ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ହେମଗିରି ଉପ-ବିଭାଜନର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏବେ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। କେବଳ ସୁନ୍ଦରଗଡ଼ରୁ ତାଙ୍କର ଦେଢ଼କୋଟିର ସମ୍ପତ୍ତି ଠାବ ହୋଇଥିଲା। ତାଙ୍କ ଆୟର ୩୩୩ ଗୁଣ ଅଧିକ ସଂପତ୍ତି ଠାବ ହୋଇଛି। ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର ଦୁଇଟି ବହୁତଳ କୋଠା, ଦୁଇଟି ଜମି, ୧.୬୭ କୋଟିର ବ୍ୟାଙ୍କ ଜମା ଓ ଇନସ୍ୟୁରାନ୍ସ ଥିବା ଜଣାପଡ଼ିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।
ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର, ଭଦ୍ରକ ସିନ୍ଦୋଳରେ ଥିବା ଶ୍ବଶୁର ଘର ଓ ବନ୍ତ ଛକରେ ଥିବା ତାଙ୍କ ଘରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ। ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ହୋଇଥିଲା।
ଭିଜିଲାନ୍ସର ୪ ଜଣ ଡିଏସ୍ପି, ୧୦ ଇନ୍ସପେକ୍ଟର, ୪ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୭ଟି ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ। ସକାଳେ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ଭାବେ କେବଳ ସୁନ୍ଦରଗଡ଼ରୁ ଦେଢ଼କୋଟିର ସମ୍ପତ୍ତି ଠାବ ହୋଇଥିବା ସୂଚନା ରହିଥିଲା। ଏହି ସମ୍ପତ୍ତି ମଧ୍ୟରେ ଭଦ୍ରକଟାଉନ୍ ଜଗନ୍ନାଥପୁରରେ ୫ ହଜାର ବର୍ଗଫୁଟ୍ର ଏକ ୨ ମହଲା କୋଠା, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଗାଁରେ ଥିବା ଏକମହଲା ଘର (ଏହାର ମୂଲ୍ୟାୟନ ଚାଲିଛି), ଭଦ୍ରକ ଟାଉନ୍ ଜଗନ୍ନାଥପୁରରେ ପ୍ଲଟ୍ ନମ୍ବର ୮୬୧/୧୭୨୮ ଓ ଖାତା ନମ୍ବର ୨୯୦/୭୯୭ରେ ଜମି, ଯାଜପୁର ଜିଲ୍ଲା ଚନ୍ଦମାରେ ପ୍ଲଟ୍ ନମ୍ବର ୫୩୦/୩୮୧୮ ଓ ଖାତା ନମ୍ବର ୭୭୧/୭୮୧ରେ ୩.୪ ଲକ୍ଷର ଜମି (ଯାହାର ପ୍ରକୃତମୂଲ୍ୟ ବହୁତ ହେବ ବୋଲି ଭିଜିଲାନ୍ସ କହୁଛି), ୧.୬୭ କୋଟିର ବ୍ୟାଙ୍କ, ଡାକଜମା ଓ ବୀମା, ୨୦୦ ଗ୍ରାମର ସୁନାଗହଣା, ୧୦.୫ ଲକ୍ଷର ନଗଦ, ୨ ଚକିଆ ଓ ଘରୋଇ ଆସବାବପତ୍ର ଆଦି ଥିବା ଭିଜିଲାନ୍ସ କହିଛି। ଏହାବ୍ୟତୀତ ଇଞ୍ଜିନିୟର ବେହେରା ନିଜ ଦୁଇ ସନ୍ତାନଙ୍କ ଡାକ୍ତରୀ ପଢ଼ାରେ ୮୧.୮୦ ଲକ୍ଷ ଖର୍ଚ୍ଚ ଟଙ୍କା କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/sundargarh-xxx-750x430-1.jpg)