର୍ଯ୍ୟବେକ୍ଷକ ବୈକୁଣ୍ଠ ନାଏକ, ପୂର୍ବତନ ପୌରଉପାଧ୍ୟକ୍ଷା ରଂଜନା ପଣ୍ଡା, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଜୟନାରାୟଣ ତ୍ରିପାଠୀ, ଛାତ୍ର ନେତା ସେହବାଜ ହୁସେନ, ଯୁବନେତା ହିମାଂଶୁ ଶେଖର ଷଡ଼ଙ୍ଗୀ, ପୌର ପାର୍ଷଦ ସୁମନ୍ତ ସାହୁ, ସୁମନ୍ତ ପଣ୍ଡା, ପ୍ରିୟଙ୍କା ଜେନା, ସଚିନ ବିଶ୍ବକର୍ମା, ନରେଶ ମେହେର, ବୀରେନ୍ଦ୍ର ପ୍ରଧାନଙ୍କ ସମେତ ଶହ ଶହ କର୍ମକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର