ରାଉରକେଲା: ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ନଭେମ୍ବର ୧ ତାରିଖରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇସ୍ପାତ ସହର ରାଉରକେଲାର ଭଞ୍ଜଭବନ ପ୍ରଦର୍ଶନୀ ପଡ଼ିଆର ବିଶାଳ ମୁକ୍ତାକାଶ ମଞ୍ଚରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ, ଆଦିବାସୀ ନୃତ୍ୟ ସଙ୍ଗୀତ ଉତ୍ସବର ମାନ୍ୟତା ପ୍ରାପ୍ତ “୨୬ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୨୩” ଆରମ୍ଭ ହେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ, ସବୁଜିମାରେ ପରିପୂର୍ଣ୍ଣ ଇସ୍ପାତ ସହରରେ ପ୍ରତି ବର୍ଷ ଆୟୋଜିତ ଏହି ମହୋତ୍ସବ, ଉଚ୍ଚକୋଟୀର ନୃତ୍ୟ ସଙ୍ଗୀତ ପ୍ରଦର୍ଶନ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ସହିତ ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ସୃଷ୍ଟି କରିପାରିଛି । ଏହି ମହୋତ୍ସବରେ ପାଞ୍ଚ ଦିନ ବ୍ୟାପୀ ଭଞ୍ଜ ଭବନ ମୁକ୍ତାକାଶ ମଞ୍ଚ ଶଙ୍ଖ, ପଖଜ, ବଂଶୀଧୁନ, ଘୁଙ୍ଗୁରୁର ମୂର୍ଚ୍ଛନାରେ ରୋମାଞ୍ଚିତ ହୋଇଥାଏ, ଯାହା ଦର୍ଶକଙ୍କୁ ଏକ ସାଂସ୍କୃତିକ କଳ୍ପନାର ରାଇଜର ସ୍ପର୍ଶ ପ୍ରଦାନ କରିଥାଏ। ଚଳିତ ବର୍ଷ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବକୁ କେତେକ ଅନିବାର୍ଯ୍ୟ କାରଣବଶତଃ ଭଞ୍ଜ ଭବନ ପ୍ରାଙ୍ଗଣରୁ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆକୁ ସ୍ଥାନାନ୍ତରିତ କରାଯାଇଛି।
ଉଲ୍ଲେଖନୀୟ ଯେ, ଭଞ୍ଜ ସାଂସ୍କୃତିକ ନ୍ୟାସର ଅଂଶବିଶେଷ, ଭଞ୍ଜ କଳା କେନ୍ଦ୍ର ୧୯୬୬ ମସିହାରେ ସ୍ଥାପିତ ହୋଇଥିଲା। ରାଉରକେଲା ଭଳି ଏକ ଉପାନ୍ତ ଅଞ୍ଚଳରେ ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ସଂରକ୍ଷଣ ତଥା ଓଡିଶୀ ନୃତ୍ୟ , ଓଡିଶୀ ସଙ୍ଗୀତ, ଓଡିଶାର ଲୋକନୃତ୍ୟର ପ୍ରଚାର ପ୍ରସାର ଏହି ସାଂସ୍କୃତିକ ପ୍ରାଣକେନ୍ଦ୍ର ପ୍ରତିଷ୍ଠାର ଲକ୍ଷ୍ୟ ରହିଥିଲା। ଷାଠିଏ ଦଶକରୁ ଏହି ନୃତ୍ୟ ସଙ୍ଗୀତର ଏନ୍ତୁଡିଶାଳ ଏହି ଅଞ୍ଚଳରେ ଏକ ସାଂସ୍କୃତିକ ନବଜାଗରଣ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା ଏବଂ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ବୀଜ ରୋପଣ କରିଥିଲା।
ଦେଶର ବିବିଧ ଭାଷା ଓ ପ୍ରାନ୍ତର ଲୋକ ବସବାସ କରୁଥିବା ମିନି ଇଣ୍ଡିଆ ରୂପେ ସ୍ୱୀକୃତି ଲାଭ କରିଥିବା ଇସ୍ପାତ ସହରରେ ସମସ୍ତ ଶାସ୍ତ୍ରୀୟ ଓ ଲୋକନୃତ୍ୟକୁ ଗୋଟିଏ ମଞ୍ଚରେ ଏକାଠି କରିବାର ସୁନ୍ଦର ପରିକଳ୍ପନା କରାଯାଇଥିଲା ଯାହା ୧୯୯୮ ମସିହାରେ ‘ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ’ ଭାବରେ ସଫଳ ରୂପ ନେଇଥିଲା । ଭଞ୍ଜ ଭବନ ବିଶାଳ ମୁକ୍ତ ରଙ୍ଗମଞ୍ଚରେ ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଭଳି ସମ୍ମାନପ୍ରାପ୍ତ ଦେଶବିଦେଶର ବହୁ ଲବ୍ଧପ୍ରତିଷ୍ଠ ମହାନ କଳାକାର ନିଜର ନୃତ୍ୟ ସଙ୍ଗୀତ ପରିବେଷଣ କରି ଇସ୍ପାତ ସହରବାସୀଙ୍କୁ କଳା ଚାତୁରୀରେ ରୋମାଞ୍ଚିତ କରିଛନ୍ତି । ଗୋଟିଏ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ଆଦିବାସୀ ନୃତ୍ୟ ଏହି ମହୋତ୍ସବକୁ ନିଆରା ଗଢିତୋଳେ। ଉତ୍ସବର ତୃତୀୟ ସନ୍ଧ୍ୟା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ଓଡିଶୀ ସଙ୍ଗୀତ ପାଇଁ ସଂରକ୍ଷିତ ରହିଥାଏ ।
ଚଳିତ ବର୍ଷ ଉତ୍ସବର ୨୬ତମ ଜୟନ୍ତୀ ମହୋତ୍ସବରେ ବହୁ ପ୍ରତିଷ୍ଠିତ କଳାକାର ସେମାନଙ୍କର ନୃତ୍ୟ ସଙ୍ଗୀତ ପ୍ରତିଭା ପରିବେଷଣ ନିମନ୍ତେ ଇସ୍ପାତ ସହରରେ ପଦାର୍ପଣ କରିବେ। ବହୁ ସମ୍ମାନଜନକ ପୁରସ୍କାରରେ ବିଭୂଷିତ ମହାନ କଳାକାର ତଥା ସର୍ବମୋଟ ୩୦୦ରୁ ଉର୍ଦ୍ଧ୍ଵ ବିଶିଷ୍ଟ କଳାକାରଙ୍କ ସମାବେଶ ଚଳିତ ବର୍ଷର ଏହି ମହୋତ୍ସବରେ ଦେଖିବାକୁ ମିଳିବ।
ଏହି ମହୋତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ଶ୍ରମ ଓ ଇଏସଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟି ଅଧ୍ୟକ୍ଷ ଜୁଏଲ ଓରାମ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଆରଏସପି କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର, ଏନଏସପିସିଏଲର ମହାପ୍ରବନ୍ଧକ ତଥା ବିଜିନେସ ୟୁନିଟ ହେଡ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଅସୀମ କୁମାର ଘୋଷ, ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ରାମହରି ଦାସ ତଥା ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର ଅତିଥି ରୂପେ ଯୋଗଦେବା ନିମନ୍ତେ ସଦୟ ସମ୍ମତି ପ୍ରଦାନ କରିଛନ୍ତି।
ଚଳିତ ବର୍ଷର ମହୋତ୍ସବର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ବିଶ୍ଵର ବିଭିନ୍ନ ପ୍ରାନ୍ତରେ ନିଜର ନୃତ୍ୟ ପ୍ରଦର୍ଶନ ପୂର୍ବକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଗୁରୁ ଇଲିଏନା ସିତାରିଷ୍ଟି ଏବଂ ତାଙ୍କର ସାଥି କଳାକାର, ଭାରତରେ ତଥା ବିଶ୍ଵର ବିଭିନ୍ନ ଦେଶରେ କୁଚୀପୁଡ଼ୀ ଓ ଭାରତନାଟ୍ଯମ ନୃତ୍ୟ ପରିବେଷଣ କରି ଯଶ ଅର୍ଜ୍ଜନ କରିଥିବା ହାଇଦ୍ରାବାଦର ବିଶିଷ୍ଟ ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ ପଦ୍ମଶ୍ରୀ ଡକ୍ଟର ଜି ପଦ୍ମଜା ରେଡ୍ଡୀ, କୋଲକାତାର ଯଶସ୍ଵୀ କଥ୍ଥକ ନୃତ୍ୟଗୁରୁ ଅସୀମ ବନ୍ଧୁ ଭଟ୍ଟାଚାର୍ଜ୍ୟ ଓ ସାଥିଙ୍କ ଶାସ୍ତ୍ରୀୟ କଥ୍ଥକ ନୃତ୍ୟ, ପଦ୍ମଶ୍ରୀ ଉତ୍ସବ ଚରଣ ଦାସ ଓ ସାଥିଙ୍କ ଦ୍ଵାରା ପରିବେଷିତ ଘୋଡା ଲୋକନୃତ୍ୟ, ଓ ଗୁରୁ ଶ୍ରୀ ଦୂର୍ଗା ଚରଣ ରଣବୀର ଓ ଗୁରୁ ଶ୍ରୀ ନୀଳାଦ୍ରି ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ, ରୋମାଞ୍ଚକ ଗୋଟିପୁଅ ନୃତ୍ୟ, ଛତିଶଗଡ ଲୋକନୃତ୍ୟ, ପୁରୁଲିଆ ଛଉ, ଗଞ୍ଜାମର ଲୋକପ୍ରିୟ ପାଲା, ଇତ୍ୟାଦି । ଶାସ୍ତ୍ରୀୟ ସଙ୍ଗୀତ ପର୍ଯ୍ୟାୟରେ ଚଳିତ ବର୍ଷ ସଙ୍ଗୀତ ପରିବେଷଣ କରିବେ ଓଡିଶାର ସୁନାମଧାନ୍ୟ ଓଡ଼ିଶୀ କଣ୍ଠଶିଳ୍ପୀ , ଗୁରୁ ଶ୍ରୀ ମାତୃ ପ୍ରସାଦ ଦାସ ଏବଂ ବିଶ୍ଵର ବିଭିନ୍ନ ଦେଶରେ ସଙ୍ଗୀତ ପରିବେଷଣ କରି ସୁନାମ ଅର୍ଜ୍ଜନ କରିଥିବା ଭାରତର ଅଗ୍ରଣୀ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଆଇଟିସି ସଙ୍ଗୀତ ରିସର୍ଚ୍ଚ ଏକାଡେମୀର ଗୁରୁ ୱାସିମ ଅହମ୍ମଦ ଖାନ ।
ଚଳିତ ବର୍ଷ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବରେ ସାରା ବିଶ୍ଵରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକାର ସ୍ୱୀକୃତି ସ୍ୱରୂପ ପଦ୍ମଶ୍ରୀ ଇଲିଏନା ସିତାରିଷ୍ଟିଙ୍କୁ ବେଦବ୍ୟାସ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ଆକାରରେ ତାଙ୍କୁ ମାନପତ୍ର ସହିତ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ସୂଚନାଯୋଗ୍ୟ ଯେ, ଭଞ୍ଜ କଳା କେନ୍ଦ୍ର ପ୍ରତ୍ୟେକ ବର୍ଷ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ,ସଙ୍ଗୀତର ପ୍ରଚାର ପ୍ରସାର ସଙ୍ଗେସଙ୍ଗେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ଥିବା ତଥା ପ୍ରାକୃତିକ ଶୋଭାରାଜିରେ ଭରପୁର ଏହି ଅଞ୍ଚଳକୁ ଏକ ପର୍ଯ୍ୟଟନସ୍ଥଳୀ ରୂପେ ସମୃଦ୍ଧ କରିବା ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ମୂଳ ଉଦ୍ଦେଶ୍ୟ ଅଟେ ।
ଏହି ଉତ୍ସବରେ କୌଣସି ପ୍ରବେଶିକା ଶୁଳ୍କ ନାହିଁ। ବହୁ ସଂଖ୍ୟାରେ ଇସ୍ପାତ ସହରବାସୀ ପଶ୍ଚିମ ଓଡିଶାର ଏହି ସର୍ବବୃହତ ଉତ୍ସବରେ ଯୋଗଦେଇ ଦେଶର ପ୍ରଶିଥଯଶା କଳାକାରମାନଙ୍କର ପ୍ରଦର୍ଶନ ଉପଭୋଗ ପୂର୍ବକ ମହୋତ୍ସବକୁ ସଫଳ କରିବା ନିମନ୍ତେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି। ୨୬ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜ କଳା କେନ୍ଦ୍ରର ସଭାପତି ଶୁଭ ଶଙ୍କର ରାୟଚୌଧୁରୀ, ସାଧାରଣ ସମ୍ପାଦକ, ରାଧାକୃଷ୍ଣ ମହାପାତ୍ର, ପୂର୍ବତନ ସଭାପତି, ଅସୀମ କୁମାର ବେହେରା, ଉପସଭାପତି ଆଲୋକ କୁମାର ବେହେରା, କର୍ମକର୍ତ୍ତା ବିବେକାନନ୍ଦ ପରିଡା, ସୁବ୍ରତ ଶତପଥୀ, ଶଶାଙ୍କ ପଟ୍ଟନାୟକ, ବସନ୍ତ ସାହୁ, ରସାନନ୍ଦ ମହାନ୍ତ, ପଞ୍ଚାନନ ସାହୁ, ଗଜେନ୍ଦ୍ର ମୁର୍ମୁ, ପ୍ରବୀଣ ରଥ, ଜ୍ୟୋତିର୍ମୟ ଆଚାର୍ଯ୍ୟ, କୋଏନା ଦସ୍ତିଦାର, ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ।